ଏରେଡା ଘାଟରୁ ଚୋରା ବାଲି ଚାଲାଣ ଟ୍ରାକ୍ଟର ଜବତ ୭ହଜାର ଜରିମାନା

ନାଉଗାଁ (ଓ୍ବାଇଏନ୍ଏସ୍) : ତହସିଲ ଅଧିନ ଏରେଡା ବାଲିଘାଟ ନିକଟରୁ ନାଉଗାଁ ତହସିଲ ପକ୍ଷରୁ ଚଢାଉ କରାଯାଇ ଏକ ଚୋରା ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଛି । ଉକ୍ତ ଗାଡିରୁ ୭ହଜାର ଟଙ୍କା ଜରିମାନା ଆଦାୟ କରାଯାଇ ଛାଡି ଦିଆଯାଇଛି । ସୂଚନା ମୁତାବକ ଆଜି ନାଉଗାଁ ତହସିଲର ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରା ନେତୃତ୍ୱରେ ଏରେଡା ବାଲିଘାଟ ଉପରେ ଚଢାଉ କରାଯାଇଥିଲା । ଚଢାଉ ସମୟରେ ବାଲି ବୋଝେଇ ଟ୍ରାକ୍ଟର ପାଖରେ ‘ୱାଇ’ଫର୍ମ ନ ଥିବା ଦେଖିବାକୁ ମିଳିଥିଲା । ଫଳରେ ଟ୍ରାକ୍ଟରଟିକୁ ଜବତ କରାଯାଇ ତହସିଲକୁ ଅଣାଯାଇଥିଲା । ପରେ ଉକ୍ତ ଟ୍ରାକ୍ଟରରୁ ଜରିମାନା ବାବଦକୁ ୭ହଜାର ଟଙ୍କା ଆଦାୟ କରାଯାଇ ଟ୍ରାକ୍ଟରଟିକୁ ଛାଡି ଦିଆଯାଇଥିଲା । କିନ୍ତୁ ସଂପୃକ୍ତ ଟ୍ରାକ୍ଟର ଚାଳକଙ୍କ କହିବା ମୁତାବକ ଉକ୍ତ ବାଲିଘାଟରୁ ସେ ପ୍ରତିଦିନ ବାଲି ବୁହାଉଥିଲେ ମଧ୍ୟ ଘାଟ ପକ୍ଷରୁ କୌଣସି କାଗଜ ଦିଆଯାଇନାହିଁ । ଆଜି ବି ମଧ୍ୟ ବିନା କାଗଜରେ ବାଲି ଆଣି ଆସୁଥିବା ବଳେ ତହସିଲ ପକ୍ଷରୁ ଟ୍ରାକ୍ଟରକୁ ଧରି ଆଣି ଆସିଥିବା କହିଥିଲେ । ଏପରିକି ଉକ୍ତ ଘାଟରୁ ପ୍ରତିଦିନ ବହୁତ ବଡ ବଡ ଗାଡି ବିନା କାଗଜ ପତ୍ରରେ ବାଲି ବୁହା ଯାଉଥିବା ମଧ୍ୟ ସେ କହିଛନ୍ତି । ଅନ୍ୟପଟରେ ନାଉଗାଁ ତହସଲି ପକ୍ଷରୁ ସଂପୃକ୍ତ ବାଲି ଘାଟକୁ ଧାର୍ଯ୍ୟ କରାଯାଇଥିବା ସିମା ଭିତରୁ ବାଲି ଉଠାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଉକ୍ତ ବାଲିଘାଟ ନିଲାମଧାରୀ ଧାର୍ଯ୍ୟ ସିମା ବାହାରୁ ମଧ୍ୟ ଶହ ଶହ ଟ୍ରିପ ବାଲି ଉଠାଣ କରୁଥିବା ଜଣାଯାଇଛି । ଯାହାକୁ ନେଇ ଉକ୍ତ ଅଂଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ସେହପରି ଅନ୍ୟ ଏକ ବାଲି ଘାଟରୁ ପ୍ରତିଦିନ ଶହ ଶହ ହାଇୱା ଓ ଟ୍ରାକ୍ଟରରେ ବାଲି ଉଠାଣ ହେଉଛି । ଉକ୍ତ ବାଲି ଘାଟ ନିଲାମଧାରୀଙ୍କ ପକ୍ଷରୁ କିଛି ଗାଡିକୁ “ୱାଇ”ଫର୍ମ ଦିଆଯାଇ ବାଲି ଚାଲାଣ କରାଯାଉଥିବା ବେଳେ ଆଉ କିଛି ଗାଡି ବିଲା ଫର୍ମରେ ଯାଉଥିବା ଜଣାଯାଇଛି । ଯାହାଦ୍ୱାରା ରାଜ୍ୟ ସରକାରଙ୍କ ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନି ହେଉଛି । ପ୍ରଶାସନ ଏସବୁ ଜାଣି ମଧ୍ୟ କ’ଣ ପାଇଁ ନିରବ ରହିଛି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସଂର୍ପକରେ ନାଉଗାଁ ତହସିଲଦାର ଜେ.କଳ୍ପନାଙ୍କ ପ୍ରତିକ୍ରୟା ନେବା ପାଇଁ ଚେଷ୍ଠା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ । ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ