ଏଲଆଇସି ଅଫ୍ ଇଣ୍ଡିଆ ରାଇରଙ୍ଗପୁର ଶାଖା ଆନୁକୁଲ୍ୟରେ ୨୩ ୟୁନିଟ୍ ରକ୍ତ ସଂଗ୍ରହ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ନବ ଭାରତ ନିର୍ମାଣରେ, ସାମାଜିକ କ୍ଷେତ୍ରରେ, ଜାତୀୟ ଅର୍ଥନୀତି ବୃଦ୍ଧିରେ, ବିକାଶ କ୍ଷେତ୍ରରେ ଏଲାଇସି ଅଫ୍ ଇଣ୍ଡିଆ ର ଅବଦାନ ଅବର୍ଣ୍ଣନୀୟ ଓ ଅତୁଳନୀୟ ।କରୋନା ସମଗ୍ର ଭାରତର ଅର୍ଥନୈତିକ ଅଭିବୃଦ୍ଧି ଚୁରମାର କରି ଦେଇଛି ।ହେଲେ ଏଲଆଇସି ପଛକୁ ହଟି ନାହିଁ ।ଜୀବନବୀମା କ୍ଷେତ୍ରରେ ପାହାଚ ପରେ ପାହାଚ ଆଗେଇ ଚାଲିଛି ।ଏହା କେବଳ ଜୀବନ ବୀମା ଓ ଜୀବନ ସୁରକ୍ଷା କରୁ ନାହିଁ ।ସାମାଜିକ କ୍ଷେତ୍ରରେ ମଧ୍ୟ ପାଦ ଥାପିଛି ।ମହାମାରୀ କରୋନା ସମୟରେ ସରକାରୀ , ବେସରକାରୀ ଅନୁଷ୍ଠାନ ବନ୍ଦ ହେଲେ ଏଲଆଇସି ପଛକୁ ହଟି ନାହିଁ ।ଏଭଳି କରୋନା ସ଼ଂକ୍ରମଣ ସମୟରେ ରାଇରଙ୍ଗପୁର ଡାକ୍ତରଖାନାର ରକ୍ତ ଭଣ୍ଡାରରେ ରକ୍ତ ସଂକଟ ଦେଖାଦେଇଛି ।ଖବର ପାଇ ଏଲଆଇସି ଅଫ୍ ଇଣ୍ଡିଆ , ରାଇରଙ୍ଗପୁର ଶାଖା ର ମୁଖ୍ୟ ପରିଚାଳକ ପିତାମ୍ବର ପ୍ରଧାନ ତାଙ୍କର ଅଫିସ କର୍ମଚାରୀ ଓ ଅଭିକର୍ତ୍ତାସଂଘର ସଦସ୍ୟ ମାନଙ୍କ ସହ ଆଲୋଚନା କରି ସୋମବାର ଦିନ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଆୟୋଜନ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମ ଏଲଆଇସି, ରାଇରଙ୍ଗପୁର ଶାଖାର ମୁଖ୍ୟ ପରିଚାଳକ ପିତାମ୍ବର ପ୍ରଧାନ ଫିତାକାଟି ଶୁଭଉଦଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।ଏହି ରକ୍ତଦାନମହତ କାମରେ ୨୩ ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ସଂଖ୍ୟାରେ କମ ୟୁନିଟ ହେଲେ ମଧ୍ୟ ଏହା ଯେ ଏଭଳି ବିପର୍ଯ୍ୟୟ ସମୟରେ ରକ୍ତ ପାଇଁ ଡହଳ ବିକଳ ହେଉଥିବା ଲୋକଟିର ଜୀବନକୁ ବଂଚାଇ ନ ପାରିବ କିଏ କହିବ ? କାର୍ଯ୍ୟକ୍ରମ ରେ ଅଭିକର୍ତ୍ତା ସଂଘ ଉପଦେଷ୍ଟା ନଳିନୀ ଦାସ, ସତ୍ୟବ୍ରତ ନନ୍ଦ, ସରୋଜ ମହାକୁଡ଼, ହରେରାମ ପଢିଆରୀ, ହେମନ୍ତ ବେହେରା, ଯଶୋବନ୍ତ ମଣ୍ଡଳଓ ଭୀମସେନ ମୁଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।ତଦସହ ଏହି ରକ୍ତଦାନ ଶିବିରରେ ଏଲଆଇସି ର ସମସ୍ତ କର୍ମଚାରୀ ରକ୍ତଦାନ ସହ ପରିଚାଳନାରେ ସହଯୋଗ କରିଥିଲେ ।