ଏଲଟି ବାକ୍ସ ଲଗାଯିବା ପରିବର୍ତେ ବାଉଁଶରେ ବନ୍ଧା ଯାଇଛି ବିଦ୍ୟୁତ ତାର

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ଗାଁ ଗହଳିରେ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ସ୍ଥାନରେ ୧୧କେଭି ବିଦ୍ୟୁତ ସବଷ୍ଟେସନ ନିର୍ମାଣ କରାଯାଇ ଟ୍ରାନ୍ସଫର୍ମର ମାନ ବସାଯାଇଛି । ଦୀର୍ଘଦିନ ହେବ ଉକ୍ତ ଟ୍ରାନ୍ସଫର୍ମର ବସାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅନେକ ଟ୍ରାନ୍ସଫର୍ମର ଚତୁଃପାଶ୍ୱର୍ ଆବଦ୍ଧ କରାଯାଇ ନାହିଁ । ଯାହାଫଳରେ ଏହି ଟ୍ରାନ୍ସଫର୍ମର ସଂସ୍ପର୍ଶରେ କେବେ କିଏ ଆସିଲେ ଧନ ଜୀବନ ନଷ୍ଟ ହେବାର ଆଶଙ୍କା ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉକ୍ତ ସବଷ୍ଟେସନ ଗୁଡିକରେ ଏଲଟି ବାକ୍ସ ଲଗାଯିବା ପରିବର୍ତେ ବାଉଁଶ ବନ୍ଧା ଯାଇ ବିଦ୍ୟୁତ ତାର ବନ୍ଧା ଯାଇଥିବା ଦେଖିବାକୁ ମିଳୁଛି । ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣା ସେବା ସମବାୟ ସମିତି ନିକଟସ୍ଥ ଶିଖରଘାଟ-ବାଲିଭଉଁରୀକୁ ସଂଯୋଗ କରୁଥିବା ପୂର୍ତ ବିଭାଗ ରାସ୍ତା ପାଶ୍ୱର୍ରେ ଏକ ଟ୍ରାନ୍ସଫର୍ମର ବସାଯାଇଛି । ଏହି ଟ୍ରାନ୍ସଫର୍ମରଟି ଦୀର୍ଘ ଦିନ ହେବ ବସାଯାଇଥିବା ବେଳେ ତାହା ଏବେ ବି ଖୋଲା ମେଲା ହୋଇ ପଡିରହିଛି । ଏପରିକି ଉକ୍ତ ସବଷ୍ଟେସନ ତଥା ଟ୍ରାନ୍ସଫର୍ମରରେ ଏଲଟି ବାକ୍ସ ଲଗାଯିବା ପରିବର୍ତେ ବାଉଁଶ ବନ୍ଧା ଯାଇ ବିଦ୍ୟୁତ୍ ତାର ବନ୍ଧା ଯାଇଛି । ରାସ୍ତା ପାଶ୍ୱର୍ରେ ଏହା ରହିଥିବା ବେଳେ ଏହି ରାସ୍ତା ଦେଇ କଟକ, ପୁରୀ, ଭୂବନେଶ୍ୱର ଆଦିକୁ ଯାତ୍ରୀବାହୀ, ମାଲ ବାହି ଗାଡି ଯିବା ଆସିବା କରୁଛି । ଯଦି ଅସବଧାନତା ବଶତଃ ଏହି ରାସ୍ତାପାଶ୍ୱର୍ରେ କୌଣସି ଦୁର୍ଘଟଣା ଘଟେ ତାହେଲେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜୀବନ ଯିବାର ସମ୍ଭାବନା ରହିଛି । ସେହିପରି କୋରୁଅ ପଂଚାୟତର କୋରୁଅ ଗ୍ରାମ୍ୟ ରାସ୍ତା ପାଶ୍ୱର୍ରେ ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ରହିଛି । ଏହି ଟ୍ରାନ୍ସଫର୍ମର ଟି ଗାଁ ଭିତରେ ରହିଥିବା ବେଳେ ରାସ୍ତା ପାଶ୍ୱର୍ରେ ରହିଛି । ଏହି ବାଟ ଦେଇ ଛୋଟ ପିଲାମାନେ ବିଦ୍ୟାଳୟ ଓ ଅଙ୍ଗନୱାର୍ଡିକୁ ଯିବା ଆସିବା କରୁଥିବା ବେଳେ ଗାଁର ସମସ୍ତ ଲୋକ ମଧ୍ୟ ଯିବା ଆସିବା କରିଥାନ୍ତି । ଗୃହପାଳିତ ପଶୁମାନେ ମଧ୍ୟ ଏହି ବାଟ ଦେଇ ଯିବା ଆସିବା କରିଥାନ୍ତି । ଟ୍ରାନ୍ସଫର୍ମରଟି ଖୋଲା ରହିଥିବାରୁ ଅସାବଧାନତା ବଶତଃ ଯଦି କିଛି ଅଘଟଣ ଘଟେ ତେବେ ଜୀବନ ହାନି ଘଟିବାର ଆଶଙ୍କା ରହିଛି । ତେଣୁ ଉକ୍ତ ଦୁଇଟି ଟ୍ରାନସଫରକୁ ଆବଦ୍ଧ କରିବା ପାଇଁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ