ଏଲିମେଣ୍ଟାରୀ ଶିକ୍ଷକ ମାନଙ୍କର ପ୍ରମୋସନ ବିଭାଗୀୟ ଅଧିକାରୀ ମାନଙ୍କର ଏକ ପ୍ରହସନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ଏଲିମେଣ୍ଟାରୀ ଶିକ୍ଷକ ସଂଘର ଜରୁରୀକାଳୀନ ବୈଠକ ଶିକ୍ଷକ ମହାସଂଘ କାର୍ଯ୍ୟାଳୟରେ ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ଧନଞ୍ଜୟ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଦିବଙ୍ଗତ ଶିକ୍ଷକନେତା ନିକୁଞ୍ଜ କିଶୋର ମହାନ୍ତିଙ୍କ ତା ୧୪.୦୬.୨୦୨୩ରିଖରେ ୭୫ ବର୍ଷ ବୟସରେ ଅକାଳ ବିୟୋଗ ଶିକ୍ଷକ ସମାଜକୁ ସ୍ତବ୍ଧ କରିଦେଇଥିବା ନେଇ ଆଲୋଚନା ହୋଇଥିଲା । ସ୍ୱର୍ଗତ ମହାନ୍ତି ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ସଭାପତି ତଥା ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ପ୍ରାକ୍ତନ କୋଷାଧ୍ୟକ୍ଷ ଓ ଅନ୍ୟାନ୍ୟ ସଂଗଠନରେ ଜଡ଼ିତ ଥିଲେ । ସଂଘର ସାଧାରଣ ସମ୍ପାଦକ ପ୍ରବୀଣ କୁମାର ଦାସ ସ୍ୱର୍ଗତ ମହାନ୍ତିଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଶୋକ ପ୍ରସ୍ତାବ ଆଣିଥିଲେ ଓ ଉପସ୍ଥିତ ସଦସ୍ୟମାନେ ନୀରବ ପ୍ରାର୍ଥନା କରି ପ୍ରଥମ ଅଧିବେଶନ ସମାପନ ହୋଇଥିଲା । ବୈଠକର ଦ୍ୱିତୀୟ ଅଧିବେଶନରେ ଏଲିମେଣ୍ଟାରୀ ଶିକ୍ଷକମାନଙ୍କର ପ୍ରମୋସନ ବିଭାଗୀୟ ଅଧିକାରୀମାନଙ୍କର ଏକ ପ୍ରହସନ ବୋଲି ଆଲୋଚନା କରାଯାଇଥିଲା । ମାନ୍ୟବର ନିର୍ଦ୍ଦେଶକ, ଓଡ଼ିଶା ଏଲିମେଣ୍ଟାରୀ ଏଜୁକେଶନ ଚିଠି ସଂଖ୍ୟା ୫୭୦୭ ତା ୦୩.୦୩.୨୦୨୩ ନିର୍ଦ୍ଦେଶ ପ୍ରଦାନ କରେ ଏଲିମେଣ୍ଟାରୀ ଶିକ୍ଷକମାନଙ୍କ ପ୍ରମୋସନର ସମସ୍ତ କାର୍ଯ୍ୟ ୩୦.୦୫.୨୦୨୩ ସୁଦ୍ଧା ସମାପନ ହେବ । ମାତ୍ର ନିର୍ଦ୍ଦେଶକଙ୍କ ଚିଠି ତା ୦୬.୦୫.୨୦୨୩ ସଂଖ୍ୟା ୧୦୬୮୬, ତା ୧୫.୦୫.୨୦୨୩ ଚିଠି ସଂଖ୍ୟା ୧୧୬୬୫, ତା ୨୬.୦୫.୨୦୨୩ ଚିଠି ସଂଖ୍ୟା ୧୨୨୫୭ ଏବଂ ତା ୩୧.୦୫.୨୦୨୩ ଚିଠି ସଂଖ୍ୟା ୧୨୭୨୩ ଶିକ୍ଷକମାନଙ୍କର ପ୍ରମୋସନ ତ ଦୂରର କଥା, ଅଧିକନ୍ତୁ ସେମାନଙ୍କୁ ହତାଶା ଓ ମାନସିକ ଅଶାନ୍ତି ମଧ୍ୟକୁ ଠେଲିଦେଇଛି । ସରକାରୀ କର୍ମଚାରୀମାନେ ନିଷ୍ଠାପର ଓ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କଲା ପରେ ଜନମଙ୍ଗଳକାରୀ ରାଜ୍ୟ ତଥା ଦେଶର ସରକାର କର୍ମଚାରୀ ମାନଙ୍କୁ ପଦୋନ୍ନତି ଦେଇଥାନ୍ତି, ମାତ୍ର ଏଲିମେଣ୍ଟାରୀ ଶିକ୍ଷକମାନଙ୍କ ପାଇଁ ଏହା ବିଡ଼ମ୍ବନା ସାଜିଛି । ୨୦୧୯ କ୍ୟାଡ଼ର ରୁଲ ୮ ମାର୍ଚ୍ଚ ୨୦୧୯ରେ ପ୍ରକାଶିତ ହୋଇଥିଲା । ଏହି ରୁଲ୍କୁ ଆଧାର କରି ଦୁଇଟି ପର୍ଯ୍ୟାୟରେ ଶିକ୍ଷକମାନେ ପ୍ରମୋସନ ନେଇ ଲେବୁଲ-୩ ହେଡ଼ମାଷ୍ଟର ଏପରିକି ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦକୁ ପଦୋନ୍ନତି ହୋଇସାରିଛନ୍ତି । କ୍ୟାଡ଼ର ରୁଲରେ ୧୧.୦୨.୨୦୧୧ ତାରିଖକୁ ନେଇ ଓଟିଇଟି ସମ୍ବନ୍ଧୀୟ ବିତର୍କ ପ୍ରମୋସନରେ ଅନ୍ତରାୟ ସୃଷ୍ଟି କରିଛି । ସୂଚନାଯୋଗ୍ୟ, ୨୦୧୯ କ୍ୟାଡ଼ର ରୁଲରେ ୨୦୧୧ ପୂର୍ବବର୍ତ୍ତୀ ଶିକ୍ଷକମାନେ ଓଟିଇଟି ଯୋଗ୍ୟତା ହାସଲ କରିବାର ଆବଶ୍ୟକତା ନଥିବା କଥା ମଧ୍ୟ ଉଲ୍ଲେଖ କରିଛି । ତେବେ କେଉଁ ଆଧାରରେ ଅଧୁନା ଅର୍ଥାତ୍ ୨୦୨୩ ମସିହା ଯାହାକି ପ୍ରାୟ ୧୨ ବର୍ଷ ପର୍ଯ୍ୟନ୍ତ ଏଲିମେଣ୍ଟାରୀ ଶିକ୍ଷକମାନଙ୍କୁ ଓଟିଇଟି ଯୋଗ୍ୟତାଧାରୀତାରୁ ବଞ୍ôଚତ କରି ରଖାଯାଇଥିଲା । ଓଟିିଇଟି ଜନିତ ସମସ୍ୟାର ସ୍ଥାୟୀ ସମାଧାନ ତଥା ପ୍ରମୋସନ କାର୍ଯ୍ୟକୁ ତ୍ୱରିତ କରିବା ପାଇଁ କ୍ୟାଡ଼ର ରୁଲ୍ର କାର୍ଯ୍ୟକାରିତା କେବଳ ୨୦୧୯ ମସିହା ଠାରୁ ଲାଗୁ କରିବା ପାଇଁ ସଂଘ ମାନ୍ୟବର ସରକାର, ଗଣଶିକ୍ଷା ମନ୍ତ୍ରୀ, ଗଣଶିକ୍ଷା ସଚିବ ତଥା ଏଲିମେଣ୍ଟାରୀ ନିର୍ଦ୍ଦେଶକଙ୍କୁ ଅନୁରୋଧ ରୂପକ ପ୍ରସ୍ତାବ ଦେଇଛି । ବୈଠକରେ ସୁବ୍ରତ କୁମାର ବଡ଼ଜେନା, ସଲୀଳ କୁମାର ପଟ୍ଟନାୟକ, ମଙ୍ଗୁଳି ଚରଣ ପରିଡ଼ା, ପ୍ରିୟମ୍ବଦା ଆଚାର୍ଯ୍ୟ, ବାସୁଦେବ ମଳିକ, ପ୍ରିୟତମା ଜେନା, ବ୍ରହ୍ମାନନ୍ଦ ପରିଡ଼ା, ମନୋରଞ୍ଜନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ