ଏସସିବିକୁ ୫୦୦ ବେଡ୍ ବିଶିଷ୍ଟ ଟ୍ରମାକେୟାର ସେଣ୍ଟର ପାଇଁ ପ୍ରସ୍ତାବ
କଟକ, (ଯୁଗାବ୍ଦ ନ୍ୟୁଜ):ସଡ଼କ ଦୁର୍ଘଟଣା ହ୍ରାସ କରିବା ଦିଗରେ ସଚେତନତା ବଡ଼ ଅସ୍ତ୍ର ପାଲଟିଛି । ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ଲକ୍ଷ୍ୟରେ ବେଶ ଉପାଦେୟ ସାବ୍ୟସ୍ତ ହେଉଛି ଟ୍ରମା କେୟାର ସେଣ୍ଟର ବ୍ୟବସ୍ଥା। ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ପର୍ଯ୍ୟନ୍ତ ଆହତ କିମ୍ବା ତାଙ୍କ ସମ୍ପର୍କୀୟଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ଡାକ୍ତରଖାନାରେ କିଛି ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଘରୋଇ ଡାକ୍ତରଖାନାରେ ଏହି ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି। ଟ୍ରମା କେୟାର ବ୍ୟବସ୍ଥାରେ ଉନ୍ନତି ଆଣିବା ଲକ୍ଷ୍ୟରେ ଆଉ ଏକ ବଡ଼ ପଦକ୍ଷେପ ନେଉଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ପ୍ରତ୍ୟେକଟି ଜିଲ୍ଲାରେ ଟ୍ରମାକେୟାର ସେଣ୍ଟରକୁ ଗୁରୁତ୍ଵ ଦିଆଯାଉଛି । ଏସିବିକୁ ୫୦୦ ବେଡ ବିଶିଷ୍ଟ ଟ୍ରମାକେୟାର ସେଣ୍ଟର ପାଇଁ ପ୍ରସ୍ତାବ ଦିଆଯାଇଥିବା ସୂଚନା ମିଳିଛି । “ରାଜ୍ୟରେ ବିଶେଷ ଭାବରେ ଟ୍ରମାକେୟାର ସେଣ୍ଟର କୁ ଅଧିକ ଭାବରେ ଗୁରୁତ୍ଵ ଦିଆଯାଉଛି। ତେବେ ରାଜ୍ୟରେ ବର୍ତ୍ତମାନ ସମୟରେ ୧୦୭ ଟି ଟ୍ରମାକେୟାର ସେଣ୍ଟର ରହିଛି। ସେଥିମଧ୍ୟରୁ ୮୯ ଟି ରାଜ୍ୟ ସରକାରଙ୍କ ଅଧୀନରେ ରହିଥିବା ବେଳେ ବାକି ୧୬ ଟି ଟ୍ରମାକେୟାର ସେଣ୍ଟର ବେସରକାରୀ ହସ୍ପିଟାଲରେ ରହିଛି” ବୋଲି କହିଛନ୍ତି ଅତିରିକ୍ତ ଡିଏମଇଟି ଉମାକାନ୍ତ ଶତପଥି।। ଅତିରିକ୍ତ ଡିଏମିଟି ଉମାକାନ୍ତ ଶତପଥି କହିଛନ୍ତି, “ରାଜ୍ୟରେ ଟ୍ରମାକେୟାର ସେଣ୍ଟର ବିଭିନ୍ନ ହସ୍ପିଟାଲ ପାଇଁ ସ୍ଵତନ୍ତ୍ର ଭାବରେ ବେଡ ପ୍ରସ୍ତୁତ କରାଯାଇଛି। ତେବେ ଟ୍ରମାକେୟାର ସେଣ୍ଟର ପାଇଁ ହସ୍ପିଟାଲ ସ୍ତରରେ ଲେବୁଲ ୧,୨,୩ ର ବ୍ୟବସ୍ଥା କରାଯାଇଛି। ଏହାସହ ଆମ୍ବୁଲାନ୍ସ ରହିଛି ଲେବୁଲ ୪ ସ୍ତରରେ। ଏହା ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଲେବୁଲ ୩ ସ୍ତରରେ, ନୂଆ ମେଡିକାଲ କଲେଜ ହେଉଛନ୍ତି ଲେବୁଲ ୨ ଏବଂ ପୁରୁଣା ମେଡିକାଲ କଲେଜ, କ୍ୟାପିଟାଲ , ପାଣିକୋଇଲି ଲେବୁଲ ୧ ରେ ରହିଛି। ଏହା ସହିତ କଟକର ଏସସିବି, ବ୍ରହ୍ମପୁର ଏମକେସିଜି ଏବଂ ସମ୍ବଲପୁର ବୁର୍ଲା ମେଡିକଲ କଲେଜ ରହିଛି । ”ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଲେବୁଲ ୧ ମେଡିକାଲ କଲେଜରେ ମୋଟ୍ ୩୦ ଟି ବେଡ ରହିବ। ଜେନେରାଲ ବେଡ ୨୦ ଟି ରହିବା ସହ ୧୦ ଟି ଆଇସିୟୁ ବେଡ୍ ରହିବ । ଏହା ସହିତ ଲେବୁଲ ୨ ମେଡିକାଲ କଲେଜରେ ମୋଟ ୨୦ ଟି ବେଡ ରହିବ। ସେଥି ମଧ୍ୟରୁ ଜେନେରାଲ ବେଡ ୧୦ଟି ରହିଥିବାବେଳେ ଆଉ ୧୦ ଟି ଆଇସିୟୁ ବେଡ୍ ରହିବ। ସେହିପରି ଲେବଲ ୩ ମେଡିକାଲରେ ମୋଟ ୧୦ ଟି ବେଡ୍ ରହିବ। ସେଥିମଧ୍ୟରୁ ୫ ଟି ଜେନେରାଲ ବେଡ୍ ରହୁଥିବାବେଳେ ବାକି ୫ ଟି ଆଇସିୟୁ ବେଡ୍ ରହିବ । “ରାଜ୍ୟରେ ଟ୍ରମାକେୟାର ସେଣ୍ଟରକୁ ଅଧିକ ଭାବରେ ଗୁରୁତ୍ଵ ଦିଆଯାଉଛି। କଟକ ଏସସିବି ହେବ ଟ୍ରମାକେୟାର ସେଣ୍ଟର ଏକ୍ସଲେନ୍ସି କରାଯିବ ନେଇ ଲକ୍ଷ୍ୟ ରଖାଯାଇଛି। ଏହା ସହିତ କଟକ ଏସସିବି ହେବ ୫୦୦ ବେଡ ବିଶିଷ୍ଟ ଟ୍ରମା କେୟାର ସେଣ୍ଟର। ବର୍ତ୍ତମାନ ଏସସିବିରେ ରହିଛି ୩୦ ବେଡ ବିଶିଷ୍ଟ ଟ୍ରମାକେୟାର ସେଣ୍ଟର। ରାଜ୍ୟରେ ୧୦୭ ଟି ଟ୍ରମା କେୟାର ସେଣ୍ଟର ରହିଥିବାବେଳେ ୮୯ ଟି ବର୍ତ୍ତମାନ ସମୟରେ କାର୍ଯ୍ୟକ୍ଷମ ରହିଛି। ଅନ୍ୟ ୧୮ ଟି ଟ୍ରମା କେୟାର ସେଣ୍ଟର ଘରୋଇ ହସ୍ପିଟାଲ ସହିତ ସହବନ୍ଧିତ ଭାବରେ ରଖାଯାଇିଛ। ରାଜ୍ୟରେ ୧୬ ଟି ରାଜ୍ୟ ମଧ୍ୟରେ ରହିଥିବାବେଳେ ୨ଟି ରାଜ୍ୟ ବାହାରେ କରାଯାଇଛି ଟ୍ରମାକେୟାର ସେଣ୍ଟର। ଗୋଟିଏ ହେଲା ବିଶାଖାପାଟଣା ଓ ଅନ୍ୟଟି ରାୟପୁର ସ୍ଥିତ ରାମା କ୍ରୀଷ୍ଣନ ମେଡିକାଲ କଲେଜରେ ରହିଛି ଟ୍ରମାକେୟାର ସେଣ୍ଟର” ବୋଲି କହିଛନ୍ତି ଅତିରିକ୍ତ ଡିଏମିଟି ଉମାକାନ୍ତ ଶତପଥି। “ପିଜିଆଇଏମ୍ଇଆର ଆଣ୍ଡ କ୍ୟାପିଟାଲ ହସ୍ପିଟାଲରେ ଟ୍ରମାକେୟାର ୟୁନିଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଏଠାରେ ଟ୍ରମା କେୟାର ସେଣ୍ଟର କାର୍ଯ୍ୟକ୍ଷମ ହେବା ପରେ ଦୁର୍ଘଟଣାରେ ଗୁରୁତର ହେଉଥିବା ରୋଗୀଙ୍କୁ ଅନ୍ୟତ୍ର ରେଫର କରାଯିବ ନାହିଁ। ବର୍ତ୍ତମାନ ଦୈନିକ ୭୦ ରୁ ୧୦୦ ଦୁର୍ଘଟଣା ମାମଲା କ୍ୟାପିଟାଲ ହସ୍ପିଟାଲକୁ ଆସୁଥିବାବେଳେ ସେମାନଙ୍କୁ ଆବଶ୍ୟକତା ଅନୁସାରେ ଚିକିତ୍ସା ଦିଆଯାଉଛି। ମାତ୍ର ଗୋଲଡେନ ଆୱାରକୁ ଦେଖିଲେ ଟ୍ରମା କେନ୍ଦ୍ର କାର୍ଯ୍ୟକ୍ଷମ ହେଲେ ତ୍ବରିତ ଚିକିତ୍ସା ମିଳିପାରିବ। ତେବେ ୫ ମହଲା ବିଶିଷ୍ଟ ଲିଭେଲ ୧ ଟ୍ରମାକେୟାର ସେଣ୍ଟର କରାଯିବ। ତେବେ ଏହି ଟ୍ରମା କେୟାର କେନ୍ଦ୍ରରେ ୨୦୦ ଶଯ୍ୟା ବ୍ୟବସ୍ଥା ରହିବ। ବେସମେଣ୍ଟରେ ୪ ଟି ଜରୁରୀକାଳୀନ ଓଟି ରହିବା ସହିତ ୮ ଶଯ୍ୟା ବିଶିଷ୍ଟ ଟ୍ରମା ଆଇସିୟୁ, ରେଡିଓ ଡାଇଗ୍ନୋଷ୍ଟିକ କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ପ୍ରଥମ ମହଲାରେ ୨୦ ଟି ଟ୍ରମା ଶଯ୍ୟା, ୨୦ ଟି ଭେଷଜ ଶଯ୍ୟା, ୩ଟି କ୍ୟାବିନ, ୧୦ ଶଯ୍ୟାର ଭେଷଜ ଆଇସିୟୁ ଓ ୮ ଶଯ୍ୟାର ଏଚ୍ଡିୟୁ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି। ସେହିପରି ଦ୍ବିତୀୟ ମହଲାରେ ୨ ଟି ଟ୍ରମା ଓଟି ସହିତ ୮ ଟି ଅସ୍ତ୍ରୋପ୍ରଚାର ପରବର୍ତ୍ତୀ ଶଯ୍ୟା, ୬ ଟି ପ୍ରାକ୍ ଅସ୍ତ୍ରୋପଚାର ଶଯ୍ୟା କାର୍ଯ୍ୟ କରିବ। ଏହାଛଡା ତୃତୀୟ ମହଲାରେ ଏକ ସମ୍ମିଳନୀ କକ୍ଷ କରାଯିବ। ସେହିପରି ଫିଜିଓଥେରାପି ୟୁନିଟ ସହିତ ଦୁଇଟି ସର୍ଜିକାଲ ଓଟି, ୨୧ ଶଯ୍ୟା ବିଶିଷ୍ଟ ସର୍ଜିକାଲ ଆଇସିୟୁ ରହିବ। ଚତୁର୍ଥ ମହଲାରେ ୧୦ ଶଯ୍ୟା ବିଶିଷ୍ଟ ଜେରିଆଟିକ ଆଇସିୟୁ, ୩ଟି ଲେଖାଏଁ ନେଫ୍ରୋଲୋଜି ଓ ଡାଏଲିସିସ ଶଯ୍ୟା କରାଯିବ। ୫ ମହଲା ଅର୍ଥାତ ସବୁଠୁ ଉପର ମହଲାରେ ପ୍ରଶାସନିକ କାର୍ଯ୍ୟ କରାଯିବ ବୋଲି ଜଣାପଡ଼ିଛି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ ପରିବର୍ତ୍ତନ କରାଯିବ” ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି। ଆଗକୁ ମଧ୍ୟ ଆହୁରି କମିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏନଏଚ କଡରେ ଥିବା ମେଡିକାଲ ଏବଂ ଜିଲ୍ଲା ସ୍ତରରେ ମେଡିକାଲରେ ଟ୍ରମାକେୟାର ସେଣ୍ଟର କରିବା ଦ୍ଵାରା ଅନେକ ଠିକ ସମୟରେ ଚିକିତ୍ସା ପାଇପାରୁଛନ୍ତି। ଯାହା ଫଳରେ ଦୁର୍ଘଟଣା ହେଲେ ତୁରନ୍ତ ନିକଟସ୍ଥ ମେଡିକାଲ କଲେଜକୁ ରୋଗୀ ସ୍ଥାନାନ୍ତର କରାଯାଇପାରିବ” ବୋଲି କହିଛନ୍ତି ଅତିରିକ୍ତ ଡିଏମିଟି ଉମାକାନ୍ତ ଶତପଥି। ଦେଶରେ ଦୁର୍ଘଟଣା ଜନିତ ଚିକିତ୍ସାରେ ଆଗରେ ରହିଛି ତାମିଲନାଡୁ। ଏହା ପଛରେ ରହିଛି ଓଡିଶା। ୧୯୫୯ ମସିହା ମଧ୍ୟରେ ରାଜ୍ୟରେ ୩ ଟି ମେଡିକାଲ କଲେଜ ହୋଇଥିଲା। କଟକାର ଏସସିବି, ବ୍ରହ୍ମପୁର ଓ ଭୀମସାର ମେଡିକାଲ। ତେବେ ୨୦୧୭ ମସିହାରେ ୨ ଟି ମେଡିକାଲ କଲେଜ ଆରମ୍ଭ କରାଯାଇଥିବାବେଳେ ବର୍ତ୍ତମାନ ସୁଧା ରାଜ୍ୟରେ ୧୩ ଟି ମେଡିକାଲ କଲେଜ ଖୋଲିଛି । ଖୁବଶୀଘ୍ର ଆଉ ୩ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି” ବୋଲି କହିଛନ୍ତି ଅତିରିକ୍ତ ଡିଏମଇଟି ଉମାକାନ୍ତ ଶତପଥି। ଜିଲ୍ଲାସ୍ତରୀୟ ହସ୍ପିଟାଲଠାରୁ ଆରମ୍ଭ କରି ଜାତୀୟ ରାଜପଥର ପ୍ରତି ୫୦ କିମି ଅନ୍ତରରେ ଗୋଟିଏ ଲେବୁଲ ୩ ସ୍ତରର ଟ୍ରମା କେୟାର ପ୍ରତିଷ୍ଠା କରିବା ଏବଂ ରୋଗୀଙ୍କୁ ସଠିକ ଭାବରେ ଚିକିତ୍ସା କରିବା ଦିଗରେ ମଧ୍ୟ ଗୁରୁତ୍ଵ ଦିଆଯାଉଛି । ଏହାସହ କଟକ ସ୍ଥିତ ଏସସିବି ମେଡିକାଲ କଲେଜରେ ଟ୍ରମାକେୟାର ସେଣ୍ଟର ୩୦ ଟି ବେଡ ରହିଥିବାବେଳେ ବର୍ତ୍ତମାନ ଏହାକୁ ୫୦୦ ବିଶିଷ୍ଟ ବେଡ୍ କରିବାକୁ ପ୍ରସ୍ତାବ ରହିଛି । ଏହା ସହିତ ଦେଶରେ ଦୁର୍ଘଟଣା ଜନିତ ଚିକିତ୍ସା କ୍ଷେତ୍ରରେ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଏସସିବି ମେଡିକାଲ କଲେଜର ଟ୍ରମାକେୟାର ସେଣ୍ଟରକୁ ଟ୍ରମା ଏକ୍ସଲେନ୍ସି କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିଏମଇଟି ଉମାକାନ୍ତ ଶତପଥି।