ଏସସି ଓ ଏସଟି ବର୍ଗର ଲୋକଙ୍କ ମାଲିକ ହେବା ସ୍ୱପ୍ନକୁସାକାର କରୁଛନ୍ତି ମୋଦି ସରକାର – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ– ନୂଆଦିଲ୍ଲୀ ଠାରେ ସୋମବାର ଏସସି/ଏସଟି ଉଦ୍ୟୋଗୀଙ୍କ ପାଇଁ ୩୧୨୧ତମ ବଲ୍କ ଏଲପିଜି ଟ୍ୟାଙ୍କର (ବିଏଲଟିଟି)ର ଶୁଭାରମ୍ଭ କରିବା ସହ ପେଟ୍ରୋଲିୟମ ଏବଂ ଇସ୍ପାତ ମନ୍ତ୍ରାଳୟର ଏସସି/ଏସଟି ଉଦ୍ୟୋଗୀ ସମୂହଙ୍କ ସ୍ୱତନ୍ତ୍ର ଜାତୀୟ ଭେଣ୍ଡର ଡେଭଲପମେଂଟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଏସସି ଓ ଏସଟି ବର୍ଗର ଲୋକଙ୍କ ମାଲିକ ହେବା ସ୍ୱପ୍ନକୁ ମୋଦି ସରକାର ବାସ୍ତବିକତାର ରୂପ ଦେଇଛନ୍ତି ବୋଲି କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବରୁ କେବଳ ଏସସି ଓ ଏସଟି ସମାଜ ପାଇଁ ସଂରକ୍ଷଣ ଏବଂ ସ୍କଲାରସିପର ବ୍ୟବସ୍ଥା ଥିଲା । ମାତ୍ର ପ୍ରଧାନମନ୍ତ୍ରୀ ମୋଦି ସେମାନଙ୍କ ମାଲିକ ହେବାର ସ୍ୱପ୍ନକୁ ସାକାର କରୁଛନ୍ତି । ସରକାର ଏହି ବର୍ଗର ଲୋକମାନଙ୍କୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ମୋଦି ସରକାରରେ ଆଗାମୀ ଦିନରେ ଏସସି ଏସଟି ବର୍ଗ କ୍ଷେତ୍ରରେ ବିକାଶର ଅଭୁତପୂର୍ବ ପରିବର୍ତନ ହେବ । କେବଳ ଭାଷଣବାଜି ନୁହେଁ କଳ୍ପନାକୁ ବାସ୍ତବରେ ପରିଣତ କରିଛନ୍ତି ମୋଦି । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଦଳିତ, ପଛୁଆ ଓ ସଂଖ୍ୟାଲଘୁଙ୍କୁ ସମାନ୍ତରାଳ ଭାବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରାଥମିକତା ଦେଉଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।


