ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ଗୁରାଣ୍ଡି ଥାନା ଅଧିକାରିଣୀ ମମତା ପଣ୍ଡାଙ୍କୁ କ୍ରାଇମ ବ୍ରାଞ୍ଚର ୩ଘଣ୍ଟା ଜେରା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ଦିନ ଗଡିବା ସହ ଅନେକ ନୂଆ ଚରିତ୍ର ସାମନାକୁ ଆସୁଥିବା ବେଳେ ଆଜି ଗୁରାଣ୍ଡି ଥାନା ଅଧିକାରିଣୀ ମମତା ପଣ୍ଡାଙ୍କୁ ଜେରା କରିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ଦୀର୍ଘ ୩ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଜେରାର ସମ୍ମୁଖୀନ ହେବା ପରେ ମମତା ପଣ୍ଡା ବାହାରିବା ବେଳେ ଗଣମାଧ୍ୟମ ସାମନାରେ ପ୍ରତିକ୍ରିୟା ରଖିଥିଲେ । କ୍ରାଇମବ୍ରାଞ୍ଚ ଯାହା ପଚାରିଛନ୍ତି ତାର ମୁଁ ଉତ୍ତର ଦେଇଛି କହିଥିଲେ । ୧୨ ତାରିଖ ରାତିରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଏସିଏଫ ସୌମ୍ୟରଞ୍ଚନ ମହାପାତ୍ର ଚିକିତ୍ସା ଚାଲିଥିବା ବେଳେ ମମତା ପଣ୍ଡାଙ୍କୁ ମୁଖ୍ୟଚିକିତ୍ସାଳୟକୁ ଆସିବା ପାଇଁ କିଏ ଅନୁମତି ଦେଇଥିଲା ଏବଂ ୧୦୮ ଆମ୍ବୁଲାନ୍ସକୁ ଫରେଷ୍ଟ ଗେଟ୍ ଛକ ନିକଟରେ ଅଟକାଇବା ଘଟଣା ଆଦିକୁ ନେଇ କ୍ରାମବ୍ରାଞ୍ଚର ପଚରାଉଚୁରା କରିଥିଲେ । ଏହି ମାମଲାରେ ପୂର୍ବରୁ କ୍ରାଇମବ୍ରାଞ୍ଚ ୧୦ରୁ ଉର୍ଦ୍ଧ ଜଣଙ୍କୁ ମଧ୍ୟ ଜେରା କରିସାରିଛି । ଦୁଇ ଡାକ୍ତରଙ୍କ ସହ ମେଡିକାଲ ଏଡିଏମ୍‌, ଦୁଇ ଏସିଏଫ୍ ସହ ଫାଟକ ଜଗୁଆଳି, ଡିଏଫ୍‌ଓଙ୍କ ରୋଷେୟା ଆଦିଙ୍କୁ ଜେରା କରିସାରିଛି । ଏନେଇ କ୍ରାଇମବ୍ରାଞ୍ଚ ଡିଏସ୍‌ପି ଜ୍ଞାନରଂଜନ ମିଶ୍ର କହିଛନ୍ତି ଯେ, ଆଜି ଗୁରାଣ୍ଡି ଥାନା ଅଧିକାରିଣୀ ମମତା ପଣ୍ଡାଙ୍କୁ ଜେରା କରାଯାଇଥିଲା । ସେ ସମସ୍ତ ପ୍ରଶ୍ନର ଉତ୍ତ ଦେଇଛନ୍ତି । ଆମେ ସବୁ ଦିଗକୁ ନେଇ ତଦନ୍ତ କରୁଛୁ । ଘଟଣା ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯେଉଁ ମାନେ ଉପସ୍ଥିତଥିଲେ ସେମାନଙ୍କ ଭିଡିଓ ଫୁଟେଜକୁ ଦେଖି ସମସ୍ତଙ୍କୁ ପଚରା ଉଚରା ବା ଜେରା କରାଯିବ ବୋଲି କହିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଅବସରଗ୍ରହଣ କରିଥିବା ପୂର୍ବତନ ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ ଗୁରାଣ୍ଡି ଥାନା ଅଧିକାରିଣୀଙ୍କୁ କ୍ଲିନଚିଟ୍ ଦେଇଥିଲେ । ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଏହି ଅଧିକାରିଣୀଙ୍କୁ ତଦନ୍ତ ଘେରକୁ ନେଇ ଜେରା କରିଥିବାରୁ ସହରରେ ଚର୍ଚ୍ଚାର ବିଷୟ ପାଲଟିଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ