ଏସ୍ସିଓ ଶିଖର ସମ୍ମିଳନୀ ଜିନପିଙ୍ଗ୍ଙ୍କୁ ଭେଟିବେ ମୋଦି
ବେଜିଂ(ଏଜେନ୍ସି): ଆସନ୍ତା ୧୩ରେ କିର୍ଗିଜ୍ସ୍ତାନ୍ ରାଜଧାନୀ ବିଶକେକ୍ରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ଶିଖର ସମ୍ମିଳନୀ ଅବସରରେ ଚୀନ୍ ରାଷ୍ଟ୍ରପତି ସି. ଜିନ୍ପିଙ୍ଗ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହେବ । ଚୀନ୍ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଲୁ କାଙ୍ଗ୍ ରବିବାର ଏହି ସୂଚନା ଦେଇଛନ୍ତି । ତାଙ୍କ କହିବାନୁସାରେ ଏସ୍ସିଓ ଶିଖର ସମ୍ମିଳନୀ ପାଇଁ ଜିନ୍ପିଙ୍ଗ ଜୁନ୍ ୧୨ରୁ ୧୬ ପର୍ଯ୍ୟନ୍ତ କିର୍ଗିଜ୍ସ୍ତାନରେ ରହିବେ । ଏହି ସମୟ ମଧ୍ୟରେ ଏସ୍ସିଓ ଶିଖର ସମ୍ମିଳନୀ ଦୁଇ ଦିନ ଧରି ଅନୁଷ୍ଠିତ ହେବ । ଜୁନ୍ ୧୩ରେ ଏହା ଆରମ୍ଭ ହେବ ଓ ୧୪ରେ ଶେଷ ହେବ । ଜିନ୍ପିଙ୍ଗ୍ ଜୁନ୍ ୧୨ରେ କିର୍ଗଜସ୍ତାନ ଗସ୍ତରେ ବାହାରିଯିବେ ଓ ଏସ୍ସିଓ ଶିଖର ସମ୍ମିଳନୀରେ ଭାଗ ନେବେ । ପ୍ରକାଶଯୋଗ୍ୟ ଯେ, ଚୀନ୍ ନେତୃତ୍ୱାଧୀନ ୮ ସଦସ୍ୟ ରାଷ୍ଟ୍ର ବିଶିଷ୍ଟ ଏସ୍ସିଓ ବିଶେଷ କରି ଆର୍ଥିକ ଓ ସୁରକ୍ଷା ପ୍ରସଙ୍ଗ ଉପରେ ଆଧାରିତ । ଗତ ସପ୍ତାହରେ ଚୀନ୍ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିସ୍ତ୍ରୀ ମଧ୍ୟ ଏସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଚୀନ୍ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର ଚୂଡାନ୍ତ ହୋଇସାରିଛି । ରବିବାର ଚୀନ୍ ପକ୍ଷରୁ ମଧ୍ୟ ଏନେଇ ସ୍ପଷ୍ଟୀକରଣ ଆସିବା, ଏହାକୁ ଅଧିକ ସକାରାତ୍ମକ କରିଦେଇଛି । ଦୁଇ ନେତାଙ୍କ ପକ୍ଷରେ ଏକାଧିକ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି । ସଦ୍ୟ ସମାପ୍ତ ସପ୍ତଦଶ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏର ବିପୁଳ ବିଜୟ ପରେ ଏହା ହେବ ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ବୈଠକ ହେବ । ଅନ୍ୟପକ୍ଷେ ପାକିସ୍ତାନ କିନ୍ତୁ ଏହାକୁ ନେଇ ବ୍ୟତିବ୍ୟସ୍ତ ହୋଇପଡିଛି । ଏସ୍ସିଓ ଶିଖର ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସାକ୍ଷାତ କରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇସାରିଛି । ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଏସ୍ସିଓ ସମ୍ମିଳନୀରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ମଧ୍ୟରେ କୌଣସି ପ୍ରକାର ସାକ୍ଷାତ କିମ୍ବା ବୈଠକ ହେବାର କାର୍ଯ୍ୟକ୍ରମ ନାହିଁ । ନିକଟରେ ପାକିସ୍ତାନ ବୈଦେଶିକ ସବିବ ସୋହେଲ ମହସୁଦଙ୍କ ଭାରତ ଗସ୍ତ ପରେ, ଏସ୍ସିଓ ଶିଖର ସମ୍ମିଳନୀ ସମୟରେ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ହୋଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ତେବେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଉପରେ ସ୍ପଷ୍ଟୀକରଣ ଦେଇ ଏପ୍ରକାର କୌଣସି ସମ୍ଭାବନା ନଥିବା କହିଛନ୍ତି ।ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ରହିଛି । ଏପରିକି ଗତ ଫେବୃଆରୀ ୨୬ରେ ପାକିସ୍ତାନର ବାଲାକୋଟା ଠାରେ ଭାରତ ଆକାଶ ମାର୍ଗରୁ ଆକ୍ରମଣ କରିବା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଥିଲା । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବାପରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଶୁଭେଚ୍ଛା ଜଣାଇବା ସହ ଉଭୟ ରାଷ୍ଟ୍ର ଏକାଠି ହୋଇ ଶାନ୍ତି ଏବଂ ସମୃଦ୍ଧି ପାଇଁ କାମ କରିବାକୁ ଇଛା ପ୍ରକାଶ କରିଥିଲେ । ଫଳରେ ବନ୍ଦ ହୋଇଯାଇଥିବା ଦ୍ୱିପାକ୍ଷିକ ଆଲୋଚନା ଆଉଥରେ ଆରମ୍ଭ ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା । କିନ୍ତୁ ମୋଦି ପାକିସ୍ତାନ ପ୍ରତି ନିଜର କଠୋର ମନୋଭାବକୁ ବଦଳାଇବାକୁ ପ୍ରସ୍ତୁତ ନାହାନ୍ତି । ଏପରିକି ନିଜ ଶପଥ ଗ୍ରହଣ ଉତ୍ସବକୁ ମୋଦି ସବୁ ପଡୋଶୀ ଦେଶର ରାଷ୍ଟ୍ରମୂଖ୍ୟମାନଙ୍କୁ ଡାକିଥିବାବେଳେ ପାକିସ୍ତାନକୁ ଡାକିନଥିଲେ । ଏବେ କିର୍ଗିଜସ୍ତାନ୍ରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନର ସମ୍ମିଳନୀରେ ମଧ୍ୟ ଇମ୍ରାନ୍ଙ୍କ ସହ ମୋଦିଙ୍କ କୌଣସି ସାକ୍ଷାତ କିମ୍ବା ବୈଠକ କାର୍ଯ୍ୟକ୍ରମ ରଖାଯାଇନାହିଁ ।


