ଏସ୍ସିବିକୁ ଆସିବେ ଜଗା-ବଳିଆ ଦିଲ୍ଲୀ ଗଲେ ଦୁଇ ଡାକ୍ତର

କଟକ: ଜଗା-ବଳିଆଙ୍କୁ ଆଣିବା ପାଇଁ ଆଜି ଦିଲ୍ଲୀ ଗଲେ ଶିଶୁରୋଗ ବିଭାଗର ଦୁଇ ଜଣ ଡାକ୍ତର । ସେମାନେ ଦିଲ୍ଲୀ ଏମ୍ସରେ ପହଞ୍ଚି ଜଗା-ବଳିଆଙ୍କ ସ୍ୱାସ୍ଥାବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବେ । ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶିବ ଶଙ୍କର ବରିହା ଓ ବିଭୁ ପ୍ରସାଦ ନାୟକ ଜଗା-ବଳିଆଙ୍କୁ ନେଇ ଏସସିବି ଆସିବେ । ତାଙ୍କ ସହ ଏମସର ୩ ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଓ ଜଣେ ନର୍ସ ମଧ୍ୟ ଏସସିବି ଆସିବେ । ରାଜଧାନୀ ଏକ୍ସପ୍ରେସରେ ସେମାନଙ୍କର କଟକ ଆସିବା ବ୍ୟବସ୍ଥା ରହିଛି । ଜଗାବଳିଆଙ୍କ ପାଇଁ ଟ୍ରମା ଆଇସିୟୁ ଓ ସର୍ଜରୀ ବିଭାଗର କ୍ୟାବିନ୍ ନମ୍ବର ୨ରେ ବ୍ୟବସ୍ଥା କରାଯାଇଛି ।
କନ୍ଧମାଳ ଫିରିଙ୍ଗିଆ ବ୍ଲକର ଯୋତାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର ଦିଲ୍ଲୀ ଏମ୍ସରେ କରାଯାଇଥିଲା । ତେବେ ଦିଲ୍ଲୀ ଏମସରୁ ଚିକିତ୍ସା ପାଇଁ ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ଅଣାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେବା ପରେ ଏଥିପାଇଁ ଏସ୍ସିବିରେ ପ୍ରସ୍ତୁତ କରାଯାଇଥିଲା । ସେମାନଙ୍କ ଚିକିତ୍ସା ପାଇଁ ନ୍ୟୁରୋସର୍ଜରୀ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ସର୍ଜରୀ ବିଭାଗ, ଶିଶୁ ରୋଗ ବିଭାଗ, ନ୍ୟୁରୋଲୋଜି ବିଭାଗ, ନ୍ୟୁରୋସର୍ଜରୀ ବିଭାଗ, ଜରୁରିକାଳୀନ ମେଡିକାଲ ଅଫିସର, ଶିଶୁ ଭବନର ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ ଶତପଥୀ, ପେଡଆଟ୍ରିକ ସର୍ଜରୀ ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ନେଇ ଟିମ୍ ଗଠନ କରାଯାଇଛି । ଏଥିସହ ଏମସରେ କିପରି ଜଗା-ବଳିଆଙ୍କ ଚିକିତ୍ସା ଚାଲିଛି ସେ ସମ୍ପର୍କରେ ବିସ୍ତୃତ ଡାକ୍ତରୀ ରିପୋର୍ଟ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏମ୍ସ କର୍ତ୍ତୃପକ୍ଷଙ୍କୁ ଚିଠି ଦିଆଯାଇଛି । ଅସ୍ତ୍ରୋପଚାର ପରେ ଜଗାବଳିଆ ଦିଲ୍ଲୀ ଏମସ୍ରେ ଦୀର୍ଘ ଦୁଇ ବର୍ଷ ହେଲା ଚିକିତ୍ସିତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ