ଏୟାରଷ୍ଟ୍ରାଇକ୍ ସମ୍ପର୍କରେ ଜାଣିବାର ଅଧିକାର ଦେଶବାସୀଙ୍କର ଅଛି : ଶିବସେନା
ମୁମ୍ବାଇ(ଏଜେନ୍ସି): ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନ ମାଟିରେ କରାଯାଇଥିବା ଏୟାରଷ୍ଟ୍ରାଇକ୍ର ପ୍ରମାଣ ମାଗିବା ପ୍ରକ୍ରିୟାରେ ଏବେ ଏନ୍ଡିଏର ଅନ୍ୟତମ ପ୍ରମୁଖ ସହଯୋଗୀ ଦଳ ଶିବସେନା ମଧ୍ୟ ସାମିଲ ହୋଇଛି । ଏୟାରଷ୍ଟ୍ରାଇକ୍ ସମ୍ପର୍କରେ ଜାଣିବାର ଅଧିକାର ଦେଶବାସୀଙ୍କର ଅଛି ବୋଲି ଆଜି ଶିବସେନା ପକ୍ଷରୁ କୁହାଯାଇଛି । ଶିବସେନା ଦର୍ଶାଇଛି ଯେ, ଯେତେବେଳେ ଦେଶବାସୀ ଏସମ୍ପର୍କରେ ଜାଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ସେତେବେଳେ ଏଦିଗରେ କେନ୍ଦ୍ର ସରକାର କାହିଁକି ପଛଘୁଞ୍ଚା ଦେଉଛି? ଏପରି ପ୍ରଶ୍ନ ଦ୍ୱାରା ଦେଶର ସେନାବାହିନୀର ମନୋବଳ ଭାଙ୍ଗିଯିବାର କୌଣସି ମାନେ ହିଁ ନାହିଁ ବରଂ ଏହା ଦେଶର ସେନା ଯବାନଙ୍କୁୂ ଆଗାମୀ ଦିନରେ ଆହୁରି ଅଧିକ ପ୍ରେରଣା ଯୋଗାଇବ । ତେବେ ଏସବୁ ମଧ୍ୟରେ ଏୟାରଷ୍ଟ୍ରାଇକ୍କୁ ନେଇ ବିରୋଧୀ ଦଳ ପକ୍ଷରୁ ସ୍ୱର ଉତ୍ତୋଳନ କରାଯାଉଥିବା ବେଳେ ଏବେ ସେମାନଙ୍କ ସ୍ୱର ସହ ଶିବସେନା ମଧ୍ୟ ସ୍ୱର ମିଳାଇବା ପରେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଯାଇଛି ।