ଏ କିପରି ନାରୀ ସଶକ୍ତିକରଣ?
ଆସିକା, (ୱାଇଏନ୍ଏସ୍):ଆସିକା ବ୍ଳକ ପରିସରଭୁକ୍ତ ୨୭ଟି ପଞ୍ଚାୟତ ଓ ଏନଏସି ଅଧିନସ୍ଥ ୧୮ଟି ୱାର୍ଡ ସମେତ ସମବାୟ ସଂସ୍ଥା ଗୁଡିକର ବିଭିନ୍ନ ଜୋନ୍ରୁ ବହୁ ମହିଳା ଜନ ପ୍ରତିନିଧି ଭାବେ ଗତ କିଛି ମାସ ତଳେ ନିର୍ବାଚିତ ହୋଇସାରିଛନ୍ତି । ଏହାକୁ ସଭା ସମିତିରେ ନାରୀ ସଶକ୍ତିକରଣର ଏକ ନମୁନା କହି ଡିଣ୍ଡିମ ପିଟା ଯାଉଛି । ଆସିକା ବ୍ଳକ ପରିସରଭୁକ୍ତ ଅଧିକାଂଶ ପଞ୍ଚାୟତ ଓ ଏନଏସି ଅଧିନସ୍ଥ ବହୁ ୱାର୍ଡ ସମେତ ସମବାୟ ସଂସ୍ଥାର କେତେକ ଜୋନ୍ରେ ମହିଳା ଜନ ପ୍ରତିନିଧି ମାନେ କେବଳ ନାମକୁ ମାତ୍ର ପଦବୀରେ ଥିଲା ବେଳେ ସେମାନଙ୍କ ସ୍ୱାମୀ, ପୁତ୍ର ଓ ସମ୍ପର୍କୀୟ ମାନେ ହିଁ ପ୍ରକୃତ କ୍ଷମତା କେନ୍ଦ୍ର ପାଲଟିଛନ୍ତି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ଆସିକା ବ୍ଳକ ଓ ଏନଏସି ଅଧିନସ୍ଥ କେତେକ ଅଞ୍ଚଳର ବହୁ ଶିକ୍ଷିତା ମହିଳା ଜନପ୍ରତିନିଧି ସିଧାସଳଖ ଭାବେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପାଦନ କରି ମହିଳା ସଶକ୍ତି କରଣ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଥିଲା ବେଳେ ଅନ୍ୟ କେତେକ ମହିଳା କେବଳ ନାମକୁ ମାତ୍ର ରହିଥିବା ମତପ୍ରକାଶ ପାଉଛି । ଆସିକା ଅଞ୍ଚଳ ତଥା ଏହାର ଆଖପାଖ ଅଞ୍ଚଳର କେତେକ ବ୍ୟକ୍ତି ଆବଶ୍ୟକତା ସମୟରେ ନିଜର ସମସ୍ୟା ଜଣାଇବା ପାଇଁ ମହିଳା ଜନପ୍ରତିନିଧିଙ୍କୁ ଅଭିଯୋଗ ଓ ଗୁହାରୀ କରିବା ପରିବର୍ତ୍ତେ ସେମାନଙ୍କ ପୁତ୍ର ଓ ସ୍ୱାମୀ ଏବଂ ସମ୍ପର୍କୀୟଙ୍କୁ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରୁଥିବା ଆଲୋଚିତ ହେଉଛି । ସରକାରୀ କାର୍ଯ୍ୟାଳୟରେ ଅଧିକାଂଶ ସମୟରେ କେତେକ ମହିଳା ଜନପ୍ରତିନିଧିଙ୍କ ପରିବର୍ତ୍ତେ ସେମାନଙ୍କ ସ୍ୱାମୀ, ପୁତ୍ର ଓ ସମ୍ପର୍କୀୟ ମାନେ ଆସ୍ଥାନ ଜମାଇ କାର୍ଯ୍ୟ ହାସଲ କରୁଥିବା ଚର୍ଚ୍ଚା ହେଉଛି । ତଳସ୍ତରରୁ କିପରି ଅଧିକରୁ ଅଧିକ ମହିଳା ସକ୍ରିୟ ରାଜନୀତିରେ ଭାଗ ନେଇ ପାରିବେ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବହୁ ନାରୀ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରୁଥିଲା ବେଳେ ତାହା ଆସିକା ଅଞ୍ଚଳରେ ଶତପ୍ରତିଶତ ସଫଳତାର ସହ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହେଉଛି । ଦେଶ ସ୍ୱାଧିନତାର ୭୫ବର୍ଷ ପରେ ବି ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ପୁରୁଷ ପ୍ରାଧାନ୍ୟ ସମାଜର ର ଗୁରୁତ୍ୱ ରହିଥିବା ମତ ପ୍ରକାଶ ପାଉଛି । କେବଳ ଘର ନୁହେଁ ସମସ୍ତ କାର୍ଯ୍ୟ ସମ୍ଭାଳିବାକୁ ମହିଳା ମାନେ ସକ୍ଷମ ବୋଲି କହି ମହିଳା ମାନଙ୍କୁ ସଚେତନ ତଥା ଉତ୍ସାହିତ କରାଯାଉଛି । ଏହା ଫଳରେ ଅନେକ ମହିଳା ସକ୍ରିୟ ରାଜନୀତିରେ ଭାଗ ନେଉଛନ୍ତି ଓ ଜନପ୍ରତିନିଧି ମଧ୍ୟ ହୋଇ ପାରୁଛନ୍ତି । କିନ୍ତୁ ନିର୍ବାଚନ ଜିତିବା ପରେ ବହୁ ମହିଳା ଜନପ୍ରତିନିଧି କାଠ କଣ୍ଢେଇ ପାଲଟି ଯାଉଥିବା ବେଳେ କେବଳ ଆବଶ୍ୟକତା ସମୟରେ ଦସ୍ତଖତ କରିବାକୁ ମହିଳା ଜନପ୍ରତିନିଧିଙ୍କୁ ଖୋଜା ପଡୁଥିବା ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । କିନ୍ତୁ ପ୍ରକୃତ କ୍ଷମତା କେତେକ ମହିଳା ଜନପ୍ରତିନିଧିଙ୍କ ସ୍ୱାମୀ, ପୁତ୍ର ଓ ସମ୍ପର୍କୀୟ ମାନେ ଉପଭୋଗ କରୁଥିବା ଦେଖିବାକୁ ମିଳୁଛି । ମହିଳା ଜନପ୍ରତିନିଧି ମାନଙ୍କ ସ୍ୱାମୀ, ପୁତ୍ର ଓ ସମ୍ପର୍କୀୟ ମାନେ କୌଣସି ପରିସ୍ଥିିତିରେ ସରକାରୀ ବୈଠକରେ ଯୋଗ ଦେବା ତ ଦୂରର କଥା କୌଣସି ପରିସ୍ଥିତିରେ ସରକାରୀ ଅଫିସର ଓ ସରକାରୀ କର୍ମଚାରୀଙ୍କୁ ପରାମର୍ଶ ଦେବା ନିୟମ ନଥିବା ବେଳେ କେଉଁ ପରିସ୍ଥିତିରେ କେତେକ ମହିଳା ଜନପ୍ରତିନିଧିଙ୍କ ପୁତ୍ର, ସ୍ୱାମୀ ଓ ସମ୍ପର୍କୀୟ ବିଭିନ୍ନ କାର୍ଯ୍ୟରେ ଯେଉଁ ଭଳି ଭାବେ ଅଯଥା ହସ୍ତକ୍ଷେପ କରୁଛନ୍ତି ତାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଯେପରି ଆସିକା ଅଞ୍ଚଳରେ ଶତପ୍ରତିଶତ ସଫଳତାର ସହ କାର୍ଯ୍ୟକାରୀ ହୋଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।