ଐତିହ୍ୟ କୀର୍ତ୍ତିସ୍ଥଳରୁ ନବବର୍ଷକୁ ସ୍ୱାଗତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଦାୟ ନେଇଛି ୨୦୨୩ । ପୁରୁଣା ବର୍ଷକୁ ବିଦାୟ ଦେଇ ୨୦୨୪କୁ ସ୍ୱାଗତ କରାଯାଇଛି । ଇଂରାଜୀ ନବବର୍ଷକୁ ସ୍ୱାଗତ କରିବା ପାଇଁ ସ୍ମାର୍ଟନଗରୀ ଭୁବନେଶ୍ୱରର ପ୍ରମୁଖ ହୋଟେଲ, କ୍ଲବ ଗୁଡ଼ିକରେ ଜିରୋନାଇଟ୍ ସେଲିବ୍ରେଶନ୍ ସାଙ୍ଗକୁ ପାର୍କ ଓ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଭୋଜିଭାତ ଆସର ଦେଖିବାକୁ ମିଳିଥିଲା । ଚାରିଆଡ଼େ ଛୁଟିଥିଲା ଶୁଭେଚ୍ଛାର ସୁଅ । ରଙ୍ଗବେରଙ୍ଗ ଆତସବାଜିରେ ସାରା ସହର ଝଲସି ଉଠିଥିଲା । ଆଉ କେଉଁଠି ଲୋକେ ନାଚ, ଗୀତ, ଡ଼ିଜେର ତାଳେ ତାଳେ ମସ୍ଗୁଲ ହୋଇ ପରସ୍ପରକୁ ଶୁଭେଚ୍ଛା ଜଣାଇ ଇଂରାଜୀ ନବବର୍ଷକୁ ସ୍ୱାଗତ କରିଥିଲେ । ଏହାରି ଭିତରେ ରାଜ୍ୟର ଦୃଷ୍ଟିବାଧିତ ଫୁଟ୍ବଲ୍ ଖେଳାଳିମାନେ ଐତିହ୍ୟ କୀର୍ତ୍ତିସ୍ଥଳ ରାଜାରାଣୀ ମନ୍ଦିର ପରିସର ମଧ୍ୟରେ ନୂଆବର୍ଷକୁ ନିଆରା ଢ଼ଙ୍ଗରେ ସ୍ୱାଗତ କରିଥିଲେ । ଫୁଟ୍ବଲ୍ ଉପରେ ୱେଲକମ୍-୨୦୨୪ ଲେଖି ବେଲୁନ୍ ଉଡ଼ାଇ ନୂଆବର୍ଷକୁ ପାଳନ କରିଥିଲେ । ରାଜ୍ୟର ଦୃଷ୍ଟିବାଧିତଙ୍କ ବିକାଶ ଲାଗି କାର୍ଯ୍ୟ କରୁଥିବା ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ବୁଲ୍ସଆଇ” ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ “ବୁଲ୍ସଆଇ”ର ଅଧ୍ୟକ୍ଷ ତ୍ରିଲୋଚନ ବେଉରା, ସମ୍ପାଦକ ବାପିନା ନାୟକ, ବରିଷ୍ଠ ପରାମର୍ଶଦାତା ଚନ୍ଦ୍ରଶେଖର ପାଲ୍, ସାମାଜିକ କର୍ମୀ ସୁଶାନ୍ତ ସାହୁ, ଅମରନାଥ ସିଂହସାମନ୍ତ, ସନ୍ତୋଷୀ ଜୈନ, ପ୍ରିୟବ୍ରତ ପଣ୍ଡା, ବାଲୁକାଶିଳ୍ପୀ ସୁବଳ ମହାରଣା ପ୍ରମୁଖ ଯୋଗଦେଇ ନୂଆବର୍ଷର ନୂଆ ଆଶା, ଆକାଂକ୍ଷା, ସ୍ୱପ୍ନକୁ ନେଇ ପୁଣି ବାଟ ଚାଲିବାକୁ ପଡ଼ିବ ବୋଲି ଖେଳାଳିମାନଙ୍କୁ ନୂଆବର୍ଷର ସନ୍ଦେଶ ବୋଲି ଦର୍ଶାଇଥିଲେ ।


