ଓକିଲଙ୍କ କାରନାମା: ଖଟରେ ଶୋଇଲେ, କ୍ଷମା ମାଗିଲେ
ନୂଆଦିଲ୍ଲୀ: ଏକ ଅଜବ ଘଟଣା ନେଇ ଘରେ ରହି ମାମଲା ପରିଚାଳନା କରୁଥିବା ଜଣେ ଆଇନଜୀବୀଙ୍କ ଉପରେ ଶନିବାର ବିରକ୍ତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏ ନେଇ ବିଚାରପତି ଏସ ରବୀନ୍ଦ୍ର ଭଟ୍ଟ ସମ୍ପୃକ୍ତ ଆଇନଜୀବୀଙ୍କୁ ତାଗିଦ କରିବାରେ ସେ କ୍ଷମା ପ୍ରାର୍ଥନା କରିଛନ୍ତି । କରୋନା ମହାମାରୀ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ସମେତ ଦେଶର ଅଧିକାଂଶ ଅଦାଲତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାମଲାର ଶୁଣାଣି କରୁଛନ୍ତି । ଆଇନଜୀବୀମାନେ ଘରେ ରହି ମାମଲା ପରିଚାଳନା କରୁଛନ୍ତି । ଏପରି ଭାବେ ହରିୟାଣାର ପରିବାର ଅଦାଲତରୁ ଏକ ମାମଲା ବିହାରରର ଜେହାନବାଦକୁ ସ୍ଥାନାନ୍ତର ହେବା ମାମଲାର ଶୁଣାଣି ସମୟରେ ଜଣେ ଆଇନଜୀବୀ ସାଧାରଣ ସୌଜନ୍ୟ ରକ୍ଷା ନ କରି ଟି-ସାର୍ଟ ପିନ୍ଧିଥିବା ଓ ଖଟ ଉପରେ ଶୋଇ ନିଜର ଯୁକ୍ତି ଉପସ୍ଥାପନ କରୁଥିବା ଲକ୍ଷ୍ୟ କରିବା ପରେ ବିଚାପତି ଏସ ରବୀନ୍ଦ୍ର ଭଟ୍ଟ କ୍ଷୁବ୍ଧ ହୋଇଛନ୍ତି । ବିଚାରପତି ଭଟ୍ଟ ସମ୍ପୃକ୍ତ ଆଇନଜୀବୀଙ୍କ ଉପରେ ତୀବ୍ର ଅସନ୍ତୋଷବ୍ୟକ୍ତ କରିବା ସହ ସର୍ବନିମ୍ନ ଆଇନଗତ ସୌଜନ୍ୟ ରକ୍ଷା କରିବାକୁ ତାଗିଦା କରିଛନ୍ତି । ଆଇନଜୀବୀ ଘରେ ରହି ଅଦାଲତ କାର୍ଯ୍ୟ ପରିଚାଳନା କଲାବେଳେ ଅନ୍ତତଃ ସର୍ବନିମ୍ନ ତଥା ଶାଳୀନତା ରକ୍ଷା କରିବା ଉଚିତ । ସ୍ୱାଭାବିକ ସରେ ପିନ୍ଧୁଥିବା ପୋଷାକ କୋର୍ଟ କାର୍ଯ୍ୟ ବେଳେ ସେମାନେ ପିନ୍ଧିବା ଅନୁଚିତ ।


