ଓଡ଼ଙ୍ଗୀରେ ପାନୀୟ ଜଳ ସଙ୍କଟ ସ୍ଥିତି
ବାଲେଶ୍ୱର, (ସରୋଜ ପଣ୍ଡା):ଘରେ ଘରେ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ବହୁ ପ୍ରତିକ୍ଷିତ ବସୁଧା ଯୋଜନା କାର୍ଯ୍ୟକାରୀ ନ ହେବା କାରଣରୁ ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଓଡ଼ଙ୍ଗୀ ପଞ୍ଚାୟତରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି । ଖରାପ ହୋଇପଡ଼ିିଥିବା ଜଳ ଉତ୍ସର ମରାମତିରେ ବିଭାଗୀୟ ଉଦାସୀନତା ତଥା ନୂତନ ଜଳ ଉତ୍ସ ସ୍ଥାପନରେ ଚାଲିଥିବା ରାଜନୈତିକ ଛକପଞ୍ଝା କାରଣରୁ ସାଧାରଣ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ଗ୍ରାମବାସୀମାନେ ଆରୋପ ଉଠାଇଛନ୍ତି । ଏନେଇ ଓଡ଼ଙ୍ଗୀ ପଞ୍ଚାୟତର ନାଏବ ସରପଞ୍ଚ ଗଜେନ୍ଦ୍ର ମାଝୀଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ସୋମବାର ଜିଲ୍ଲାପାଳଙ୍କୁ ସାକ୍ଷାତ ସହ ପାନୀୟ ଜଳ ପାଇଁ ସେମାନେ ସାମ୍ନା କରୁଥିବା ସମସ୍ୟା ଓ ତାହାର ନିରାକରଣ ସମ୍ପର୍କରେ ଅବଗତ କରିଥିଲେ । ଓଡ଼ଙ୍ଗୀରେ ଥିବା ୨୦ବର୍ଷ ପୁରୁଣା ଗୋଟିଏ ପାଣି ଉତ୍ସ ସଠିକ ଢଙ୍ଗରେ କାର୍ଯ୍ୟ କରୁନଥିବା ବେଳେ ବିଭିନ୍ନ ୱାର୍ଡବାସୀଙ୍କ ପାଇଁ ସେଥିରୁ ବାହାରୁଥିବା ପାଇବ ପାଣି ପର୍ଯ୍ୟାପ୍ତ ହେଉନାହିଁ । ବିଶେଷ କରି ଏହି ପଞ୍ଚାୟତର ତଳମରା ଓ ଜୁଣଗଡିଆ ଗ୍ରାମବାସୀଙ୍କ ମଧ୍ୟରେ ଲାଗି ରହିଥିବା ପୂର୍ବ ଶତୃତା କାରଣରୁ ପାନୀୟ ଜଳ ଯୋଗାଣ ବ୍ୟାହତ ହୋଇଛି । ସେହିପରି ସିଲାଦ ଅଂଚଳରେ ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିଲେ ବି ସ୍ୱଳ୍ପ ମାତ୍ରାରେ ପାଣି ଆସୁଥିବାରୁ ତାହା ଲୋକଙ୍କ ଦୈନନ୍ଦିନ ବ୍ୟବହାର ପାଇଁ ପର୍ଯ୍ୟାପ୍ତ ହେଉନାହିଁ । ସବୁଠାରୁ ବଡ଼କଥା ହେଲା ବସୁଧା ଯୋଜନାରେ ନିଶୁଳ୍କ ପାନୀୟ ଜଳ ଯୋଜାଣ ପାଇଁ ସରକାର ଘୋଷଣା କରିଥିଲେ ସ୍ଥାନୀୟ ସରପଞ୍ଚ ଗରିବ ଗ୍ରାମବାସୀଙ୍କୁ ବିନା ଦେୟରେ ପାଣି ଦେଉ ନଥିବା ସେମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସତ୍ତ୍ୱେ ସମସ୍ୟା ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ । ଏପରିକି ବିଭାଗୀୟ ସହକାରୀ ଯନ୍ତ୍ରୀ ଗ୍ରାମର ମହିଳାମାନଙ୍କୁ ଅଶୋଭନୀୟ ଆଚରଣ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଓଡ଼ଙ୍ଗୀବାସୀ କ୍ଷୋଭର କହିଛନ୍ତି । ବାରମ୍ବାର ଦାବି ପରେ ବିଭାଗ ପକ୍ଷରୁ ଗୋଟିଏ ନଳକୂପ ସ୍ଥାପନ ପାଇଁ ନିମ୍ନ ମାନର ଯନ୍ତ୍ରାଂଶ ଲଗାଇବାକୁ ମସୁଧା ଚଳାଇଥିବା ସେମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ଓଡଙ୍ଗୀ ପଂଚାୟତରେ ଦୁଇଟି ଉଚ୍ଚ ଶକ୍ତି ସମ୍ପନ୍ନ ଗଭୀର ନଳ କୂପ ଖନନ ସହ ବସୁଧା ଯୋଜନା ଅନୁଯାୟୀ ନିଃଶୁଳ୍କ ପାନୀୟ ଜଳ ଯୋଗାଣ ପାଇଁ ସେମାନେ ଦାବି କରିଛନ୍ତି । ଏନେଇ ସେମାନେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ୱାର୍ଡ ମେମ୍ବର ଲକ୍ଷ୍ମୀପ୍ରିୟା ଦାସ ଓ ବାସନ୍ତୀ ତପସୀ, ସାମାଜିକ କର୍ମୀ ସରୋଜ କୁମାର ପରିଡା, ଜୀବନ ସାମଲ, ସୁବାସ ଖଟୁଆ, ଜଳଧର ମହତ, ବାବୁଲି ଦାସ, ବିଶ୍ୱନାଥ ନାୟକ, ମନୋଜ ଦାସ, ତପନ କୁମାର ଦାସ, କମଳାକାନ୍ତ ମହାଳିକ, ରବୀନ୍ଦ୍ର ବେହେରା, କଟି ଜେନା, ମୁକୁନ ଜେନା, ମାନସୀ ଦାସ, କୁନିମଣି ଦାସ, ଜ୍ୟୋତ୍ସ୍ନା ମହାଳିକ, ପ୍ରମିଳା କମିଳା, ଗୌରୀ ମହାଳିକ, ମାଳତୀ ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ ।


