ଓଡ଼ିଆ ଭାଷାକୁ ସରକାରୀ ମାନ୍ୟତା ଦାବୀ କରି ବାଲିଗୁଡାରୁ ପୁନଃ କଳାପତାକା ଅଭିଯାନ ଆରମ୍ଭ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଓଡ଼ିଆ ଭାଷାକୁ ସରକାରୀ ଭାବେ ପ୍ରଚଳନ କରିବା ପାଇଁ ବିଶ୍ୱ ମାତୃଭାଷା ଦିବସରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରୁ ଆରମ୍ଭ ହୋଇଛି ଭାଷା ଆନ୍ଦୋଳନ। କନ୍ଧମାଳ ଭାଷା ଆନ୍ଦୋଳନର ଆବାହକ ଅଶୋକ ପରିଡା ଙ୍କ ନେତୃତ୍ୱରେ ସ୍ଥାନୀୟ ଗାନ୍ଧୀ ଛକରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଦୀପଧୂପ ପ୍ରଜ୍ଜଳନ କରି ଓଡ଼ିଆ ଭାଷା ପ୍ରଚଳନ କରିବା ପାଇଁ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚାରି ଚାରି ଥର ଘୋଷଣା ସତ୍ତ୍ବେ ବି ଓଡିଆ ଭାଷା ସରକାରୀ ଭାବେ କାର୍ଯ୍ୟ କାରୀ ହେବାକୁ ଆବଶ୍ୟକ ନିୟମ କାନୁନ ପ୍ରଣୟନ ହେଲା ନାହିଁ। କିନ୍ତୁ ଓଡିଶା ବାସୀଙ୍କୁ ଶୋଷଣ କରୁଥିବା ନିଷ୍ଠୁର ଇଂରେଜ ଶାସକ ତତ୍କାଳୀନ ବରପୁତ୍ରମାନଙ୍କ ନିଃସ୍ୱାର୍ଥପର ଲଢେ଼ଇ ଫଳରେ ବାଧ୍ୟ ହୋଇ ଭାଷା ଭିତ୍ତିରେ ଓଡିଶା କୁ ପ୍ରଥମ ରାଜ୍ୟ ଭାବେ ମାନ୍ୟତା ଦେଇଥିଲେ ଏବଂ ଓଡ଼ିଆ ଭାଷାରେ ଶାସନ କାର୍ଯ୍ୟ ପାଇଁ ୧୯୩୭ରେ ନିର୍ଦ୍ଦେଶ ଦେଇଥିଲେ। ସ୍ୱାଧିନ ଭାରତ ରେ ଓଡିଶା ର ପ୍ରଥମ ମୂଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ୧୯୫୪ ମସିହାରେ ସମ୍ବିଧାନର ୩୪୫ଧାରା ଅନୁସାରେ ଭାଷା ଅଧିନିୟମ ଅନୁଯାୟୀ ଓଡ଼ିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ଦେଇ ପ୍ରଶାସନିକ କ୍ଷେତ୍ରରେ ସରକାରୀ କାର୍ଯ୍ୟାଳୟ ରେ ଓଡ଼ିଆ ଭାଷାରେ ଲେଖାପଢ଼ା ଆରମ୍ଭ କରିଥିଲେ।କିନ୍ତୁ ୧୯୬୩ର ଧାରା ୩ କ ଅନୁସାରେ ତତ୍କାଳୀନ ସରକାର ବିଧାନସଭାର କାର୍ଯ୍ୟ ଓଡ଼ିଆ ଭାଷା ସହ ଇଂରାଜୀ ଭାଷାରେ ହେବ ବୋଲି ଅଗଣତାନ୍ତ୍ରିକ ଭାବେ ଭାଷା ବିଧେୟକ ପାଶ କରାଇଥିବାରୁ ଏ ଯାଏ ଆମ ସମ୍ବିଧାନ ପ୍ରଦତ୍ତ ଆମ ମାତୃଭାଷା ରେ ଶାସନ କାର୍ଯ୍ୟ ହୋଇ ପାରି ନାହିଁ।ତେଣୁ ୨୦୧୫ ମସିହାରେ ଗଜାନନ ମିଶ୍ର ଓଡ଼ିଆ ଭାଷାର ସରକାରୀ ମାନ୍ୟତା ପାଇଁ ଆମରଣ ଅନଶନ ଓ ସୁବାଷ ପଟ୍ଟନାୟକ ଙ୍କ ଭାଷା ଆନ୍ଦୋଳନ ଫଳରେ ଓଡିଶା ସରକାର ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରି ଓଡ଼ିଆ ଭାଷା ପ୍ରଚଳନ ପାଇଁ ଚିଠା ପ୍ରସ୍ତୁତ କରିଥଲେ।ଏହାକୁ ଆଧାର କରି ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ଦୁଇ ଥର ସ୍ୱତନ୍ତ୍ର କ୍ୟାବିନେଟ ବସି ଘୋଷଣା ହେଲା ,କିନ୍ତୁ ଭାଷା ଆଇନ କାର୍ଯ୍ୟକାରୀ ହେଲା ନାହିଁ।ତା ବଦଳରେ ମୂଳ ଆଇନଟିକୁ ମାରି ଦେବାକୁ ଚକ୍ରାନ୍ତ କରି ଭାଷା ଆଇନଟିକୁ ଲକ୍ଷ ପଥରୁ ବିଚ୍ୟୁତ କରିବାକୁ ପ୍ରୟାଶ କରାଯାଇଛି। ଆଇନ ଉଲଂଘନ କଲେ ଦଣ୍ଡ ବିଧାନ ବ୍ୟବସ୍ଥା ଏ ଯାଏ କାର୍ଯ୍ୟକାରୀ ହେଲା ନାହିଁ।ଭାଷା ଆଇନ କାର୍ଯ କାରୀ ହେଲେ ଓଡ଼ିଶାର ଓଡ଼ିଆ ଭାଷା ଭାଷୀ ଓ ଓଡ଼ିଆ ଭାଷା ମାଆ ପାଇଁ ମଙ୍ଗଳ ହେବ। ୨୦୧୬ମସିହା ଅଗଷ୍ଟ ୧୫ସୁଦ୍ଧା ସାମଗ୍ରିକ ଭାବେ ଭାଷା ଆଇନ କାର୍ଯ୍ୟ କାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।ସାଧାରଣ ବ୍ୟକ୍ତି ଉଲଂଘନ କାରୀ ବିରୁଦ୍ଧରେ ଆଇନର ଆଶ୍ରୟ ନେଇପାରିବେ ,ଯାହା ଫାଇଲ ଭିତରେ ରହିଯାଇଛି। ତେଣୁ ଭାଷା ଆନ୍ଦୋଳନ ଓଡିଶା ର ନିଷ୍ପତ୍ତି କ୍ରମେ ସରକାର ଙ୍କୁ ସଚେତନ କରାଇବାକୁ ବାଲିଗୁଡା ଠାରେ ବିରେନ୍ଦ୍ର ଦିଗାଲ, ଚନ୍ଦନ ଜେନା, କୈବର୍ତ୍ତ ଭୋଇ ପ୍ରମୁଖ ବୁଦ୍ଧିଜୀବି, ସମାଜ ସେବୀ ଉପସ୍ଥିତ ରହି ବିଭିନ୍ନ ସ୍ଲୋଗାନ ଦେଇ ଭାଷା ଆନ୍ଦୋଳନକୁ ଆରମ୍ଭ କରିଛନ୍ତି।