ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘର ଜେଲଭରୋ ଆନ୍ଦୋଳନ
ବାଲେଶ୍ୱର, (ସରୋଜ ପଣ୍ଡା):ବିଭିନ୍ନ ଦାବି ନେଇ ଭାରତୀୟ ମଜଦୁର ସଂଘ (ବିଏମଏସ) ଅନୁବନ୍ଧିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ପକ୍ଷରୁ ବୁଧବାର ଜେଲଭରୋ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ ଆଶାକର୍ମୀଙ୍କର ଏକ ଶୋଭାଯାତ୍ରା ରେଳ ଷ୍ଟେସନ ନିକଟରୁ ବାହାରି ସହର ପରିକ୍ରମା ସହ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ପହଞ୍ଚିିଥିଲା । ସେଠାରେ ଆୟୋଜିତ ପ୍ରତିବାଦ ଓ ବିକ୍ଷୋଭ କାର୍ଯ୍ୟକ୍ରମରେ ବିଏମଏସ ରାଜ୍ୟ ସଭାପତି ପୃଥ୍ୱୀରାଜ ପଣ୍ଡା ଯୋଗଦେଇ ସମ୍ପ୍ରତି ଆଶାକର୍ମୀମାନେ ସାମନା କରୁଥିବା ବିଭିନ୍ନ ସମସ୍ୟା ଓ ତା’ର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଶାକର୍ମୀମାନେ ଅତି ନିଷ୍ଠାର ସହ କାର୍ଯ୍ୟକରି ଶିଶୁ-ମାତୃ ମୃତ୍ୟୁ ରୋକିବାରେ ସହାୟକ ହୋଇପାରିଛନ୍ତି । ଏହି ସଫଳତାକୁ ନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟ ପୁରସ୍କୃତ ହେଉଛି ।ଏହା ସତ୍ତ୍ୱେ ଆଶାକର୍ମୀଙ୍କୁ ସରକାର ଅବହେଳା କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସଭାପତି ଶ୍ରୀ ପଣ୍ଡା ଆରୋପ କରିଛନ୍ତି । ଏନେଇ ଆଶାକର୍ମୀମାନେ ନିଜ ଛୋଟ ଛୋଟ ପିଲାଙ୍କୁ ଧରି ଗତ୨୯ ତାରିଖରୁ ଭୁବନେଶ୍ୱର ରାଜରାସ୍ତାରେ ଶୀତ କାକରରେ ପଡ଼ି ରହିଛନ୍ତି । ମାତ୍ର ରାଜ୍ୟ ସରକାର ସେମାନଙ୍କ ଦାବିପ୍ରତି ଅଦୌ କର୍ଣ୍ଣପାତ ନ କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ସେ କହିଛନ୍ତି । ଆଶାକର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ ଓ ମାସିକ ସର୍ବନିମ୍ନ ୧୮ ହଜାର ଟଙ୍କା ଦରମା ସାଙ୍ଗଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ପ୍ରଦାନ କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଶ୍ରୀ ପଣ୍ଡା ଚେତାବନୀ ଦେଇଛନ୍ତି । ବିଏମଏସର ଜିଲ୍ଲା ସଭାପତି ସଙ୍ଗୀତା ରାୟ, ଜିଲ୍ଲା ସମ୍ପାଦକ ଅରୂପ କୁମାର ନାୟକ, ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶକୁନ୍ତଳା ଗୋଚ୍ଛାୟତ, ସଭାପତି ହରପ୍ରିୟା ପାଢ଼ୀ, ଜିଲ୍ଲା ସଧାରଣ ସମ୍ପାଦିକା ଜାନକୀ ରାଉଳ ପ୍ରମୁଖ ଏଥିରେ ଯୋଗଦେଇ ଭୂବନେଶ୍ୱରରେ ଜାରି ରହିଥିବା ଆଶାକର୍ମୀଙ୍କ ଆନ୍ଦୋଳନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ପୁଲିସ ବ୍ୟାରିକେଟ ଭାଙ୍ଗି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପ୍ରବେଶ କରିବାକୁ ଉପକ୍ରମ କରୁଥିବା ବେଳେ ଶତାଧିକ ଆଶାକର୍ମୀଙ୍କୁ ପୁଲିସ ଗିରଫ କରିଥିଲା । ଗିରଫ କର୍ମୀଙ୍କୁ ଗାଡ଼ିରେ ନେଇ ସହର ଉପକଣ୍ଠରେ ଛଡ଼ାଯାଇଥିବା ଜଣାଯାଇଛି । ସ୍ୱର୍ଣ୍ଣଲତା ବିଶ୍ୱାଳ, ଅପର୍ଣ୍ଣା ପ୍ରଧାନ, ଲକ୍ଷ୍ମୀପ୍ରିୟା ଦାଶ, କଳ୍ପନା ମିଶ୍ର, କଳ୍ପଲତା ଦାଶ, ତିଳୋତ୍ତମା ବେହେରା, ମଞ୍ଜୁ ବାହାଦୁର, ଦେବକୀ ଭୂୟାଁ, ସରସ୍ୱତୀ ସେନାପତି, ବାସନ୍ତୀ ମାହାନା, ଜ୍ୟୋତ୍ସ୍ନାରାଣୀ ମାହାନା, ସାବିତ୍ରୀ ପଣ୍ଡା, ଅନ୍ନପୂର୍ଣ୍ଣା ସାମଲ, ସ୍ନେହଲତା ଭୋଇ ପ୍ରମୁଖଙ୍କ ଆଜିର ବିକ୍ଷୋଭ ଓ ଜେଲଭରୋ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଭୂମିକା ତୁଲାଇଥିଲେ ।


