ବାଲେଶ୍ୱରର ନିର୍ମାଣଧୀନ ପ୍ରକଳ୍ପ ଅନୁଧ୍ୟାନ କଲେ ପୂର୍ତ୍ତମନ୍ତ୍ରୀ

ବାଲେଶ୍ୱର, (ସରୋଜ ପଣ୍ଡା):ଦୁଇଦିନିଆ ବାଲେଶ୍ୱର ଗସ୍ତରେ ଆସି ରାଜ୍ୟ ପୂର୍ତ୍ତ, ଶିଳ୍ପ ଓ ଷ୍ଟିଲ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ବିଭିନ୍ନ ଉନ୍ନୟନ ପ୍ରକଳ୍ପ କ୍ଷେତ୍ର ପରିଦର୍ଶନ ସହ କାର୍ଯ୍ୟର ଗୁଣବତ୍ତା ନେଇ ସମୀକ୍ଷା କରିଛନ୍ତି । ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ମନ୍ତ୍ରୀ ଶ୍ରୀ ମଲିକଙ୍କୁ ସ୍ୱାଗତ କରିବା ସହ ନିର୍ମାଣଧୀନ ବିଭିନ୍ନ ପ୍ରକଳ୍ପ ବୁଲି ଦେଖାଇଛନ୍ତି । ୯ କୋଟି ୭୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନବୀକରଣ ଚାଲିଥିବା ବାଲେଶ୍ୱର ସହଦେବଖୁଣ୍ଟା ବସଷ୍ଟାଣ୍ଡ, ୪୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଶୋଭାରାମପୁର ରେଲୱେ ଓଭରବ୍ରିଜ, ୪୨ କୋଟି ୬୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ଆରମ୍ଭ ହୋଇଥିବା ଅଙ୍ଗାରଗଡ଼ିଆ ରେଲୱେ ଓଭରବ୍ରିଜ, ୧୧ କୋଟି ୧୦ ଲକ୍ଷ ଟଙ୍କା ଖର୍ଚ୍ଚରେ ଆଇଟିଆଇ ପଡ଼ିଆ ଇଣ୍ଡୋର ଷ୍ଟାଡିୟମ ସମେତ ନିର୍ମାଣଧୀନ ୬୫୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ହସପିଟାଲ ପ୍ରକଳ୍ପ ପରିଦର୍ଶନ ସହ ମନ୍ତ୍ରୀ କାର୍ଯ୍ୟର ଗୁଣବତ୍ତା ତଦାରଖ କରିଛନ୍ତି । ଧାର୍ଯ୍ୟ ସମୟ ସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ୍‍ କରିବା ପାଇଁ ମନ୍ତ୍ରୀ ମଲିକ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଅପରାହ୍ଣରେ ମନ୍ତ୍ରୀ ଶ୍ରୀ ମଲିକ ହଳଦୀଦା ବାଇପାସରୁ ୬୦ ନଂ ଜାତୀୟ ରାଜପଥର ପଶ୍ଚିମବଙ୍ଗ ସୀମାନ୍ତ ପର୍ଯ୍ୟନ୍ତ ଇଣ୍ଟରଷ୍ଟେଟ ରୋଡ଼ ନିର୍ମାଣର ସ୍ଥାନ ପରିଦର୍ଶନ କରିଥିଲେ । ନିକଟ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ ଏହି ରାସ୍ତାର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଥିବା ନେଇ ମନ୍ତ୍ରୀ ଶ୍ରୀ ମଲିକ ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କର ଏହି ଗସ୍ତକାଳରେ ଦୁଇ ବିଧାୟକଙ୍କ ସମେତ ପୂର୍ତ୍ତ ବିଭାଗ ରାଜ୍ୟ ଇଂଜିନିୟର ଚିଫ (ଇଆସି) ମନରଞ୍ଜନ ମିଶ୍ର, ମୁଖ୍ୟ ନିର୍ମାଣ ଯନ୍ତ୍ରୀ(ସିସିଇ) ରଥାଙ୍ଗଧର ରାଉତ, ବାଲେଶ୍ୱରର ଦୁଇ ଅଧୀକ୍ଷଣ ଯନ୍ତ୍ରୀ ରାମଚନ୍ଦ୍ର ସେଠୀ ଓ ଅଜିତ ରାୟ, ବାଲେଶ୍ୱର ପୌରପାଳିକା ଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠୀ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ