ଓଡିଆରେ ନାମଫଳକ ଲାଗିବ କେବେ
ପାରାଦୀପ, (ଯୁଗାବ୍ଦ ନ୍ୟୁଜ) ବନ୍ଦର ନଗରୀ ପାରାଦୀପର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମେତ ବଡ ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ବେସରକାରୀ ଉଦ୍ୟୋଗ ପ୍ରଭଋତିରେ ଓଡିଆ ନାମଫଳକ ଦେଖିବାକୁ ମିଳୁନାହିଁ । ରାଜ୍ୟ ସରକାରଙ୍କ କଡା ନିର୍ଦ୍ଦେଶ ପରେ ମଧ୍ୟ ଓଡିଆରେ ନାମଫଳକ ନଲାଗିପାରିବା ଦଃୁଖ ଓ ପରିତାପର ବିଷୟ ବୋଲି ମତ୍ତ ପ୍ରକାଶ ପାଇଛି । ଓଡିଆ ଭାଷାକୁ ସମ୍ମାନ ଜଣାଇ ଓଡିଶା ସରକାର ରାଜ୍ୟର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଦୋକାନଗୁଡିକର ମାଲିକମାନେ ଓଡିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଦେଇଚନ୍ତି । ତେବେ ଏ ନେଇ ଜିଲ୍ଲା ପ୍ରଶାସନପକ୍ଷରୁ କୌଣସି ସରକାରୀ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାରେ ଏକ ପ୍ରକାରର ଧର୍ମକୁ ଆଖିଠାର ସଦୃଶ ପାଲଟିଛି । ଜିଲ୍ଲାର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟରୁ ଅଧିକାଂଶ ପ୍ରତିଷ୍ଠାନରେ ଆଜି ପର୍ଯ୍ୟନ୍ତ ଲାଗି ପାରିନି ଓଡିଆରେ ନାମଫଳକ । ଏହାର ଖିଲାପ କଲେ ଜିଲ୍ଲା ପ୍ରଶାସନ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇପାରିବାର ସରକାରୀ ନିର୍ଦ୍ଦେଶନାମା ଥିଲେ ବି ପ୍ରଶାସନର ଏଭଳି ପଦକ୍ଷେପକୁ ଭ୍ରୁକ୍ଷେପ ନକରି ବ୍ୟବସାୟିକ ପ୍ରତିଷ୍ଠାନମାନେ ଓଡିଆରେ ନାମଫଳକ ଲେଖୁନାହାଁନ୍ତି । ରାଜ୍ୟ ସରକାରଙ୍କ ଓଡିଆରେ ନାମଫଳକ ଲେଖିବା ନିର୍ଦ୍ଦେଶକୁ କେତେକ ବ୍ୟବସାୟିକ ପ୍ରତିଷ୍ଠାନ ମାଲିକମାନେ ଆଦୌ ଜାଣିନାହାଁନ୍ତି ବୋଲି କହୁଛନ୍ତି । ସରକାରଙ୍କ ଏହି ନିର୍ଦ୍ଦେଶକୁ ପ୍ରଶାସନ କେବଳ କାଗଜ କଲମରେ ସୀମିତ ରଖିଛନ୍ତି । ସେହିପରି ସରକାରୀ କାର୍ଯ୍ୟାଳୟରେ ମଧ୍ୟ ଓଡିଆ ଭାଷାକୁ ସରକାରୀ କାର୍ଯ୍ୟରେ ବ୍ୟବହାର କରାଯାଉନାହିଁ । ଉକ୍ତ ଆଇନ ଅମାନ୍ୟ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ଏଥିପ୍ରତି କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ଖାତିର କରୁନାହାଁନ୍ତି । ତୁରନ୍ତ ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହୋଇଛି ।


