ଓଡିଆ ଅସ୍ମିତାର ପ୍ରତୀକ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ପାଳିତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା ) : ଭାରତର ଯେଉଁ କେତୋଟି ସାରସ୍ୱତ ପୀଠ ରହିଛି ତନ୍ମଧ୍ୟରୁ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପବିତ୍ର ସାରସ୍ୱତ ପୀଠ ଭଞ୍ଜନଗର ସହରର କେନ୍ଦ୍ରରେ ଅବସ୍ଥିତ ଭଞ୍ଜ ସାହିତ୍ୟ ପରିଷଦରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ୮୦ତମ ସାମ୍ବତ୍ସରିକ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ସହରର ମୁଖ୍ୟ ରାସ୍ତାରେ ଥିବା ଭଞ୍ଜଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ବାଗଦେବୀ ସରସ୍ୱତୀ ଓ ଉପେନ୍ଦ୍ର ଭଞ୍ଜଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରାଯାଇଥିଲା। ମୁଖ୍ୟଅତିଥି ଭାବେ ଭଂଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ବିଶିଷ୍ଟ ଅତିଥି ଭାବେ ଡ଼ କମ୍ବୁପାଣି ପାଣି ସାମନ୍ତ, ମୁଖ୍ୟ ଆଲୋଚକ ତଥା ବକ୍ତା ଡାକ୍ତର କୃଷ୍ଣ କେଶବ ଷଡ଼ଙ୍ଗୀ, ସମ୍ମାନୀତ ଅତିଥି ଭଂଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ତଥା ନଗରପାଳ ଗୋପବନ୍ଧୁ ମହାପାତ୍ର ଓ ଭଞ୍ଜ ଗବେଷକ ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ ଓ ଅଧ୍ୟାପକ ଦୁର୍ଗା ମାଧବ ଦାଶଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିବା ବେଳେ ସଭାକାର୍ଯ୍ୟ ପରିଚାଳନା କରିଥିଲେ ଲୋକନାଥ କର। ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ୟାମା ପ୍ରସାଦ ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ନିଜର ଭଂଜ ସାହିତ୍ୟରେ ଥିବା ପ୍ରବେଶକୁ ଏକ କାବ୍ୟିକ ଝଲକ ମାଧ୍ୟମରେ ଉପସ୍ଥାପନା କରିଥିଲେ। ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ବିଧାୟକ ମାଟିର ବରପୁତ୍ର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ବୀରପୁତ୍ର ଚକରା ବିଷୋୟୀଙ୍କୁ ବିଶ୍ୱ ଦରବାରରେ ପରିଚିତ କରାଇବାକୁ ଯତ୍ପରୋନାସ୍ତି ଉଦ୍ୟମ କରୁଥିବା ବର୍ଣ୍ଣନା କରିଥିଲେ। ଓଡ଼ିଶାର ସ୍ୱନାମଧନ୍ୟ ବକ୍ତା, ବାଗ୍ମୀ, ବ୍ୟାଖ୍ୟାକାର ଡାକ୍ତର କୃଷ୍ଣ କେଶବ ଷଡ଼ଙ୍ଗୀ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଭଞ୍ଜ ସାହିତ୍ୟରେ ଜଗନ୍ନାଥଙ୍କ କଥାମୃତ ମାଧ୍ୟମରେ ଓଡ଼ିଆ ଅସ୍ମିତା ଏବଂ ଭଂଜ ସାହିତ୍ୟରେ ମହାକୁମ୍ଭରେ ସ୍ନାନ, ଆଧ୍ୟାତ୍ମିକ ଏବଂ ସମାଜ ଚେତନା, ଶବ୍ଦ ଚାତୁରୀ, ରସ ଏବଂ ସୌନ୍ଦର୍ଯ୍ୟବୋଧ, ଓଡ଼ିଆ ଅସ୍ମିତା ଭଂଜ ସାହିତ୍ୟରେ ବାରମ୍ବାର ପ୍ରତିଫଳନର ଦୃଷ୍ଟାନ୍ତ ଦେଇ ଏକ ସାରଗର୍ଭକ, ମାର୍ମିକ ଓ ତାତ୍ତ୍ୱିକ ଆଲୋଚନା କରିଥିଲେ । ସଂସ୍କୃତ ସାହିତ୍ୟ ସହିତ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟର ଉତ୍କର୍ଷ ଏବଂ କବିସୂର୍ଯ୍ୟ ବଳଦେବଙ୍କ କାବ୍ୟର ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ ସହ ଆଲୋଚନା କରି ଉପସ୍ଥିତ ଜନସାଧାରଣଙ୍କୁ ସ୍ୱକୀୟ ବାଗ୍ମିତାରେ ଅଭିଭୂତ କରିଥିଲେ । ବିଶିଷ୍ଟ ଅତିଥୁ ଡ଼ କମ୍ବୁପାଣି ସାମନ୍ତ ଭଞ୍ଜଙ୍କ କାବ୍ୟରେ ଥିବା ସକାରାତ୍ମକ ଚେତନାର ବହୁ ଦୃଷ୍ଟାନ୍ତ ଦେଇ ଭଞ୍ଜ ସାହିତ୍ୟର ଅଧ୍ୟୟନକାରୀ ଓ ଅନୁଗାମୀ ହେବାପାଇଁ ଆହ୍ୱାନ ଦେଇଥିଲେ। ସମ୍ମାନୀତ ଅତିଥି ଶ୍ରୀ ମହାପାତ୍ର ଭଂଜଙ୍କ ଅତୁଳନୀୟ କଳାକୁ ଲୋକପ୍ରିୟ କରିବାରେ ସମସ୍ତେ ହାତ ମିଳାଇ କାର୍ଯ୍ୟ କରିବା ନିମନ୍ତେ ଆହ୍ୱାନ ଦେଇଥିଲ। ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡା ଭଞ୍ଜ ସାହିତ୍ୟରେ ଥିବା ଆଳଂକାରିକତା ଏବଂ ସ୍ୱଦେଶ ପ୍ରୀତି ଭାବର ଅନେକ ଦୃଷ୍ଟାନ୍ତ ପ୍ରଦାନ କରିଥିଲେ। ସାମ୍ବାଦିକ ଲୋକନାଥ କର ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା। ବିଶିଷ୍ଟ ମଞ୍ଚଶିଳ୍ପୀ ଉପେନ୍ଦ୍ର କୁମାର ଶତପଥୀ, ଟୁନା ଜେନା, ସୀମାଞ୍ଚଳ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।