ଓଡିଶାରେ ଜଳ ଜୀବନ ମିଶନ ପାଇଁ ୮୧୨ କୋଟି ଟଙ୍କାର କେନ୍ଦ୍ରୀୟ ଅନୁମୋଦନ
ନୂଆଦିଲ୍ଲୀ : ଓଡିଶାରେ ଜଳ ଜୀବନ ମିଶନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଛନ୍ତି । ମିଶନକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ ବୋଲି ଏହି ପତ୍ରରେ ଦର୍ଶାଯାଇଛି । ଗ୍ରାମାଞ୍ଚଳରେ ଜନସାଧାରଙ୍କୁ ନିରାପଦ ପାନୀୟ ଜଳ ଯୋଗାଇଦେବା ସହ ୨୦୨୪ ସୁଦ୍ଧା ପ୍ରତି ଘରକୁ ପାଇପ ଜଳ ସଂଯୋଗ ଦେବା ଏହି ମିଶନର ଲକ୍ଷ୍ୟ । ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଲେଖିଥିବା ପତ୍ରରେ କେନ୍ଦ୍ରମନ୍ତ୍ରୀ ରାଜ୍ୟ ଏ ବାବଦରେ କମ ଅର୍ଥ ବିନିଯୋଗ କରିଥିବା ଓ ଲକ୍ଷ୍ୟ ହାସଲରେ ବିଫଳ ହୋଇଥିବା ଦର୍ଶାଇଛନ୍ତି । ୨୦୧୯-୨୦ରେ ୧୫.୬୧ ଲକ୍ଷ ଘରକୁ ପାଇପ ସଂଯୋଗ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ମାତ୍ର ୪.୩୭ ଲକ୍ଷ୍ୟ ଅର୍ଥାତ ୨୭.୯୭ଭାଗ ପରିବାରକୁ ଏହା ଯୋଗାଇଦିଆଯାଇଛି । ଏଥିପାଇଁ କମ ଅର୍ଥ ବିନିଯୋଗ ହୋଇଛି । ୨୦୧୯-୨୦ରେ ଓଡ଼ିଶାକୁ ୩୬୪.୭୪ କୋଟି ଟଙ୍କା ଯୋଗାଇଦିଆଯାଇଥିବା ବେଳେ ମାତ୍ର ୨୭୫.୦୨କୋଟି ଟଙ୍କା ଖର୍ଚ୍ଚ ହୋଇପାରିଛି । ରାଜ୍ୟ ସଂପୂର୍ଣ୍ଣ ଅର୍ଥ ବିନିଯୋଗ କରିପାରିନଥିବାରୁ କେନ୍ଦ୍ର ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଏସଙ୍କ୍ରାନ୍ତ ଯୋଜନାକୁ ତ୍ୱରାନ୍ୱିତ କରିବାରେ କି କି ଅସୁବିଧା ରହିଛି ତାହାର ସମୀକ୍ଷା କରିବାକୁ ଅନୁରୋଧ କରିଛନ୍ତି । ପତ୍ରରେ କହିଛନ୍ତି ଯେ, ପ୍ରତି ଘରକୁ ଜଳ ଯୋଗାଇଦେବାକୁ ଦେଶରେ ଅଗ୍ରାଧିକାର ଦିଆଯାଉଥିବା ବେଳେ ଏହି ଯୋଜନାକୁ ଆଗକୁ ନେବା ପାଇଁ ୦୨୦-୨୧ରେ ଓଡିଶାର ଅନୁଦାନ ୩୬୪.୭୪ କୋଟିରୁ ୮୧୨.୧୫ କୋଟିକୁ ବୃଦ୍ଧି କରାଯାଇଛି । ଖର୍ଚ୍ଚ ହୋଇନଥିବା ବଳକା 90 କୋଟି ଓ ଚଳିତ ଆର୍ଥିକ ବର୍ଷର କେନ୍ଦ୍ରୀୟ ଅନୁଦାନ ୮୧୨ କୋଟି ଓ ରାଜ୍ୟର ଅଂଶକୁ ମିଶାଇଲେ ୨୦୨୦-୨୧ରେ ଜଳ ଜୀବନ ମିଶନ ପାଇଁ ରାଜ୍ୟରେ ୧୮୦୫ କୋଟି ଟଙ୍କା ଉପଲବ୍ଧ ହେବ । ରାଜ୍ୟ ନିଜ ଭାଗ ଅର୍ଥ ବାବଦ ଅଂଶଧନ ଠିକ ସମୟରେ ଦେଇ କାର୍ଯ୍ୟକ୍ରମକୁ ଆଗେଇ ନେଲେ ଗ୍ରାମାଞ୍ଚଳରେ ଶତ ପ୍ରତିଶତ ଜଳ ସଂଯୋଗ ହୋଇପାରିବ ବୋଲି ଶ୍ରୀ ଶେଖାୱତ ତାଙ୍କ ପତ୍ରରେ ଆଶାପୋଷଣ କରିଛନ୍ତି । ଦ୍ରୁତ କାର୍ଯ୍ୟାନ୍ୱୟନ ଓ ସମୟୋଚିତ ଭାବେ କାର୍ଯ୍ୟ କରି ୨୨,୫୧୬ଟି ଗ୍ରାମକୁ ଜଳ ଯୋଗାଇ ଦେଲେ ଗରିବ ଗ୍ରାମବାସୀ ଖୁବ ଶୀଘ୍ର ଏହି ସଂଯୋଗ ପାଇପାରିବେ । ଏକ ଅଭିଯାନ ଭାବେ ଏହି କାର୍ଯ୍ୟକୁ ଆଗେଇ ନେବାକୁ ସେ ତାଙ୍କ ପତ୍ରରେ ରାଜ୍ୟକୁ ପ୍ରସ୍ତାବ ଦେଇଛନ୍ତି । ଜଳ କଷ୍ଟ ଥିବା ଗ୍ରାମାଞ୍ଚଳ, ଉତ୍ତମ ପାନୀୟ ଜଳ ମିଳୁନଥିବା ଅଞ୍ଚଳ, ଆକାଂକ୍ଷୀ ଜିଲ୍ଲା, ତଫସିଲଭୁକ୍ତ ଜାତି ଓ ଜନଜାତି ଅଧ୍ୟୁଷିତ ଗ୍ରାମ, ସାଂସଦ ଆଦର୍ଶ ଯୋଜନା ଅଧୀନରେ ଆସୁଥିବା ଗ୍ରାମଗୁଡିକୁ ଏଥିରେ ଅଗ୍ରାଧିକାର ଦେବା ପାଇଁ ପରାମର୍ଶ ଦିଆଯାଇଛି । ଯୋଜନା, ପରିଚାଳନା ଓ ଜଳ ସମ୍ପଦର ରକ୍ଷଣାବେକ୍ଷଣ ଇତ୍ୟାଦି ପାଇଁ ସ୍ଥାନୀୟ ଗ୍ରାମ, ଗୋଷ୍ଠୀ, ଗ୍ରାମପଞ୍ଚାୟତଗୁଡିକୁ ଏଥିରେ ସାମିଲ କରାଯିବା ଲାଗି ପତ୍ରରେ ଗୁରୁତ୍ଵାରୋପ କରାଯାଇଛି । ଜଳ ଜୀବନ ମିଶନକୁ ଲୋକାଭିମୁଖୀ କରିବା ପାଇଁ ସବୁ ଗ୍ରାମରେ ଗୋଷ୍ଠୀଗୁଡିକୁ ଏକଜୁଟ କରିବା ସହ ଏସମ୍ପର୍କରେ ଲୋକମାନଙ୍କୁ ଶିକ୍ଷିତ କରାଇବା ଓ ସଚେତନ କରାଇବା ଉପରେ ମଧ୍ୟ ଗୁରୁତ୍ଵାରୋପ କରାଯାଇଛି । କେନ୍ଦ୍ର ମନ୍ତ୍ରୀ ବର୍ତ୍ତମାନ ପାନୀୟ ଜଳ ଉତ୍ସଗୁଡିକ କିପରି ଦୀର୍ଘସ୍ଥାୟୀ ହେବ ତା’ଉପରେ ମଧ୍ୟ ଜୋର ଦେଇଛନ୍ତି । ମନରେଗା, ଜିଲ୍ଲା ଖଣିଜ ବିକାଶ ପାଣ୍ଠି, କାମ୍ପା, ସିଏସଆର ଫଣ୍ଡ, ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠିର ଯଥାର୍ଥ ବିନିଯୋଗ ଉପରେ ଗୁରୁତ୍ଵାରୋପ କରିଛନ୍ତି । ୨୦୨୦-୨୧ ନିମନ୍ତେ ପଞ୍ଚଦଶ ଅର୍ଥ ଆୟୋଗ କାର୍ଯ୍ୟକ୍ରମ ସମ୍ପର୍କିତ ବିନିଯୋଗ ବା ପିଆରଆଇ ବାବଦକୁ ୨,୨୫୮ କୋଟି ଟଙ୍କା ଆବଣ୍ଟିତ କରାଯାଇଥିବା ବେଳେ ଜଳ ଯୋଗାଣ ଓ ପରିମଳ ବାବଦକୁ ଶତକଡା ୫୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ ବାଧ୍ୟତାମୂଳକ କରାଯାଇଛି । ଏହି ଅର୍ଥ ଜଳ ଯୋଗାଣ, ଜଳ ଅମଳ ପ୍ରକଳ୍ପ, ଜଳ ପୂର୍ଣ୍ଣ ପ୍ରକ୍ରିୟାକରଣ ଇତ୍ୟାଦି କାର୍ଯ୍ୟରେ ବିନିଯୋଗ କରାଯିବ । କେନ୍ଦ୍ର ମନ୍ତ୍ରୀଙ୍କ ଏହି ପତ୍ର କୋଭିଡ-୧୯ ବୈଶ୍ଵିକ ମହାମାରୀ ସମୟରେ ଖୁବ ଗୁରୁତ୍ୱପୂର୍ଣ୍ଣ ମନେହୁଏ । ବର୍ତ୍ତମାନ ଜନସାଧାରଣ ସାମାଜିକ ଦୂରତ୍ଵ ରକ୍ଷା କରିବା ସହ ଜଳ ଯୋଗାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଆବଶ୍ୟକ । ଜଳ ଉତ୍ସ ନିକଟରେ ଗହଳି ନକରି ଗ୍ରାମାଞ୍ଚଳରେ ଘରକୁ ଘର ପାନୀୟ ଜଳ ଯୋଗାଣ ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ । ଏହି କାର୍ଯ୍ୟକ୍ରମ ଯୋଗୁଁ ପ୍ରବାସୀ ଶ୍ରମିକମାନେ କର୍ମ ନିଯୁକ୍ତି ପାଇବା ସହ ଏହା ଗ୍ରାମାଞ୍ଚଳ ଅର୍ଥନିତୀକୁ ମଧ୍ୟ ପ୍ରୋତ୍ସାହିତ କରିପାରିବ । ଜଳ ଶକ୍ତି ମନ୍ତ୍ରୀ ଶେଖାୱତ ତାଙ୍କ ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ଲାଗି ଶତ ପ୍ରତିଶତ ସହଯୋଗ ଯୋଗାଇବା ସହ ଭବିଷ୍ୟତରେ ଜଳ ଜୀବନ ମିଶନର କାର୍ଯ୍ୟକାରିତା ନେଇ ଖୁବ ଶୀଘ୍ର ଭିଡିଓ କନଫରେନ୍ସ ଯୋଗେ ଆଲୋଚନା କରିବା ନେଇ ପତ୍ରରେ ଉଲ୍ଲେଖ କରିଛନ୍ତି ।