ଓଡିଶାରେ ପ୍ରଥମ ଥର ପାଇଁ ଗଜପତିରେ ଝିଣ୍ଟିକା ପ୍ରଜାତିର ପଙ୍ଗପାଳଙ୍କ ଆଗମନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଓଡିଶାରେ ପ୍ରଥମ ଥର ପାଇଁ ଗଜପତି ଜିଲ୍ଲାର ଆର.ଉଦୟଗିରି ବ୍ଲକରେ ପଙ୍ଗପାଳଙ୍କ ଉପଦ୍ରବ ଦେଖାଦେଇଛି । ପଙ୍ଗପାଳଙ୍କୁ ଦମନ କରିବା ପାଇଁ କୃଷି ବିଭାଗ ସଜାଗ ରହି ପଙ୍ଗପାଳଙ୍କୁ ମାରିବା ପାଇଁ ଆଲୋକଯନ୍ତା ବ୍ୟବସ୍ଥା ଗ୍ରହଣ କରିଛି । ଘଟଣାରୁ ପ୍ରକାଶ ଯେ,ଗଜପତି ଜଲ୍ଲା ଆର.ଉଦୟଗିରି ବ୍ଲକ ମହେନ୍ଦ୍ରଗଡ ପଞ୍ଚାୟତର ପିତାପଣସ ପାହାଡ ନିକଟବର୍ତ୍ତି ଅଞ୍ଚଳରେ କାଜୁ ବଗିଚାକୁ ପଙ୍ଗପାଳ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ପଙ୍ଗପାଳ ପାଇଁ ଆସନ୍ନ ଫସଲ କ୍ଷତିକୁ କମାଇବାକୁ ଚାଷୀକୁଳ ଆତଙ୍କିତ ଥିବା ବେଳେ ଝିଣ୍ଟିକା ପ୍ରଜାତିର ପଙ୍ଗପାଳ କାଜୁ ଫସଲ ନଷ୍ଟ କରିବା ଆରମ୍ଭ କରିଛନ୍ତି । ଏହି ଝିଷ୍ଟିକା ପ୍ରଜାତିର କୀଟ କାଜୁ ଫସଲର ସବୁଜ ପତ୍ରଗୁଡିକୁ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ଏହି କୀଟ ମାନଙ୍କ ଦ୍ୱାରା ପ୍ରାୟ ୪୦ ରୁ ୫୦ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ମଧ୍ୟ ଜଣାପଡିଛି । ଏ ଘଟଣାକୁ ନେଇ ସହକାରୀ କୃଷୀ ଅଧିକାରୀ ସୁର୍ଯ୍ୟକାନ୍ତ ସେଠୀ କୀଟ ନାଶକ ସିଞ୍ଚନ କରିବା ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି ।ଏଥି ସହ ପଙ୍ଗପାଳଙ୍କୁ ଦମନ କରି ମାରିବା ପାଇଁ ୪୮ଗୋଟି ଆଲୋକଯନ୍ତା ଏଠାକୁ ଆସିଛି । ଏଗୁଡିକ ପଙ୍ଗପାଳ ଉପଦୃତ ଅଞ୍ଚଳରେ ଖଞ୍ଜାଯାଇ ସେମାନଙ୍କୁ ସମ୍ପୁଣ୍ଣ ଭାବେ ଦମନ କରାଯିବ ବୋଲି କୁହାଯାଇଛି । ସେହିପରି କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ପରମାନ୍ଦ ପରମଗୁରୁ ସ୍ଥିତିର ଅନୁଧ୍ୟାନ କରିଥିବା ଜଣାପଡିଛି । ଏହି ପଙ୍ଗପାଳଙ୍କ ଯୋଗୁଁ କିପରି ଚାଷୀମାନେ କ୍ଷତିଗ୍ରସ୍ତ ନ ହେବେ ସେଥି ପାଇଁ କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।