ଓଡିଶାର ସର୍ବବୃହତ୍ କୋଭିଡ୍-୧୯ ସ୍ୱତନ୍ତ୍ର ଡାକ୍ତରଖାନା ହାଇଟେକ୍ରେ ସ୍ଥାପନ ହେବ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଓଡିଶାର ସର୍ବବୃହତ୍ କୋଭିଡ୍-୧୯ ସ୍ୱତନ୍ତ୍ର ଡାକ୍ତରଖାନା ହାଇଟେକ୍ ପରିସରରେ ସ୍ଥାପନ ହେବାକୁ ଯାଉଛି।ଏହି କୋଭିଡ୍-୧୯ ସ୍ୱତନ୍ତ୍ର ଡାକ୍ତରଖାନା ଅତି ତୁରନ୍ତ ଆରମ୍ଭ କରିବା ପାଇଁ ସରକାର ପ୍ରସ୍ତାବ ଦେଇଛନ୍ତି।ଏହାକୁ ହାଇଟେକ୍ ତରଫରୁ ଗ୍ରହଣ କରାଯାଇଛି ବୋଲି ହାଇଟେକ୍ ଗୃପର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ ପ୍ରକାଶ କରି କହିଛନ୍ତି ଯେ,୬୫୦ଶଯ୍ୟା ବିଶିଷ୍ଟ କୋଭିଡ୍-୧୯ ସ୍ୱତନ୍ତ୍ର ଡାକ୍ତରଖାନା ସହ ୧୨୦ ଶଯ୍ୟା ବିଶିଷ୍ଟ ଆଇସିୟୁ ଡାକ୍ତରଖାନା ପାଇଁ ସରକାର ହାଇଟେକ୍ କୁ ପ୍ରସ୍ତାବ ଦେଇଛନ୍ତି ।ସାଧାରଣଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ହାଇଟେକ୍ ସବୁବେଳେ ପ୍ରସ୍ତୁତ ରହିଛି । ସରକାରଙ୍କ ଏହି ପ୍ରସ୍ତାବକୁ ବର୍ତ୍ତମାନ ର କରୋନା ଆତଙ୍କ ସମୟରେ ଏହାକୁ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ମନେକରି ଗ୍ରହଣ କରାଯାଇଛି । ଭୁବନେଶ୍ୱର ଠାରେ ଥିବା ହାଇଟେକ୍ ପରିସରରେ ଏହି ଡାକ୍ତରଖାନା ଆରମ୍ଭ ହେବାକୁ ଯାଉଛି । ଇତି ମଧ୍ୟରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର,ଡିଏମ୍ଇଟି ବି.କେ.ମହାନ୍ତି ଏବଂ ଉଚ୍ଚ କ୍ଷମତାସମ୍ପନ୍ନ ଏକ ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱର ହାଇଟେକ୍ ପରିସର ପରିଦର୍ଶନ କରି ଫେରିଛନ୍ତି ।ସରକାରଙ୍କ ମେଡିକାଲ୍ କାଉନସିଲ୍ ତରଫରୁ ଅନୁମତି ଆସିବା କ୍ଷଣି ଆଗାମୀ ୧୫ ଦିନ ମଧ୍ୟରେ ଏହି କୋଭିଡ୍-୧୯ ସ୍ୱତନ୍ତ୍ର ଡାକ୍ତରଖାନା କାର୍ଯ୍ୟାରମ୍ଭ କରିବ।ରାଜ୍ୟ ସରକାରଙ୍କ ତରଫରୁ ହାଇଟେକ୍କୁ ଏହି କୋଭିଡ୍-୧୯ ସ୍ୱତନ୍ତ୍ର ଡାକ୍ତରଖାନା ସ୍ଥାପନ ପାଇଁ ଦାୟୀତ୍ୱ ଦିଆଯାଇ ଥିବାରୁ ସରକାରଙ୍କୁ ହାଇଟେକ୍ ଗୃପ ତରଫରୁ କୃତଜ୍ଞତା ଜ୍ଞାପନ କରୁଛି ।


