ଓଡିଶାର ୨ ସହୀଦ ଯବାନଙ୍କୁ ଶୌର୍ଯ୍ୟ ଚକ୍ର ସମ୍ମାନ
ଭୁବନେଶ୍ୱର, (ୱାଇଏନ୍ଏସ୍): ଓଡ଼ିଶାର ୨ ଜଣ ଏସ୍ଓଜି କମାଣ୍ଡୋଙ୍କୁ ମରଣତୋର ଶୌର୍ଯ୍ୟ ଚକ୍ର ସମ୍ମାନ ପ୍ରଦାନ କରାଯାଇଛି । ସାହସିକତା ଓ ବୀରତ୍ୱ ପାଇଁ ଏସ୍ଓଜି କମାଣ୍ଡୋ ସୁଧୀର କୁମାର ଟୁଡୁ ଓ ଦେବାଶିଷ ସେଠୀଙ୍କୁ ଏହି ସମ୍ମାନ ମିଳିଛି । ଏହି ଅବସରରେ ଉଭୟ ସୁଧୀର ଓ ଦେବାଶିଷ ସେମାନଙ୍କ ବୀରତ୍ୱ ପାଇଁ ଓଡ଼ିଶା ପୋଲିସର ଗର୍ବ ଓ ଗୌରବ ହୋଇ ରହିବେ ବୋଲି ପୁଲିସ ଡିଜି ଅଭୟ କହିଛନ୍ତି । ସେପଟେ ଓଡ଼ିଶା ପୋଲିସକୁ ଏଥର ପ୍ରଥମ ଥର ପାଇଁ ଶୌର୍ଯ୍ୟଚକ୍ର ସମ୍ମାନ କରାଯାଉଥିବାରୁ ଏହା ରାଜ୍ୟ ପାଇଁ ଗୌରବର ବିଷୟ ବୋଲି ସେ କହିଛନ୍ତି । ସହିଦ ଦେବାଶିଷ ସେଟ୍ଟୀ ୨୦୧୩ ଅକ୍ଟୋବର ୧ ତାରିଖରେ ଓଡ଼ିଶା ପୋଲିସ୍ ରେ ଯୋଗ ଦେଇଥିଲେ । ସେ କୋରାପୁଟସ୍ଥିତ ୭ମ ବାଟାଲିୟନରୁ ପୁଲିସ କନଷ୍ଟେବଳ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୬ ମାର୍ଚ୍ଚ ୧୦ ତାରିଖରେ ଏସ୍ଓଜିରେ ସାମିଲ ହୋଇଥିଲେ । ସେହିପରି ସୁଧୀର କୁମାର ଟୁଡୁ ଓଡ଼ିଶା ପୋଲିସରେ ୨୦୧୩ ମସିହା ସେପ୍େଟମ୍ବର ୬ ତାରିଖରେ ଯୋଗ ଦେଇଥିଲେ । ସୁଧୀର କୋରାପୁଟର ୧ମ ବାଟାଲିୟନରୁରେ କନଷ୍ଟେବଳ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୮ ଜୁନ୍ ୧୦ରେ ଏସ୍ଓଜି ଯବାନ ହୋଇଥିଲେ । ୨୦୨୦ ସେପ୍ଟେମ୍ୱର ୯ ତାରିଖରେ କଳାହାଣ୍ଡି ଜିଲ୍ଲା ସିକ୍ରି ଗାଁ ନିକଟ ଜଙ୍ଗଲରେ ନକ୍ସଲଙ୍କ ସହ ସଂଘର୍ଷ ବେଳେ ଦୁଇ ଯବାନ ଦେଶପାଇଁ ପ୍ରାଣବଳି ଦେଇଥିଲେ ।