ଓଡିଶା ନାଗରିକ ମହାମଞ୍ଚର ମାଣିକପାଟଣା ସ୍ଥିତି ଅନୁଧ୍ୟାନ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଓଡିଶା ନାଗରିକ ମହାମଞ୍ଚର ଏକ ୪ ଜଣିଆ ଟିମ୍ ସମେତ ଉତ୍କଳ ସମ୍ମିଳନୀ ଗଜପତି ଜିଲ୍ଲା ଶାଖାର ସଂପାଦକ ବିନୋଦ ଚନ୍ଦ୍ର ଜେନା ଓ ସଦସ୍ୟ ଜଗଦୀଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ଓଡିଶା-ଆନ୍ଧ୍ରର ବିବାଦମାନ ଅଞ୍ଚଳ ତଥା ଗଜପତିର ଗଙ୍ଗାବାଡ ପଞ୍ଚାୟତର ମାଣିକପାଟଣା, ଗୁଡିଖୁଡି ଗାଁକୁ ଯାଇ ସେଠାର ବାସିନ୍ଦାମାନଙ୍କ ସ୍ଥିତ ଅନୁଧ୍ୟାନ କରିବା ସହିତ ଓଡିଶା ମାଟିରେ ଆନ୍ଧ୍ର ନିର୍ମାଣ କରୁଥିବା କଳିଙ୍ଗଦୋଳା ଜଳସେଚନ ପ୍ରକଳ୍ପକୁ ବୁଲି ଅନୁଧ୍ୟାନ କରିଥିଲେ । ଅନୁଧ୍ୟାନ ପରେ ଜାଣିବାକୁ ପାଇଥିଲେ ଯେ, ଓଡିଶା ସରକାର ତଥା ଗଜପତି ଜିଲ୍ଲା ପ୍ରଶାସନର ଅବହେଳା ଓ ଉଦାସୀନତା ଯୋଗୁଁ ସେଠାର ଲୋକେ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି କିନ୍ତୁ ସେମାନଙ୍କ ହୃଦୟ ଓ ପ୍ରାଣରେ ଓଡିଆତ୍ୱ ଭାବନା ରହିଛି । ସେମାନେ ଚାହୁଁଛନ୍ତି ଓଡିଶା ସରକାର ଯଦି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର ସୁବିଧା କରାଇବା ସହିତ, ସରକାରୀ ସହାୟତା ଯୋଗାଇ ଦେଲେ ସେମାନେ ଆଉ ଆନ୍ଧ୍ର ମୁହାଁ ହେବେ ନାହିଁ । ତେଣୁ ନାଗରିକ ମହାମଞ୍ଚର ସଭାପତି ପ୍ରଦ୍ୟୁମ୍ନ ଶତପଥି, ଉପସଭାପତି ବିଜୟ ପରିଡା, ସୀତା ବଲ୍ଲଭ ମହାପାତ୍ର, ମୁରଲୀ ଧର ପ୍ରମୁଖ ସେହି ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ସରକାରଙ୍କ ନିକଟରେ ଅନୁରୋଧ କରିବା ସହିତ ଗଜପତି ଜିଲ୍ଲା ପ୍ରଶାସନ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଶାବ୍ୟକ୍ତ କରିଛନ୍ତି । ଏହି ଟିମ୍ ଗଙ୍ଗାବାଡ ପଞ୍ଚାୟତ ଗସ୍ତ କରିବା ପୂର୍ବରୁ ପାରଳାଖେମୁଣ୍ଡି ଠାରେ ପହଞ୍ôଚ ବଜାର ଛକ ଠାରେ ଥିବା ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସୂଚନା ଯୋଗ୍ୟ ଯେ, ଓଡିଶା-ଆନ୍ଧ୍ର ପ୍ରଦେଶ ସୀମା ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତର ସୀମା ବିବାଦକୁ ନେଇ ଗତ ୯ ତାରିଖରେ ଓଡିଶା ମାଟିରେ ଠିଆ ହୋଇ ଓଡିଶାର ପ୍ରଶାସନିକ ଅଧିକାରୀଙ୍କୁ ଆନ୍ଧ୍ର ମନ୍ତ୍ରୀ ଯେଉଁ ଭଳି ଭାବରେ ଧମକ ଦେଲେ, ଉକ୍ତ ଘଟଣାର ଗୋଟିଏ ମାସ ବିତିବାକୁ ଯାଉଛି କିନ୍ତୁ ଗଜପତି ଜିଲ୍ଲା ପ୍ରଶାସନ କିମ୍ବା ଓଡିଶା ସରକାର କୌଣସି ପଦକ୍ଷେପ ନେଇନାହାନ୍ତି । ଯହା ଓଡିଶାର ସ୍ୱାଭିମାନ ପ୍ରତି ଆଘାତ ଦେଇଛି । ଅପରପକ୍ଷରେ ଆନ୍ଧ୍ର ପୋଲିସ ଏଥିସହିତ ଉଦ୍ଦେଶ୍ୟ ମୂଳକ ଭାବେ ଓଡିଶାର ପଞ୍ଚାୟତ ପ୍ରତିନିଧିଙ୍କ ବିରୋଧରେ ମାମଲା ରୁଜୁ କରିଛି । ଯହାକୁ ନେଇ ରାଜ୍ୟର ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏହାର ପ୍ରତିବାଦରେ ଆଜି ଓଡିଶା ନାଗରିକ ମହାମଞ୍ଚ ତଥା ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତାବୃନ୍ଦଙ୍କ ଏକ ଟିମ୍ ଗଜପତି ଜିଲ୍ଲା ଗସ୍ତରେ ଆସି ପାରଳାଖେମୁଣ୍ଡିର ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଟିମ୍ ଗଜପତି ଜିଲ୍ଲାପାଳ ଓ ଏସ୍ପିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଆନ୍ଧ୍ରମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଥିବାର ସୂଚନା ମିଳିଛି ।


