ଓଡିଶା ପରିମିଟ୍ ନଥିବା ୨୦୨ଟି ବସ୍କୁ ଯାଞ୍ଚ;ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ
ଛତ୍ରପୁର,(ଦେବଦତ୍ତ ମହାରଣା) : ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଛତ୍ରପୁର ୧୬ ନମ୍ବର ଜାତୀୟ ରାଜପଥରେ ଚାଳଚଳ ହେଉଥିବା ବିଭିନ୍ନ ଯାନବାହନ ଗୁଡିକୁ ଯାଞ୍ଚ କରିଥିଲେ । ବସ୍ ଗୁଡିକ ଯାତ୍ରୀମାନଙ୍କୁ ଧରି ଯାତ୍ରା କଲାବେଳେ କୋଭିଡ୍-୧୯ ନିୟମକୁ କଡାକଡି ପାଳନ କରୁଛନ୍ତି କି ନାହିଁ ତାହା ଉପରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ପରିବହନ ବିଭାଗ ଯାଞ୍ଚ କରିଥିଲେ । ଭୁବନେଶ୍ୱର ଅଭିମୂଖେ ଯାଉଥିବା ଟିଏନ୍୬୩ଏୟୁ-୦୯୯୪ ନମ୍ବର ତାମିଲନାଡୁ ରାଜ୍ୟ ଅଞ୍ଚଳର ଏକ ବସ୍ ଓଡିଶା ପରିମିଟ୍ ନଥିବା ନେଇ ଜରିମାନା ଆଦାୟ କରାଯାଇଥିଲା । ଏହାସହ ଭୂବନେଶ୍ୱର ଅଭିମୂଖେ ଯାଉଥିବା ଆଉ ଦୁଇଟି ଗାଡି ଠାରୁ ମଧ୍ୟ ଜରିମାନା ଆଦାୟ କରାଯାଇଛି । ଆଜି ୧୭ହଜାର, ୫ହଜାର ଓ ୪ହଜାର ଅନୁଯାୟୀ ତିନୋଟି ଗାଡି ରୁ ଏହି ଜରିମାନା ଆଦାୟ ହୋଇଛି । ସେହିପରି ଗଞ୍ଜାମ ପରିବହନ ବିଭାଗ ପକ୍ଷରୁ ୨ ତାରିଖରେ ୫୧ଟି ବସ୍, ୩ରେ ୨୫ ଟି ବସ୍, ୪ରେ ୨୯ଟି ବସ୍, ୫ରେ ୩୮ଟି ବସ୍, ୬ରେ ୨୫ଟି ବସ୍, ୭ରେ ୩୨ଟି ବସ୍ ଏବଂ ୮ ତାରିଖରେ ୨ଟି ବସ୍କୁ ଯାଞ୍ଚ କରି ପରିମିଟ୍ ଓ ଟେକ୍ସ ନଥିବା ନେଇ ଜରିମାନା ଆଦାୟ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ତହସିଲଦାର ନୀଳମାଧବ ଭୋଇ, ବିଡିଓ ଅମ୍ବିକା ପ୍ରସାଦ ଦାଶ, ଗଞ୍ଜାମ ଆରଟିଓ ସଞ୍ଜୟ କୁମାର ବିଶ୍ୱାଳ ପ୍ରମୁଖ ଆଜିର ଯାଞ୍ଚ ବେଳେ ଉପସ୍ଥିତ ଥିଲେ ।
ଓଡିଶା ପରିମିଟ୍ ନଥିବା ବାହାର ରାଜ୍ୟର ୨୦୨ଟି ବସ୍କୁ ଗଞ୍ଜାମ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ କରି ଜରିମାନା ଆଦାୟ କରାଯାଇଛି । ଫିଟନେସ୍, ପରିମିଟ ତଥା ଅନ୍ୟାନ୍ୟ କାଜଗ ପତ୍ର ନଥାଇ ଗଞ୍ଜାମରୁ ପ୍ରବାସୀ ଶ୍ରମିକମାନଙ୍କୁ ବାହାର ରାଜ୍ୟକୁ ନେଇ ଯାତ୍ରା କରୁଥିବା ବସ୍ ଗୁଡିକ ଦୁର୍ଘଟଣାଗ୍ରସ୍ତ ହୋଇ ନୀରିହ ଶ୍ରମିକମାନଙ୍କ ପ୍ରାଣହାନୀ ଘଟୁଛି । ଏହାଉପରେ ଜିଲ୍ଲା ପ୍ରଶାସନ ସଜାଗ ହୋଇଥିବା ବେଳେ ଏଦିଗରେ ତୀକ୍ଷ୍ଣ ଦୃଷ୍ଟି ଦେବା ପାଇଁ ପରିବହନ ବିଭାଗକୁ ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଗଞ୍ଜାମ ପରିବହନ ବିଭାଗ ପକ୍ଷରୁ ଗଞ୍ଜାମ ସୀମାନ୍ତ ଅଞ୍ଚଳରେ ଯାଞ୍ଚକୁ କଡାକଡି କରି ଓଡିଶା ପରମିଟ୍ ନଥିବା ନେଇ ୨୦୨ଟି ବସ୍କୁ ଧରିବାରେ ସଫଳ ହୋଇପାରିଥିଲେ । ଉକ୍ତ ବସ୍ ଗୁଡିକର ପରମିଟ୍ ଏବଂ ଟେକ୍ସ ବାବଦରେ ପ୍ରାୟ ୨୦ ଲକ୍ଷରୁ ୨୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ।