ଓଡିଶା ପ୍ରଶାସନିକ ସେବା କାର୍ଯ୍ୟରତ ଅଧିକାରୀଙ୍କୁ ଆକ୍ରମଣର ଦୃଢ ନିନ୍ଦା କରି କର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବୀ
ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଜରଡା ଥାନା ଅନ୍ତର୍ଗତ ବୁଢୀଘାଟି ଗାଁରେ ମଦ ଧରପଗଡ଼ ବେଳେ ତହସିଲଦାର ଏବଂ ଅବକାରୀ ବିଭାଗ କର୍ମଚାରୀଙ୍କୁ ମାଡ ମାରିଥିବା ଘଟଣାର ଘୋର ନିନ୍ଦା କରାଯାଇଛି । ସରକାରଙ୍କ ନିର୍ଦ୍ଦେଶ ମୁତାବକ କାର୍ଯ୍ୟ ଅନୁପାଳନ ନିମନ୍ତେ ତହସିଲଦାର ଅମୀତ୍ କୁମାର ନାୟକ ଏବଂ ଅବକାରୀ ବିଭାଗ କର୍ମଚାରୀ ମାନଙ୍କୁ ମରଣାତ୍ମକ ଆକ୍ରମଣ କରି ରକ୍ତାକୁ କରିଥିବା କାର୍ଯ୍ୟକୁ ଗଞ୍ଜାମ ଜିଲ୍ଲା ଓଡ଼ିଶା ପ୍ରଶାସନିକ ସେବା ସଂଘ ତରଫରୁ ନିନ୍ଦା କରାଯାଇଛି ଏବଂ ଏହି ଘଟଣାରେ ସଂପୃକ୍ତି ଥିବା ଉକ୍ତ ଆକ୍ରମଣ କରିଥିବା ବ୍ୟକ୍ତି ବିଶେଷଙ୍କୁ ତୁରନ୍ତ ଗିରଫ କରି ସେମାନଙ୍କ ପ୍ରତି ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଓଡିଶା ପ୍ରଶାସନିକ ସେବା ଗଞ୍ଜାମ ଶାଖା ସଂଘ ଦାବୀ କରିଛନ୍ତି । ସଂପୃକ୍ତ ଘଟଣାରେ ଆହତ ହୋଇ ବ୍ରହ୍ମପୁର ମେଡିକାଲକୁ ସ୍ନାନାନ୍ତର କରାଯାଇ ଚିକିତ୍ସିତ ହେଉଥୁବା ତହସିଲଦାର ନାୟକ ଏବଂ ଅବକାରୀ କର୍ମଚାରୀ ମାନଙ୍କୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଜା ସେମାନଙ୍କୁ ସାକ୍ଷାତ କରି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଡାକ୍ତରମାନଙ୍କୁ ପଚାରି ବୁଝିଥିଲେ । ଉକ୍ତ ସମୟରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ )ପ୍ରିୟ ରଞ୍ଜନ ପୃଷ୍ଟି, ପାତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଜିଲ୍ଲାର ଅନ୍ୟାନ୍ୟ ଓଡିଶା ପ୍ରଶାସନିକ ସେବା ସଂଘର କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ । ଓଡିଶା ପ୍ରଶାସନିକ ସେବା ଗଞ୍ଜାମ ଜିଲ୍ଲା ଶାଖାର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଲୀନା କୁମାରୀ ଖେସ୍ ଏବଂ ପ୍ରଶାସନିକ ସେବା ସଂଘର ଅନ୍ୟାନ୍ୟ ଅଧିକାରୀ ଗଣ ଗଞ୍ଜାମ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏଭଳି ନିନ୍ଦନୀୟ କାର୍ଯ୍ୟ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ରଖୁଥିଲେ ।