ଓଡିଶା ଲୋକାୟୁକ୍ତ ଆଇନ -୨୦୧୪ ସମ୍ପର୍କରେ ସଚେତନତା କର୍ମଶାଳା
କେନ୍ଦ୍ରାପଡ଼ା – କେନ୍ଦ୍ରାପଡାରେ ଓଡିଶା ଲୋକାୟୁକ୍ତ ଆଇନ -୨୦୧୪ ସମ୍ପର୍କରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଦର ମହକୁମା ପୈାରସଂସ୍ଥା ଟାଉନହଲ ପରିସରରେ ଓଡିଶା ଲୋକାୟୁକ୍ତ ଓ ରାଜ୍ୟ ଆଇନସେବା ପ୍ରାଧିକରଣର ମିଳିତ ପରିଚାଳନାରେ ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଓଡିଶା ଲୋକାୟୁକ୍ତର ଅଧ୍ୟକ୍ଷ ଜଷ୍ଟିସ ଅଜିତ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନକରି ତାଙ୍କ ଉଦବୋଧନରେ ଦୁର୍ନିତୀମୁକ୍ତ ସମାଜ ଗଠନରେ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କ ଉତ୍ତରଦାୟିତ୍ୱ ଏବଂ ସ୍ୱଛତା ଗଠନରେ ଲୋକାୟୁକ୍ତର ପରିସର ସମ୍ବଦ୍ଧରେ ଉତଥାପନକରି ସାଧାରଣ ନାଗରିକ ଏବଂ ସମସ୍ତ କର୍ମଚାରୀ ସଚେତନ ହୋଇ ରାଷ୍ଟ୍ରର ଉନ୍ନତିରେ ସାମିଲ ହେବାକୁ ସାମ୍ବିଧାନିକ ସଙ୍କଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଲୋକାୟୁକ୍ତର (ବିଚାରବିଭାଗୀୟ) ସଦସ୍ୟ ଜଷ୍ଟିସ ଦେବବ୍ରତ ସ୍ୱାଇଁ ଯୋଗଦେଇ କହିଥିଲେ ଯେ ସରକାରଙ୍କ ଲୋକାୟୁୁକ୍ତ ଆଇନ -୨୦୧୪ ଅଧିନରେ ସମସ୍ତ ସରକାରୀ ଅଧିକାରୀ, କର୍ମଚାରୀ, ନିର୍ବାଚିତ ପ୍ରତିନିଧି, ସ୍ୱେଛାସେବୀ ଅନୁଷ୍ଠାନ (ଯେଉଁମାନେ ସରକାରୀ ଅନୁଦାନପ୍ରାପ୍ତ)ଗୁଡିକ ପରିସର ଭୁକ୍ତ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଅନ୍ୟତମ ସଦସ୍ୟ ଜଷ୍ଟିସ ବିଜୟ କୁମାର ନାୟକ ଯୋଗଦେଇ ସାଧାରଣ ଜନତା ଓ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ସଚେତନତା କରିବା,ଦୁର୍ନିତୀକୁ ସଂପୂର୍ଣ୍ଣ ମୂଳତ୍ପାଟନ କରି ଦେଶର ନାଗରିକମାନଙ୍କ ସମୃଦ୍ଧି ଓ ପ୍ରଗତିର ଧାରା ବଜାୟ ରଖି ସମାଜରୁ ଦାରିଦ୍ର୍ୟ ଦ୍ୱରୀକରଣ ପାଇଁ ଓଡିଶା ଲୋକାୟୁକ୍ତ ଆଇନ-୨୦୧୪ କାର୍ଯ୍ୟକାରି କରାଯାଇଛି ବୋଲି କହିଥିଲେ । ସେହିପରି ଜିଲ୍ଲାପାଳ ସମର୍ଥ ବର୍ମା ଓ ଆରକ୍ଷୀ ଅଧିକ୍ଷକ ନୀତି ଶେଖର ଯୋଗଦେଇ ‘ମୋ ସରକାର’ଓ ୫-ଟି କାର୍ଯ୍ୟକ୍ରମରେ ସ୍ୱଛ ପ୍ରଶାସନ ଓ ସ୍ୱଛ ସେବା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଜିଲ୍ଲାଦୈାରାଜଜ ବାସୁଦେବ ପଣ୍ଡା ଅତିଥି ପରିଚୟ ପ୍ରଦାନ ସହ କର୍ମଶାଳାର ଆଭିମୁଖ୍ୟ ଓ ଉଦେଶ୍ୟ ସମ୍ପର୍କରେ ଉଦବୋଧନ ଦେଇଥିଲେ । ଲୋକାୟୁକ୍ତ ସଚିବ ମାନସରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ସଚେତନତା ସଭା ଶେଷହେବା ପରେ ଲୋକାୟୁକ୍ତ ଅଧ୍ୟକ୍ଷ ଶ୍ରୀ ସିଂ ଏକ ପତ୍ରକାର ସମ୍ମିଳନୀରେ ଓଡିଶା ଲୋକାୟୁକ୍ତ ଆଇନ -୨୦୧୪ ସମ୍ପର୍କରେ ସୂଚନା ଦେବା ସହିତ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ । ଲୋକାୟୁକ୍ତରେ କେନ୍ଦ୍ରାପଡା ଜିଲ୍ଲାରୁ ଆଜି ସୁଦ୍ଧା ୧୧୦ଟି ମାମଲା ପଞ୍ଜିକୃତ ହୋଇଥିବା ବେଳେ ସେଥିରୁ ୭୧ଟିର ଫଇସଲା ହୋଇଥିବା ସୂଚନା ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏହି ସଚେତନତା ସଭାରେ ବିଭିନ୍ନ ବ୍ଲକର ବିଡିଓ, ତହସିଲଦାର, ସିଡିପିଓ, ଲାଇନଡିପାର୍ଟମେଂଟର ଯନ୍ତ୍ରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


