ଓପିଏସ୍ ପକ୍ଷରୁ ଜାତୀୟ ପ୍ରେସ୍ ଦିିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସମୟ ବଦଳିବା ସହ ବୈଷୟିକ ଜ୍ଞାନକୌଶଳର ପ୍ରଭାବ ବିସ୍ତାର ଯୋଗୁ ସାମ୍ବାଦିକତାରେ ଅନେକ ପରିବର୍ତ୍ତନ ଘଟିଛି । ସାମ୍ବାଦିକର ସଂଜ୍ଞା କହିଲେ କିଛି ବୁଝି ହେଉନାହିଁ । ତେଣୁ ସାମ୍ବାଦିକର ସ୍ୱାଧୀନତା କଥା କ’ଣ କହିବା । ସାମ୍ବାଦିକର ଗାରିମା ପାଇଁ ଯେଉଁ ସଂଯମତା ଦରକାର ତାହା ଆଉ ନାହିଁ । ସରକାର ମଧ୍ୟ ସାମ୍ବାଦିକତାମାନଙ୍କ ହିତ ପାଇଁ ଦୃଷ୍ଟି ଦେବା ଦରକାର, କିନ୍ତୁ ତାହା ହେଉନାହିଁ । ଅନେକ ସାମ୍ବାଦିକ ଆଜି ଅବହେଳିତ । ସମ୍ବାଦ ସଂଗ୍ରହରେ କଟକଣା, ସଚିବାଳୟକୁ ପ୍ରବେଶ ଉପରେ କଟକଣା ଏସବୁକୁ ଦେଖିଲେ ସାମ୍ବାଦିକତାରେ କେତେ ସ୍ୱାଧୀନତା ମିଳୁଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।ଶନିବାର ‘ଓଡ଼ିଶା ପତ୍ରକାର ସଂଘ’ (ଓପିଏସ୍‌) ପକ୍ଷରୁ ସ୍ଥାନୀୟ ଲୋହିଆ ଭବନରେ ଜାତୀୟ ପ୍ରେସ୍ ଦିବସ-୨୦୨୪ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡ. ଅରବିନ୍ଦ ଢାଲୀ ଯୋଗଦେଇ କହିଲେ ଯେ, ନାରଦ ମୁନି ସେତେବେଳେ ସବୁ ଖବର ଜଣାଉଥିଲେ । ତେବେ ସାମ୍ବାଦିକମାନେ ସମ୍ବାଦ ସଂଗ୍ରହ କରି ସରକାରଙ୍କୁ ସଚେତନ କରୁଛନ୍ତି । ଛପା ଗଣମାଧ୍ୟମର ଚାହିଦା ରହିଛି, ଆଗକୁ ରହିବ । ସାମ୍ବାଦିକଙ୍କ ସମସ୍ୟାକୁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରି ସମାଧାନ କରିବାକୁ ଚେଷ୍ଟା କରିବାକୁ କହିଥିଲେ । ମୁଖ୍ୟବକ୍ତା ଭାବେ ବିଜେପି ମୁଖପତ୍ର ସଜ୍ଜନ ଶର୍ମା କହିଲେ ଯେ, ସମ୍ବାଦିକତା ଓ ସାମ୍ବାଦିକଙ୍କର ବୃତ୍ତି ବଦଳି ଯାଇଛି । ଏବେ ସମ୍ବାଦପତ୍ର ମାଲିକ ବେପାରୀ ହୋଇଯାଇଛନ୍ତି । ସମ୍ବାଦର ମାନ କମିଛି । ଜଣେ ସାମ୍ବାଦିକ ନିଷ୍ଠାର ସହ କାର୍ଯ୍ୟ କରି ମା’ ମାଟିର ବିକାଶ ପାଇଁ କଲମ ଚାଳନା କରିବା ଉଚିତ୍ ।ସମ୍ମାନିତ ଅତିଥି ଭାବେ କଂଗ୍ରେସ ନେତା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଯୋଗଦେଇ ସମ୍ବାଦପତ୍ର ସଂଗ୍ରହର ପ୍ରମୁଖ ସ୍ଥାନ ସଚିବାଳୟ ହୋଇଥିବା ବେଳେ ତାହାକୁ ପୂର୍ବ ସରକାର ବାଡ଼ ପକାଇଥିଲେ । ନୂଆ ସରକାର ସେ ବାଡ଼ ହଟାଇଛନ୍ତି । ସରକାର ସାମ୍ବାଦିକମାନଙ୍କ ଉନ୍ନତି ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ପୂର୍ବତନ ସୂଚନା କମିଶନର ତଥା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋଇ ଯୋଗଦେଇ ସାମ୍ବାଦିକ ଓ ସମ୍ବାଦପତ୍ର କେତେ ସ୍ୱାଧୀନ ବୋଲି ମତ ଦେଇଥିଲେ ।ସଂଘର ପ୍ରତିଷ୍ଠାତା ସଭାପତି ସୁରେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବି ରାୟ ଯୋଗଦେଇ ସାମ୍ବାଦିକଙ୍କ ସମସ୍ୟା ସମ୍ପର୍କରେ କହିଥିଲେ । ସଂଘର ସାଧାରଣ ସମ୍ପାଦକ ରାମଦାସ ଲିମା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିବା ବେଳେ ରାଜ୍ୟ ସଭାପତି ଅବିନାଶ ମିଶ୍ର ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ