ଓଲ୍ଡ୍ ରାଉମା
ଓଲ୍ଡ୍ ରାଉମା ହେଉଛି ୟୁନେସ୍କୋ ଦ୍ୱାରା ମାନ୍ୟତାପ୍ରାପ୍ତ ଏକ ବିଶ୍ୱ ଐତିହ୍ୟ ସ୍ଥଳ । ଫିନ୍ଲାଣ୍ଡର ରାଉମା ସହରର କେନ୍ଦ୍ରାଞ୍ଚଳରେ ଏହି ଓଲ୍ଡ୍ ରାଉମା ଅଞ୍ଚଳ ଅବସ୍ଥିତ । ଏହା ମୁଖ୍ୟତଃ ହେଉଛି ଏକ ସାଂସ୍କୃତିକ ଐତିହ୍ୟ ସ୍ଥଳ । ଏହାକୁ କାଠର ସହର ବୋଲି ମଧ୍ୟ କୁହାଯାଏ । ୟୁରୋପର ପୁରୁଣା ସହରାଞ୍ଚଳ ମଧ୍ୟରୁ ଏହା ଅନ୍ୟତମ । ବୋଥନିଆ ଉପସାଗର ଅଞ୍ଚଳର ଏହି ସହର ଅବସ୍ଥିତ । ୧୪୪୧ରେ ପ୍ରଥମେ ଏହି ସହର ବିଷୟରେ ଉଲ୍ଲେଖ କରାଯାଇଥିଲା । ଏଠାରେ ୧୫ଶ ଶତାଦ୍ଦୀରେ ପଥରରେ ନିର୍ମିତ ଚର୍ଚ୍ଚ ମଧ୍ୟ ଦେଖିବାକୁ ମିଳେ । ଏହି ଚର୍ଚ୍ଚରେ ମଧ୍ୟଯୁଗୀୟ ଚିତ୍ରକଳା ଦେଖିବାକୁ ମିଳେ । ଏହାର କ୍ଷେତ୍ରଫଳ ହେଉଚି କେବଳ ୦.୩ ବର୍ଗ କିମି । କିନ୍ତୁ ଏହି ଛୋଟ ସହରରେ ପ୍ରାୟ ୬୦୦ଟି ଅଟ୍ଟାଳିକା ରହିଛି । ଏଠାରେ ପ୍ରାୟ ୮୦୦ ଲୋକ ବସବାସ କରନ୍ତି । ୧୯ଶ ଶତାବ୍ଦୀରେ ଏହି ସହର ସମ୍ପ୍ରସାରଣ ହୋଇଥିଲା । ତେବେ ଏଠାରେ ଥିବା ସବୁଠୁ ପୁରୁଣା ଅଟ୍ଟାଳିକା ୧୮ଶ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା । ଏହି ସହରଟି କାଠରେ ନିର୍ମିତ ହୋଇଥିବାରୁ ୧୬୪୦ ଏବଂ ୧୬୮୨ରେ ଘଟିଥିବା ୨ଟି ବଡଧରଣର ଅଗ୍ନିକାଣ୍ଡରେ ଧ୍ୱଂସ ହୋଇଯାଇଥିଲା । କିନ୍ତୁ ପରେ ପୁଣି ସେଠାରେ ନୂଆ ଭାବେ ସହର ଗଢ଼ିଉଠିଥିଲା । ଏଠାରେ ଥିବା କିର୍ଷ୍ଟି ହାଉସ୍ ଏବଂ ମାରେଲା ହାଉସ୍ ଲୋକଙ୍କ ଆକର୍ଷଣର କେନ୍ଦ୍ର ସାଜିଥାଏ । ଏହି ଅଟ୍ଟାଳିକାଗୁଡିକ ୧୮ଶ ଶତାଦ୍ଦୀରେ ନିର୍ମାଣ କରାଯାଇଥିଲା । ସେଠାରେ ଯଥାକ୍ରମେ ଜଣେ ନାବିକ ଏବଂ ଜଣେ ଜାହାଜ ମାଲିକ ରହୁଥିଲେ । ବର୍ତ୍ତମାନ ଉଭୟ ଅଟ୍ଟାଳିକାକୁ ସଂଗ୍ରହାଳୟରେ ପରିଣତ କରାଯାଇଛି । ଏହାସହିତ ଉକ୍ତ ସହରରେ ରହିଛି ବିରଳ ପଥରରେ ତିଆରି ଅଟ୍ଟାଳିକା, ହୋଲି କ୍ରସ୍ ଚର୍ଚ୍ଚ, ଓଲ୍ଡ୍ ଟାଉନ୍ ହଲ୍ ଏବଂ ଫ୍ରାନ୍ସିସ୍କାନ୍ ମୋନଷ୍ଟି୍ର ଚର୍ଚ୍ଚ । ଏହା ମଧ୍ୟରୁ ଫ୍ରାନ୍ସିସ୍କାନ୍ ଚର୍ଚ୍ଚ ୧୫ଶ ଶତାଦ୍ଦୀରେ ନିର୍ମିତ ହୋଇଥିଲା ।