ଓସ୍ତପୁର ସୋସାଇଟିରେ ମଣ୍ଡିଧାନ ସଂଗ୍ରହରେ ବିଳମ୍ବ ଅଭିଯୋଗ
କେନ୍ଦ୍ରାପଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ଓ କଂସାର ଗ୍ରାମ ପଂଚାୟତର ନବ ନିର୍ମାଣ କୃଷକ ସଂଗଠନ ଓ ଓସ୍ତପୁର ପ୍ରାଥମିକ କୃଷି ସେବା ସମବାୟ ସମିତିର ସଭ୍ୟମାନେ ସୋମବାର ଅପରାହ୍ନରେ ବେଷାମରିକ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ଓସ୍ତପୁର ସୋସାଇଟି ଧାନମଣ୍ଡିରେ ବିଗତ ୨୦୧୮-୧୯ ଆର୍ଥିକ ବର୍ଷରେ ଅନଲାଇନରେ ଧାନକିଣା ବ୍ୟବସ୍ଥାରେ ଚାଷୀ ଓ ଧାନର ପରିମାଣରୁ ନିର୍ଦ୍ଧାରିତ ଲକ୍ଷ୍ୟ ଠାରୁ ୫୦ଭାଗ କମ ଧାନ ସଂଗ୍ରହ କରାଯାଇଥିଲା । ୧୩୮୫କୁଇଂଣ୍ଟାଲ ଧାନ କିଣିବା ପାଇଁ ମଙ୍ଗଳା ରାଇସମିଲକୁ ଲକ୍ଷ୍ୟ ମିଳିିଥିବା ବେଳେ ସେ ୪୦ରୁ ଉର୍ଦ୍ଧ୍ୱ ଚାଷୀଙ୍କ ଠାରୁ ଧାନ କିଣିଥିଲେ ମଧ୍ୟ ଏସି ନୋଟ ଦେଇନଥିଲା । ଏଥିନିମନ୍ତେ ଚାଷୀଙ୍କ ପ୍ରତିବାଦ ସତ୍ୱେ ଏବଂ ସୋସାଇଟି ପକ୍ଷରୁ ଏସମ୍ପର୍କରେ ବୈଠକରେ ପ୍ରସ୍ତାବ ଗୃହିତ ହୋଇ କତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଥିଲେବି କୈାଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । ଚଳିତବର୍ଷ ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ସେହି ଧାନମଣ୍ଡିରେ ଧାନ ସଂଗ୍ରହ ଜାନୁଆରୀ ପହିଲାରୁ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ସର୍ବନିମ୍ନ ଧାନ ସଂଗ୍ରହ କରାଯାଇଛି । ଏତଦବ୍ୟତିତ ଚଳିତ ବର୍ଷ ବିଗତ ବର୍ଷର ଡିଫଲଟର ମଙ୍ଗଳା ରାଇସମିଲକୁ ସର୍ବାଧିକ ଧାନ ସଂଗ୍ରହ ନିମନ୍ତେ ଟାର୍ଗେଟ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି । ଯଦି ଏଭଳି ଭାବରେ ମଣ୍ଡିରୁ ଧାନ ସଂଗ୍ରହ କରାଯାଏ ତେବେ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ସମୟ ମଧ୍ୟରେ ଅନଲାଇନରେ ଥିବା ଚାଷୀମାନଙ୍କ ଧାନ ବିକ୍ରୟ ହେବା ନେଇ ଆଶଙ୍କା ପ୍ରକାଶ ପାଇଥିବା ବେଳେ ଧାନର ଅଭାବି ବିକ୍ରୀ ହେବା ସହ ଚାଷୀ ହତାସ ହେବାର ସମ୍ଭାବନା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ଓସ୍ତପୁର ସମବାୟ ସମିତିର ଧାନ ସଂଗ୍ରହକୁ ଆଗାମୀ ୭ଦିନ ମଧ୍ୟରେ ତ୍ୱରାନ୍ୱିତ କରାଯାଇ ଅନଲାଇନରେ ଥିବା ସମସ୍ତ ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କରାନଗଲେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଗାମୀ ଦିନରେ ଏହାର ପ୍ରତିବାଦରେ ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ ସହିତ ରାସ୍ତାରୋକ,ସି.ଏସ.ଓ.ଙ୍କ ଅଫିସ ଏବଂ ସୋସାଇଟି ଅଫିସରେ ତାଲା ପକାଯିବ ବୋଲି ନବ ନିର୍ମାଣ କୃଷକ ସଂଗଠନର ବ୍ଲକ ସଂଯୋଜକ ରବିନ୍ଦ୍ର ମହାପାତ୍ର, ଅମ୍ବରିଶ ପରିଡା, ହୃଷିକେଶ ନାୟକ, ମଧୁସୁଦନ ରାଉତ, ଶୁକଦେବ ରାଉତ, ରତ୍ନାକର ମହାନ୍ତି, ମାଗୁଣି ଚରଣ ସାମଲ, ବିଘ୍ନେଶ ସ୍ୱାଇଁ, ମଦନମୋହନ ନାୟକ, ଗୋବିନ୍ଦ ନାୟକ, ପଦ୍ମନାଭ ନାୟକ, ମିନକେତନ ନାୟକ, ଜୟନ୍ତ ନାୟକ, ପ୍ରମୋଦ କୁମାର ସ୍ୱାଇଁ, ବିଜୟ କୁମାର ପ୍ରଧାନ, ସଞ୍ଜୟ କୁମାର ମହାନ୍ତି, ସ୍ମୃତିରଞ୍ଜନ ସ୍ୱାଇଁ ପ୍ରମୁଖ ଶତାଧିକ ଚାଷୀ ଚେତାବନି ଦେଇଛନ୍ତି । ଏଥିସହିତ ଚାଷୀମାନେ ଜିଲ୍ଲାପାଳ ଓ ସମବାୟ ମନ୍ତ୍ରୀଙ୍କୁ ମଧ୍ୟ ଏସମ୍ପର୍କରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି ।


