ଓଡ଼ିଆ ଭାଷାକୁ ଗୁରୁତ୍ୱ ପ୍ରଦାନରେ ପ୍ରଶାସନର ବିଳମ୍ବ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ୧୯୩୬ ମସିହା ଏପ୍ରିଲ ପହିଲାରୁ ଓଡିିଆ ଭାଷାଭାଷୀ ଅଂଚଳକୁ ନେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲେ ମଧ୍ୟ ହିଞ୍ଜିଳିକାଟୁ ସହର ଏବଂ ଏହାର ଆଖପାଖ ଅଂଚଳରେ ଥିବା ଅଧିକାଂଶ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଓଡିଆ ଭାଷାକୁ ଗୁରୁତ୍ୱ ଦିଆଯାଉନଥିବାରୁ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସରକାର ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ସୋମବାର ଦିନ ଉକ୍ରଳ ଦିବସ ପାଳନ କରାଯାଇଥିବା ବେଳେ ଓଡ଼ିଆ ଭାଷାକୁ ଯେତିକି ଗୁରୁତ୍ୱ ଦିଆଯିବା କଥା ସେତିକି ପରିମାଣରେ ବହୁ ସରକାରୀ ସଂସ୍ଥାରେ କାର୍ଯ୍ୟକାରୀ ହେଉନଥିବା ଦେଖିବାକୁ ମିଳୁଛି । ଗ୍ରାମାଂଚଳ ଓ ସହରାଂଚଳରେ ବସବାସ କରୁଥିବା ବହୁ ଅଶିକ୍ଷିତ ଓ ଅପାଠୁଆ ଜନତା ସେମାନଙ୍କ ଅଭିଯୋଗ ଏବଂ ଆବେଦନ କରୁଥିବା ବହୁ ଦଲିଲରେ ଟିପ ଚିହ୍ନ ରଖୁଥିବା ବେଳେ ସେମାନଙ୍କୁ ପ୍ରତି ଥର ମିଳୁଛି ଇଁରାଜୀ ଭାଷାରେ । ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେବା ଲାଗି ବାରମ୍ବାର ଦାବୀ ସତ୍ୱେ ଏଯାବତ୍ ଓଡ଼ିଆ ଭାଷାରେ ଚିଠିର ଆଦାନ ପ୍ରଦାନ ହୋଇପାରିନଥିବା ଲକ୍ଷ୍ୟ କରାଯାଉଛି । ସବୁ ସ୍ତରରେ ମାତୃଭାଷା ଓଡ଼ିଆ ପ୍ରଚଳନ ଲାଗି ଦୀର୍ଘ ବର୍ଷ ହେଲା ବିଭିନ୍ନ ମହଲରେ ଦାବୀ ହୋଇ ଆସୁଥିଲା । ସଂସଦରେ ଏଥି ସକାଶେ ସମ୍ବିଧାନ ସଂଶୋଧନ ଆଇନ ବିଲ ଗୃହୀତ ହୋଇଥିଲା । ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିଲା । ପରିଶେଷରେ ନାମ ପରିବର୍ତନ କରାଯାଇ ଓଡ଼ିଶା ହୋଇଥିଲା । ସରକାରୀ ସ୍ତରରେ ଓଡ଼ିଆ ଭାଷା ପ୍ରଚଳନ ହେବାର ସାଧାରଣ ଜନତା ଆଶା କରିଥିଲେ । ହେଲେ ସେହି ସ୍ୱପ୍ନ ଦୀର୍ଘ ଦିନ ଧରି ବିତିଯାଇଥିଲେ ମଧ୍ୟ ତାହା ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇପାରିନାହିଁ । ଅପର ପକ୍ଷରେ ସମସ୍ତ ସରକାରୀ ଓ ବେସରକାରୀ ବ୍ୟବସାୟ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଗୁଡ଼ିକରେ ନାମ ଫଳକ ଓଡ଼ିଆ ଭାଷାରେ ଲେଖାଯିବା ପାଇଁ ନିର୍ଦ୍ଦେଶନାମା ଜାରୀ କରାଯାଇଥିଲେ ମଧ୍ୟ ବହୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଇଁରାଜୀ ନାମଫଳକ ବଦଳାଯାଉନାହିଁ । ଏପରିକି ରାଜନେତା ମାନଙ୍କ ଗ୍ରସ୍ତ କାର୍ଯ୍ୟକ୍ରମରେ ନିମନ୍ତ୍ରଣ ପତ୍ର ଇଁରାଜୀ ଭାଷାରେ ଲେଖା ହେଉଥିବାର ଦେଖିବାକୁ ମିଳୁଛି । ହିଞ୍ଜିଳିକାଟୁ ଅଂଚଳରେ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦିଆଯାଉନଥିବା ଯୋଗୁଁ ବୁଦ୍ଧିଜୀବି ମହଲରେ ଉଦବେଗ ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତୁପକ୍ଷ ତୁରନ୍ତ ଧ୍ୟାନ ଦେଇ ଓଡ଼ିଆ ଭାଷାର ବ୍ୟାପକ ପରିପ୍ରକାଶ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି ।