ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତିଙ୍କୁ ବାଲେଶ୍ୱରରେ ଭବ୍ୟ ସମ୍ବର୍ଦ୍ଧନା : ଉଚ୍ଚ ନ୍ୟାୟାଳୟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବି କଲା ଓକିଲ ସଂଘ

ବାଳେଶ୍ୱର, (ସରୋଜ ପଣ୍ଡା): ଜିଲା ଗସ୍ତ ଅବସରରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ.ମୁରଲୀଧରଙ୍କୁ ବାଲେଶ୍ୱର ଓକିଲ ସଂଘ ପକ୍ଷରୁ ଶନିବାର ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଘର ସଭାପତି ଆଇନଜୀବୀ ମନୋଜ ନାୟକ ଅଧ୍ୟକ୍ଷତା ସହ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ନିକଟରେ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ । ବିଶେଷ କରି ବାଲେଶ୍ୱରରେ ଉଚ୍ଚ ନ୍ୟାୟାଳୟର ଏକ ସ୍ଥାୟୀ ବେଞ୍ଚ ସହ ଆବଶ୍ୟକ ଅନ୍ୟାନ୍ୟ ବିଭାଗର ଅଦାଲତ ପ୍ରତିଷ୍ଠା ପାଇଁ ସେ ଦାବି ଜଣାଇଥିଲେ । ଏଥି ସହିତ ବାଲେଶ୍ୱରର ଅଦାଲତ ଗୁଡିକରେ ଖାଲି ପଡ଼ିଥିବା ବିଚାରପତି ପଦବୀ ପୂରଣ, ଆଇନଜୀବୀଙ୍କ ନିମନ୍ତେ ଅତ୍ୟାଧୁନିକ ସୁବିଧା ସୁଯୋଗ ସମ୍ବଳିତ ସ୍ୱତନ୍ତ୍ର ବାର ହଲ ପ୍ରତିଷ୍ଠା ସମ୍ପର୍କରେ ସଂଘ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା । ଏହି ଅବସରରେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ସହ ଆଇନଜୀବୀମାନେ ମୁଖ୍ୟ ବିଚାରପତି ଶ୍ରୀ ମୁରଲୀଧରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧିତ ଅବସରରେ ଶ୍ରୀ ମୁରଲୀଧର ସମସ୍ତଙ୍କୁ ସାଧୁବାଦ ଜଣାଇବା ସହ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ତଥା ବିଚାର ପ୍ରକ୍ରିୟା ତ୍ୱରାନ୍ୱିତ କରିବାରେ ବିଚାର ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଆଇନଜୀବୀମାନଙ୍କ ସହଯୋଗ କାମନା କରିଥିଲେ । ଆଇନଜୀବୀଙ୍କ ପାଇଁ ବାର ଏନ୍ତୁଡ଼ିଶାଳ ହୋଇଥିବା ବେଳେ ଏହାର ଉନ୍ନତି ହିଁ ସେମାନଙ୍କ ଦକ୍ଷ କରିଥାଏ ବୋଲି ସେ କହିଥିଲେ । ବାଲେଶ୍ୱର ବିଚାର ବିଭାଗର ବିଭିନ୍ନ ସମସ୍ୟା ସମ୍ପର୍କରେ ସେ ଅବଗତ ଥିବା ବେଳେ ପର୍ଯ୍ୟାୟ କ୍ରମେ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ବିଚାରପତି ଶ୍ରୀ ମୁରଲୀଧର କହିଥିଲେ । ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବିବାରପତି ଏବଂ ବିଭାଗୀୟ କର୍ମଚାରୀଙ୍କ ସହ ସମନ୍ୱୟ ରକ୍ଷା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ବାଲେଶ୍ୱର ବିଚାର ବିଭାଗ ଦାୟିତ୍ୱରେ ଥିବା ଉଚ୍ଚ ନ୍ୟାୟାଳୟର ବିଚାରପତି ଦେବବ୍ରତ ଦାଶ ଏହି ଅବସରରେ ଉପସ୍ଥିତ ରହି ପ୍ରଯୁକ୍ତି ବିଦ୍ୟା ସମ୍ବଳିତ ମାମଲା ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ବାଲେଶରରେ ଆଇନଜୀବୀଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ସେ ସୂଚନା ଦେଇଥିଲେ । ବାଲେଶ୍ୱର ଜିଲା ଓ ଦୌରା ଜଜ ହୀରଣ୍ମୟ ବିଶୋଇ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ମୁଖ୍ୟ ବିଚାରପତି ଶ୍ରୀ ମୂରଲୀଧର ଓ ବିଚାରପତି ଶ୍ରୀ ଦାଶ ଅଦାଲତ ପରିସରରେ ଥିବା କୁଳବୁଦ୍ଧ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କରିଥିଲେ । ଓକିଲ ସଂଘର ସମ୍ପାଦକ ସମ୍ବିତ କୁମାର ନନ୍ଦୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ବାର ଆସୋସିଏସନର ସମସ୍ତ କର୍ମକର୍ତାଙ୍କ ସମେତ ବହୁ ବରିଷ୍ଠ ଆଇନଜୀବୀ ଏଥିରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ