ଓଡ଼ିଶା ଏଚ୍‌.ଏମ୍‌.ଏସ୍‌.ର କର୍ମକର୍ତ୍ତା ବୈଠକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଓଡ଼ିଶା ହିନ୍ଦ୍ ମଜଦୁର ସଭାର ରାଜ୍ୟ କର୍ମକର୍ତ୍ତାମାନଙ୍କ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନ୍ୟତମ କାର୍ଯ୍ୟକାରୀ ସଭାପତି ଭାବେ ପୂର୍ବତନ ବିଧାୟକ ଓ ମୁନିିସିପାଲ କର୍ମଚାରୀ ମହାସଂଘର ସଭାପତି ପ୍ରଭାତ ତ୍ରିପାଠୀ ଏବଂ ଶ୍ରମିକ ନେତା ରବି ରଥଙ୍କୁ ଅନ୍ୟତମ ଉପସଭାପତି ଭାବରେ ନିର୍ବାଚିତ କରାଗଲା । ସମଗ୍ର ଦେଶରେ ପେଟ୍ରୋଲ, ଡ଼ିଜେଲ, ଜାଳେଣୀ ଗ୍ୟାସ୍‌, ଖାଇବା ତେଲ ଏବଂ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଖାଉଟି ଜିନିଷପତ୍ରର ଦରଦାମ ଯେଉଁଭଳି ଅତ୍ୟଧିକ ଭାବେ ବୃଦ୍ଧି ପାଉଛି ତହିଁରେ ଉଦ୍‌ବେଗ ପ୍ରକାଶ କରାଯାଇଥିଲା । ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ବ୍ୟାପକ ଗଣଆନ୍ଦୋଳନକୁ ଗଢି ତୋଳିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ଦୀର୍ଘ ବର୍ଷେକାଳ ଚାଲିଥିବା କୃଷକ ଆନ୍ଦୋଳନ ନିକଟରେ ପ୍ରଧାନମନ୍ତ୍ରୀ ମୁଣ୍ଡ ନୁଆଇଁ ୩ଟିଯାକ କଳା କୃଷି କାନୁନ ପ୍ରତ୍ୟାହାର ଘୋଷଣା କରିଥିଲେ ମଧ୍ୟ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପରିପ୍ରେକ୍ଷୀରେ ତୁରନ୍ତ ଆଇନ ପ୍ରଣୟନ କରାନଯିବା ପର୍ଯ୍ୟନ୍ତ କୃଷକ ମାନଙ୍କ ଆନ୍ଦୋଳନ ଚାଲୁ ରଖିବାକୁ ନେଇଥିବା ନିଷ୍ପତ୍ତିକୁ ଆଜିର ବୈଠକରେ ସ୍ୱାଗତ କରାଗଲା । ଏତଦ୍‌ବ୍ୟତୀତ ଆନ୍ଦୋଳନ ଚାଲୁଥିବା ମଧ୍ୟରେ ମୃତ୍ୟୁବରଣ କରିଥିବା କୃଷକମାନଙ୍କୁ ସହିିଦ ଘୋଷଣା କରିବା ସହିତ ସେମାନଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ବାବଦରେ ପର୍ଯ୍ୟାପ୍ତ ସହାୟତା ଦେବା ପାଇଁ ଏହି ବୈଠକରେ ଦାବୀ କରାଗଲା । କେନ୍ଦ୍ର ସରକାର ଶ୍ରମିକ ବିରୋଧୀ ଓ ପୁଞ୍ଜିପତି ମାନଙ୍କୁ ସୁହାଇଲା ଭଳି ଯେଉଁ ୪ଟି ଶ୍ରମ କୋଡ଼ କରିଛନ୍ତି ଏହି ବୈଠକରେ ତାହାର ନିନ୍ଦା କରାଯାଇଥିଲା ଓ ପ୍ରତ୍ୟାହାର କରାଯିବାକୁ ଦବାୀ କରାଯାଇଥିଲା । ଶ୍ରମିକ ସଂଗଠନ ଆନ୍ଦୋଳନକୁ କୃଷକ ସଂଗଠନ ସମର୍ଥନ ଜଣାଇଥିବାରୁ ବୈଠକରେ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ଧାରାବାହିକ ଭାବରେ ରାଷ୍ଟ୍ରାୟତ ଉଦ୍ୟୋଗୁଡ଼ିକୁ ଶାଗ, ମାଛ ମୂଲ୍ୟରେ ପୁଞ୍ଜିପତି ମାନଙ୍କ ହାତରେ ଟେକି ଦେଉଥିବାରୁ ତାହାର ତୀବ୍ର ନିନ୍ଦା କରାରଯାଇଥିଲା । ରାଜ୍ୟ ଓ ଦେଶରେ ଚାଲିଥିବା ନାରୀ ନିର୍ଯ୍ୟାତନା ଯୋଗୁ ବୈଠକରେ ଘୋର ଉଦ୍‌ବେଗ ପ୍ରକାଶ ପାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରୀୟ ଉପସଭାପତି ତଥା ପୂର୍ବତନ ବିଧାୟକ ରଜେନ୍ଦ୍ର ପ୍ରସାଦ ସିଂହ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ନାଥ ଯାଦବ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ସମେତ ରାଜ୍ୟ କର୍ମକର୍ତ୍ତା ଓ ବିଶିଷ୍ଟ ନେତୃବୃନ୍ଦ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ