ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଅଧିକାର ଯାତ୍ରା-୩ ଓ ୪୭ତମ ଦିବସ ମହାସମାବେଶ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ରାଜ୍ୟ ସଭାପତି ବିଶ୍ୱରଞ୍ଜନ ଦାସଙ୍କ ନେତୃତ୍ୱରେ ଅଧିକାର ଯାତ୍ରା-୩ର ୪୭ତମ ଦିବସର ମହାସମାବେଶ ଏବଂ ଶୋଭାଯାତ୍ରା ଲୋୟର ପିଏମ୍ଜି ଧାରଣାସ୍ଥଳରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଗୋଟିଏ ଦାବି ପ୍ରତି ସରକାର ବାରମ୍ବାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ସଂଘ ତରଫରୁ ବିଭିନ୍ନ ସମୟରେ ଅଧିକାର ଯାତ୍ରା-୧, ଅଧିକାର ଯାତ୍ରା-୨ରେ ବହୁ କାର୍ଯ୍ୟକ୍ରମ ପୂର୍ବରୁ ହାତକୁ ନିଆଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ଅଧିକାର-୩ ଯାତ୍ରା ମହାସମାବେଶ ଅନୁଷ୍ଠିତ ହୋଇଛି । ସଂଘର ପ୍ରମୁଖ ଦାବି ହେଉଛି ଓଡ଼ିଶା ସରକାର ୨୦୦୮ ପରିବର୍ତ୍ତୀ ଅନୁଦାନ ଏବଂ ଅଣ ଅନୁଦାନ ମହାବିଦ୍ୟାଳୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ସମସ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ଅନୁଦାନ ପ୍ରଦାନ କରନ୍ତୁ । ଏହି ଦାବି ପୂରଣ ପାଇଁ ସଂଘ ତରଫରୁ ୨୦୧୬ରୁ ୨୦୨୧ ମସିହା ପର୍ଯ୍ୟନ୍ତ ବିଧାନସଭାର ସବୁ ଅଧିବେଶନରେ ଅହୋରାତ୍ର ଧାରଣା ଦେଇ ଆସିଛନ୍ତି ଏବଂ କଟକରୁ ଭୁବନେଶ୍ୱର ୨୭ କିଲୋମିଟର ପଦଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାବିପତ୍ର ପ୍ରଦାନ କରି ଅଧିକାର ଯାତ୍ରା-୧ କାର୍ଯ୍ୟକ୍ରମ କରିଛନ୍ତି । ସେହିପରି ୬.୧.୨୦୨୨ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବଙ୍କୁ ଦାବିପତ୍ର ପ୍ରଦାନ, ୧୫.୧.୨୦୨୨ରିଖରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ ଏବଂ ୧୫.୧୧.୨୦୨୧ରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ୧୯.୧୨.୨୦୨୧ରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ତତ୍ସଙ୍ଗେ ସଙ୍ଗେ ୩୦.୧୨.୨୦୨୧, ୧୪.୩.୨୦୨୨ ଏବଂ ୩୦.୩.୨୦୨୨ରେ ତିନିଥର ମାନ୍ୟବର ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସାକ୍ଷାତ କରି ଦାବି ଉପସ୍ଥାପନ କରାଯିବା ସହ ଅଧିକାର ଯାତ୍ରା-୨ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ଏଣୁ ସଂଘ ପୁନର୍ବାର ତାର ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ଅଧିକାର ଯାତ୍ରା-୩ର ଶୁଭାରମ୍ଭ କରି ୧୬.୪.୨୦୨୨ରେ ଉଚ୍ଚଶିକ୍ଷା ସଚିବଙ୍କୁ ଦାବିପତ୍ର ପ୍ରଦାନ କରି ଆଲୋଚନା କରିଥିଲା ଏବଂ ୨୦.୪.୨୦୨୨ରେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରି, ଦାବି ପୂରଣ ହେବାର ପ୍ରତିଶ୍ରୁତି ମଧ୍ୟ ପାଇଥିଲା । କିନ୍ତୁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ମରିଚିକାରେ ପରିଣତ ହେବା ଯୋଗୁ ଆଜି ଅଧିକାର-୩ର ଆନ୍ଦୋଳନ ଓ ମହାସମାବେଶ କରାଯାଇ ସରକାରଙ୍କୁ ଚେତାବନୀ ଦିଆଯାଇଛି ଯେ, ଯଦି ସରକାର ପୁନର୍ବାର ଟାଳଟୁଳ ନୀତି ଅବଲମ୍ବନ କରନ୍ତି, ତେବେ ସଂଘର ସମସ୍ତ କର୍ମକର୍ତ୍ତା ଭୁବନେଶ୍ୱର ରାଜରାସ୍ତାରୁ ଆଉ ମହାବିଦ୍ୟାଳୟକୁ ଫେରିବ ନାହିଁ । ମାସିକ ଦରମା ୩ ହଜାର ଟଙ୍କାରୁ ୫ ହଜାର ଟଙ୍କାରେ ବେଠି ଖଟିବା ପାଇଁ ଆମେ ଆଉ ଚାହୁଁନାହୁଁ ଏବଂ ଆଗାମୀ ଦିନରେ ଦାବି ପୂରଣ ପାଇଁ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନର ଡ଼ାକରା ଦେବାକୁ ଚେତାବନୀ ଦେଇଛନ୍ତି ।