ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଅଧିକାର ଯାତ୍ରା-୩ର ମହାସମାବେଶ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଭୁବନେଶ୍ୱରସ୍ଥିତ ବିଧାନସଭା ସମ୍ମୁଖରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ତରଫରୁ ୮୦ତମ ପ୍ରତିବାଦ ଅଧିକାର ଯାତ୍ରା-୩ର ମହାସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାର ସବୁ ଜିଲ୍ଲାରୁ ୨୦୦୮ ପରବର୍ତ୍ତୀ ଅବସ୍ଥାରେ ନିଯୁକ୍ତି ପାଇଥିବା ସବୁ ଅନୁଦାନ ଓ ଅଣ ଅନୁଦାନ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନେ ସାମିଲ୍ ହୋଇ ଏକ ରାଲିରେ ଆସି ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେମାନଙ୍କର ଗୋଟିଏ ମାତ୍ର ଦାବି ଓଡ଼ିଶା ସରକାର ୨୦୦୮ ପରବର୍ତ୍ତୀ ଅନୁଦାନ ଓ ଅଣ ଅନୁଦାନ ମହାବିଦ୍ୟାଳୟର ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ସମସ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ଅନୁଦାନ ପ୍ରଦାନ କରନ୍ତୁ ବୋଲି ମହାସଂଘର ସଭାପତି ବିଶ୍ୱରଞ୍ଜନ ଦାସ ନିବେଦନ କରିଛନ୍ତି । ପୂର୍ବରୁ ବାରମ୍ବାର ସରକାରଙ୍କୁ ସଂଘର ତରଫରୁ ଗୁହାରି ଏବଂ ସରକାରଙ୍କ ସହିତ ଆଲୋଚନା କରି ଆସୁଥିଲେ ମଧ୍ୟ ସରାକର ଏଥିପ୍ରତି କର୍ଣ୍ଣପାତ ନକରିବା ନେଇ ସଂଘ ତରଫରୁ କ୍ଷୋଭ ପ୍ରକାଶ କରାଯାଇଛି । ଏପରିକି ମହାସଂଘ ଦୀର୍ଘ ୮୦ ଦିନ ଧରି ରାଜଧାନୀର ଲୋୟର ପିଏମ୍ଜିର ଧାରଣାସ୍ଥଳରେ ବସିଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି ନ ପଡ଼ିବାରୁ ସଂଘ ପକ୍ଷରୁ ଉଦ୍ବେଗ ପ୍ରକାଶ କରାଯାଇଛି । ଏପରିକି ପୂର୍ବରୁ ମହାମହୀମ ରାଜ୍ୟପାଳ, ବିଭାଗୀୟ ସଚିବ ଏବଂ ମୁଖ୍ୟ ସଚିବଙ୍କୁ ଦାବିପତ୍ର ଦେବା ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଯଦି ସରକାର ଆମ ଦାବି ପ୍ରତି କର୍ଣ୍ଣପାତ ନକରନ୍ତି ତେବେ ଆଉ ଆମେ ଘରକୁ ଫେରିବୁ ନାହିଁ, ରାଜଧାନୀର ଏହି ଆନ୍ଦୋଳନରେ ଜୀବନ ହାରିବୁ ବୋଲି ସଂଘ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ସଂଘର ସମ୍ପାଦକ ରାକେଶ ପଟ୍ଟନାୟକ, ଉପସଭାପତି ପ୍ରକାଶ ସିଂ ଏବଂ ଆବାହକ ପ୍ରିୟବ୍ରତ ଆଚାର୍ଯ୍ୟ ଘୋଷଣା କରିଛନ୍ତି ।