ଓ.ଏ.ଏସ୍ ପାଇଲେ ବନ୍ତ ବ୍ଲକର ସଞ୍ଜୀବ ନାୟକ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଳକ ବଡମହିଷଗୋଠ ପଞ୍ଚାୟତ ଟିକିରା ଗ୍ରାମର ଗଙ୍ଗାଧର ନାୟକ ଓ ସବିତା ନାୟକଙ୍କ ସୁପୁତ୍ର ସଞ୍ଜୀବ କୁମାର ନାୟକ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୨୮ ର୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇ ବ୍ଲକ ପାଇଁ ଗୌରବ ଆଣିଛନ୍ତି । ୧୯୯୮ ମସିହାରେ ସଞ୍ଜୀବଙ୍କର ଜନ୍ମ । ତାଙ୍କ ପିତା ଆଗରପଡା ଅଞ୍ଚଳରେ ଜଣେ ଜଣାଶୁଣା ଓ ସଚ୍ଚୋଟ ବାଇକ୍ ମିସ୍ତ୍ରୀ ଅଟନ୍ତି । ସେ ଟିକିରା ଉପ୍ରା ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷାଲାଭ କରିବା ପରେ ୬ଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଭଦ୍ରକ ଜବାହର ନବୋଦୟ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ଗତ ୨୦୨୦ ମସିହାରେ ଓ.ୟୁ.ଏ.ଟି ଭବାନୀପାଟଣା କୃଷି ମହାବିଦ୍ୟାଳୟରୁ ବି.ଏସ୍.ସି(କୃଷି), ଚଳିତ ବର୍ଷ ରାୟପୁରସ୍ଥିତ ଇନ୍ଦିରାଗାନ୍ଧୀ କୃଷି ବିଶ୍ୱ ବିଦ୍ୟାଳୟରୁ ପିଜି ଏବଂ ଏଗ୍ରିବିଜ୍ନେସ ମ୍ୟାନମେଣ୍ଟ ପାସ୍ କରିଛନ୍ତି । ପାଠପଢିବା ବେଳେ ସେ ବିଭିନ୍ନ ଗ୍ରାମର କୃଷକ ମାନଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ଦୁଃଖଦୁର୍ଦ୍ଦଶା ବିଷୟରେ ଜାଣିବାକୁ ପାଇଥିଲେ । ନିଜେ ସାଧାରଣ ପରିବାରରୁ ଆସିଥିବାରୁ ସେବା ମନୋବୃତ୍ତି ତାଙ୍କ ଠାରେ ଜାଗ୍ରତ ହୋଇଥିଲା । ଗତ ୨୦୨୦ ମସିହା ଠାରୁ ସେ ଓଡିଶା ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ପ୍ରଥମ ଚେଷ୍ଟାରେ ୨୪ ବର୍ଷ ବୟସରେ ସେ ଓଡିଶା ପ୍ରଶାସନିକ ସେବା ପାଇବାରେ ସଫଳ ହୋଇଥିଲେ । ଏଥିପାଇଁ ସେ ଦୈନିକ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରୁଥିବା କହିଛନ୍ତି । ଏହି ସଫଳତାର ଶ୍ରେୟ ସେ ନିଜ ପିତାମାତା, ଗୁରୁଜନ, ଶିକ୍ଷକ ଓ ସାଥି ମାନଙ୍କୁ ଦେଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ଜିଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଯୁବନେତା ସତ୍ୟସାଧନ ବେଜ, ସରପଞ୍ଚ ବିନୋଦିନୀ ମହାନ୍ତି, ସ୍ୱେଚ୍ଛାସେବୀ ସଂସ୍ଥା ସି.ଏଫ.ଡବ୍ଲ୍ୟୁ.ଏସ୍.ଡି, ଲୋକଶକ୍ତି, ଜଗତଜ୍ୟୋତି ମହିଳା ମହାସଂଘ, ଝାନସୀରାଣୀ ମହିଳା ମହାସଂଘ, ବଡମହିଷଗୋଠ ପୂର୍ବତନ ସରପଞ୍ଚ କ୍ରିଷ୍ଣା ମହାନ୍ତି, ବିଟିପୁର ପୂର୍ବତନ ସରପଞ୍ଚ ସତ୍ୟବାନ ଦାସଙ୍କ ସମେତ ସ୍ଥାନୀୟ ସମସ୍ତ ଜନପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି, ସ୍ଥାନୀୟ ପ୍ରଶାସନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କଠିନ ପରିଶ୍ରମ ଓ ଅଧ୍ୟବସାୟ ସଫଳତାର ଚାବିକାଠି ବୋଲି କହିବା ସହ ଭବିଷ୍ୟତରେ ସେ ଆଇ.ଏ.ଏସ୍ ହେବାର ଲକ୍ଷ୍ୟ ରଖିଛନ୍ତି ।


