କଂଗ୍ରେସରୁ ଇସ୍ତଫ। ଦେଲେ ଜ୍ୟୋତିରାଦିତ୍ୟ ସଂକଟରେ ମଧ୍ୟପ୍ରଦେଶ କଂଗ୍ରେସ ସରକାର
ନୂଆଦିଲ୍ଲୀ : ମଧ୍ୟପ୍ରଦେଶ କଂଗ୍ରେସ ସରକାରରେ ଲାଗି ରହିଥିବା ରାଜନୀତି ସଙ୍କଟ ଦୂର ହେବ ପରିବର୍ତେ ସଙ୍କଟ ମଧ୍ୟରେ ଚାଲିଥିବାବେଳେ ମଙ୍ଗଳବାର ପୁଣି ଏକ ଝଟକା ଲାଗିଛି । କଂଗ୍ରେସ ଦ୍ୱାରା ସଙ୍କଟ ଦୂରପାଇଁ ବହୁ ପ୍ରଚେଷ୍ଟା ସତ୍ୱେ ଗତ କାଲିଠାରୁ କଂଗ୍ରେସ ଠାରୁ ଦୂରରେ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଶେଷରେ ଦଳରୁ ପାତ୍ରମଧ୍ୟମରେ ଇସ୍ତଫା ଦେଇଛନ୍ତି । ଅସନ୍ତୁଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଜ୍ୟୋତିରାଦିତ୍ୟ ନୂଆଦିଲ୍ଲୀରେ ବିଜେପିର ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଭେଟିବା ପରେ ଏଭଳି ପଦକ୍ଷେପ ନେଇଛନ୍ତି । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠିରେ ସେ ଇସ୍ତଫା ଦେବାର କାରଣ ଜଣାଇଛନ୍ତି । ଇସ୍ତଫା ପତ୍ରରେ ସୋନିଆଙ୍କ ସମେତ ଦଳର ଅନ୍ୟ ନେତାମାନଙ୍କୁ ଧନ୍ୟବାଦ ଜଣାଇବା ସହ କଂଗ୍ରେସ ସହ ଗତ ୧୮ ବର୍ଷର ରାଜନୈତିକ ସମ୍ପର୍କ ନେଇ ବର୍ଣନା କରିଛନ୍ତି। ସେ ଜନସାଧାରଣଙ୍କ ହିତରେ କାର୍ଯ୍ୟ କରିବାକୁ ଚାହାନ୍ତି ଯାହା କଂଗ୍ରେସ ରହି କରିପାରିବେନି ବୋଲି କହିବା ସହ କଂଗ୍ରେସ ଦଳରୁ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେବାକୁ ଉଚିତ ମନେ କରୁଥିବା ଜଣାଇଛନ୍ତି । ମଧ୍ୟପ୍ରଦେଶ କଂଗ୍ରେସ ସରକାରରେ ଥିବା ସିନ୍ଧିଆଙ୍କ ସମର୍ଥକ କୁହାଯାଉଥିବା ୧୭ଜଣ ବିଧାୟକ ବେଙ୍ଗାଲୁରୁରେ ରହୁଥିବା ଜଣାପଡିବା ପରେ କଂଗ୍ରେସର ଶୀର୍ଷ ନେତୃତ୍ୱ ତାଙ୍କ ପାଖରେ ପହଞ୍ଚିବା ପାଇଁ ଉଦ୍ୟମ କରିଥିଲେ। ସେମାଙ୍କୁ ବୁଝାଇବ। ପାଇଁ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ମଧ୍ୟ ପଠାଯାଇଥିଲା କିନ୍ତୁ ସବୁ ଉଦ୍ୟମ ବିଫଳ ହୋଇଯାଇଛି । ଏନେଇ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ କହିଛନ୍ତି ସିନ୍ଧିଆଙ୍କୁ ଭେଟିବା ପାଇଁ ସବୁ ଉଦ୍ୟମ ବିଫଳ ହୋଇଛି। ଗତ ବିଳମ୍ବିତ ରାତିରେ କମଲ ନାଥ ଜରୁରୀ ବୈଠକ କରି କ୍ୟାବିନେଟକୁ ପୁନର୍ଗଠନ କରିବେ ବୋଲି ସୂଚନା ଦେଇ ଥିଲେ । ଏହା ପରେ ମଧ୍ୟ କିଛି ସୁଫଳ ମିଳିପାରିନି । ଆଗାମୀ ଦିନରେ ସଂକଟରେ ଥିବା କଂଗ୍ରେସ ସରକାର କଣ କରିବା ସେ ନେଇ ବିଭିନ୍ନ ମହଲରେ ଆଲୋଚନା ଚାଲିଛି ।