କଂଗ୍ରେସ ସତ୍ୟାଗ୍ରହରେ ମୁଣ୍ଡ ନୁଆଁଇଲେ ସରକାର ଚାଷୀ ପାଇଲେ କ୍ଷତି ପୁରଣ

କେନ୍ଦ୍ରାପଡା (ଯୁଗାବ୍ଦ ନୁୃ୍ୟଜ୍): କଂଗେସର ସତ୍ୟାଗ୍ରହ ଯୋଗୁ ରାଜ୍ୟ ସରକାର ମୁଣ୍ଡ ନୁଆଁଇଲେ ଏବଂ କେନ୍ଦ୍ରାପଡା ଜିଲ୍ଲାର କ୍ଷତିଗ୍ରସ୍ତ ଚାଷୀ କ୍ଷତିପୁରଣ ପାଇଲେବୋଲି ରବିବାର କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଗରାପୁର ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା । ସୂଚନା ଅନୁଯାଇ ଗତ ୨୦୧୮ମସିହା ସେପ୍ଟେମ୍ବରମାସରେ ଲଗାଣ ବର୍ଷା ଜନିତ କାରଣରୁ କେନ୍ଦ୍ରାପଡା ଜିଲ୍ଲାର ଚାଷୀକୂଳ ସର୍ବସ୍ୱାନ୍ତ ହୋଇଥିଲେ । ୫୦ ପ୍ରତିଶତରୁ ଅଧିକ ଚାଷଜମିରେ ଫସଲ ନଷ୍ଟ ହୋଇଥିଲା । ମୁଣ୍ଡରେ ହାତଦେଇ ଚାଷୀ ସରକାରୀ ସହାୟତା ପାଇଁ ଦାବି କରୁଥିଲେ । ଚାଷୀଭାଇମାନଙ୍କ ଦୁର୍ଦ୍ଦଶା ପ୍ରତି ସମବେଦନା ଜଣାଇ ଚାଷୀଙ୍କ ସ୍ୱାର୍ଥ ସାଧନ ପାଇଁ ଆନ୍ଦୋଳନ ଜରିଆରେ ସରକାରଙ୍କ ଉପରେ ଚାପ ପକାଇବାକୁ କଂଗ୍ରେସ ସିଦ୍ଧାନ୍ତ ନେଇଥିଲା । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କଂଗ୍ରେସ ନେତୃ ବୃନ୍ଦଙ୍କୁ ସାଙ୍ଗରେ ଧରି ୨୦୧୮ମସିହା ସେପ୍ଟେମ୍ବର ୭ତାରିଖରୁ ୧୨ତାରିଖ ପର୍ଯ୍ୟନ୍ତ ୬ଦିନ ବ୍ୟାପି କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ସମସ୍ତ କ୍ଷତିଗ୍ରସ୍ତ ପଂଚାୟତର ଜମିକୁ ବୁଲି ଦେଖିଥିଲେ । ତା’ର ପରବର୍ତ୍ତୀ ସମୟରେ ୨୦୧୮ ମସିହା ସେପ୍ଟେମ୍ବରମାସ ୧୨ତାରିଖରେ ଘାଘରା ଠାରେ ରାସ୍ତା ରୋକ କରାଯିବା ସହ ସେପ୍ଟେମ୍ବରମାସ ୨୬ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଜିଲ୍ଲାପାଳଙ୍କ ଜରିଆରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୁରଣ ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏତଦବ୍ୟତିତ ୨୦୧୯ ମସିହା ମାର୍ଚ୍ଚ ୨ତାରିଖରେ ପୂର୍ବତନ ମନ୍ତ୍ରୀ ଶ୍ରୀ ବେହେରା କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୁରଣ ପ୍ରଦାନ ଦାବିରେ ଆମରଣ ଅନଶନ କରିଥିଲେ । କିନ୍ତୁ ମାର୍ଚ୍ଚମାସ ୧୦ତାରିଖରେ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେବା ହେତୁ ଆଦର୍ଶ ଆଚରଣ ବିଧି ଲାଗୁହେଲା । ଏହା ସତ୍ୱେ ଶ୍ରୀ ବେହେରା କର୍ତ୍ତବ୍ୟରୁ ଓହରି ନଯାଇ ରାଜ୍ୟ ରିଲିଫ କମିଶନର ବିଷ୍ଣୁପଦ ସେଠୀ,ମୁଖ୍ୟ ନିର୍ବାଚନ ଅଧିକାରୀ ସି.ଏସ.କୁମାର,ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ସାକ୍ଷାତ କରିବା ସହ ଚାଷୀଙ୍କୁ କ୍ଷତିପୁରଣ ସହାୟତା ରାଶି ତୁରନ୍ତ ମଞ୍ଜୁର କରିବା ନିମନ୍ତେ ନିରବଛିନ୍ନ ଉଦ୍ୟମ କରାଯାଇଥିଲା । ଆମରଣ ଅନଶନ ଠାରୁ ଆରମ୍ଭ କରି ସହାୟତା ରାଶି ମଞ୍ଜୁର ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ତତକାଳୀନ ବିରୋଧୀଦଳ ନେତା ତଥା ଆଜିର ବିଧାୟକ ନରସିଂହ ମିଶ୍ରଙ୍କ ବଳିଷ୍ଠ ସହଯୋଗ ଯୋଗୁ ଶ୍ରୀ ବେହେରାଙ୍କ ଆନ୍ଦୋଳନ ଫଳପ୍ରଦ ହୋଇ ଚଳିତମାସ ୧୧ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର କ୍ଷତିଗ୍ରସ୍ତ ଚାଷୀଙ୍କ ନିମନ୍ତେ ୧୯କୋଟି ୪୨ଲକ୍ଷ ୫୮ହଜାର ୯୪୭ଟଙ୍କା ସହାୟତା ମଞ୍ଜୁର ହୋଇପାରିଲା ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି । ଏହାଫଳରେ ଜିଲ୍ଲାର ୪ଟି ତହସିଲର ୫୫ଟି ପଂଚାୟତର ୨୪୭ ଗ୍ରାମର ୭୮ହଜାର ୬୫୪ ଚାଷୀ ଉପକୃତ ହେବେ । ଏହି କ୍ଷତିପୁରଣ ଜଳସେଚିତ ଜମି କ୍ଷେତ୍ରରେ ହେକଟର ପିଛା ୧୩ହଜାର ୫ଶହ ଟଙ୍କା ଓ ଅଣଜଳସେଚିତ ଜମି କ୍ଷେତ୍ରରେ ହେକଟର ପିଛା ୬ହଜାର ୮ଶହ ଟଙ୍କା ମିଳିବ । ଏହି କ୍ଷତିପୁରଣ ବାବଦରେ କେନ୍ଦ୍ରାପଡା ତହସିଲକୁ ୧୦କୋଟି ୧୦ଲକ୍ଷ ଟଙ୍କାର ସହାୟତା ମିଳିଥିବା ବେଳେ ଡେରାବିଶ ତହସିଲକୁ ୯୫ଲକ୍ଷ,ରାଜନଗର ତହସିଲକୁ ୨କୋଟି ୫୬ଲକ୍ଷ ଓ ଗରଦପୁର ତହସିଲକୁ ୫କୋଟି ୭୯ଲକ୍ଷ ଟଙ୍କା ମିଳିଛି । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କନେତୃତ୍ୱରେ ଚାଷୀକୂଳର ଏପରି ଏକ ବୃହତ ସ୍ୱାର୍ଥ ସାଧନ ସମ୍ଭବ ହୋଇଥିବା ଏବଂ କଂଗ୍ରେସର ଏହି ଚାଷୀ ଆନ୍ଦୋଳନକୁ ସମର୍ଥନ ଦେଇଥିବା,ସହଯୋଗ କରିଥିବା ଓ ସାମିଲ ହୋଇଥିବା କେନ୍ଦ୍ରାପଡାର ପ୍ରତ୍ୟେକ ଶୁଭେଛୁ ବନ୍ଧୁମାନଙ୍କୁ କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ କୃତଜ୍ଞତା ପ୍ରଦାନ କରାଯାଇଥିଲା । ଏତଦଭିନ୍ନ ଏହି ସହାୟତାରୁ ବାଦ ପଡିଥିବା କ୍ଷତିଗ୍ରସ୍ତ ପଂଚାୟତମାନ୮୍କୁ ସାମିଲକରି ସହାୟତା ରାଶି ପ୍ରଦାନ କରିବାକୁ କଂଗ୍ରେସ ପକ୍ଷରୁ ସରକାରଙ୍କ ନିକଟରେ ଦାବିକରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ଚିନ୍ମୟ ପ୍ରସାଦ ବେଉରା,ମହମ୍ମଦ ଆକବର ଅଲ୍ଲୀ,ନଗରକଂଗ୍ରେସ ସଭାପତି ସୈାମେନ୍ଦ୍ର ପୃଷ୍ଟି,ଶରତ ବେହୁରା,ଚିତ୍ରସେନ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ