କଂଗ୍ରେସ ସମେତ ବିଭିନ୍ନ ସଂଗଠନଙ୍କ ମିଳିତ ପ୍ରତିବାଦ
ବାଲେଶ୍ୱର, (ସରୋଜ ପଣ୍ଡା) : ବିଭିନ୍ନ ଦାବି ନେଇ ବାଲେଶ୍ୱର ଜିଲା କଂଗ୍ରେସ କମିଟି, ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ପାୱାର ସେକ୍ଟର ଟେକ୍ନିକାଲ ଆମ୍ପେ୍ଲାଇଜ ୟୁନିୟନ ଓ ନିଖିଳ ଓଡ଼ିଶା ମିଟର ରିଡର ଆସୋସିଏସନ ପକ୍ଷରୁ ମିଳିତ ଭାବେ ଟାଟା ପାୱାର ନର୍ଦ୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡର ରେମୁଣା ଗୋଲେଇସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକାତ୍ମକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ଓଡ଼ିଶା ପାୱାର ସେକ୍ଟର ଟେକ୍ନିକାଲ ଆମ୍ପେ୍ଲାଇଜ ୟୁନିୟନର ଜିଲା ସଭାପତି ସୁରେଶ ଚନ୍ଦ୍ର ବେହେରା ପୌରୋହିତ୍ୟ କରିବା ସହିତ ସାମ୍ପ୍ରତିକ ସ୍ଥିତିରେ ବିଦ୍ୟୁତ ଉପଭୋକ୍ତାଙ୍କୁ ଉଚିତ ସେବା ପ୍ରଦାନ ଓ କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀ ସ୍ୱାର୍ଥରକ୍ଷା କ୍ଷେତ୍ରରେ ଟାଟା ପାୱାରର ଉଦାସୀନତା ସମ୍ପର୍କରେ ତୀବ୍ର ସମାଲୋଚନା କରିଥିଲେ । ବାଲେଶ୍ୱର ଜିଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି, ଓପିଏସଟିଇୟୁର ସାଧାରଣ ସମ୍ପାଦକ ପ୍ରଭାତ କୁମାର ଦାସ, ପ୍ରଦେଶ କଂଗ୍ରେସ କମିଟି ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ଜିଲା ମହିଳା କଂଗ୍ରେସ ସଭାପତି ପ୍ରଜ୍ଞାପାରମିତା ମହାନ୍ତି, ଜିଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଜିଲା ଯୁବ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସଭାପତି ବିକାଶ କୁମାର ଦାସ, ଜିଲା ମହିଳା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସଭାପତି ମାସନ୍ତି ସାମଲଙ୍କ ସମେତ ଓପିଏସଟିଇୟୁ ସଭ୍ୟ ରରାଜକୁମାର ସାମନ୍ତ, ସୁବାସ ଚନ୍ଦ୍ର ପୁଷ୍ପାଳକ, ଗୁରା ବେହେରା , ସନ୍ତୋଷ କୁମାର ପୁହାଣ ପ୍ରମୁଖ ଏହି ଗଣଧାରଣା ଓ ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗଦେଇ ଟାଟା ପାୱାର ଜନ ବିରୋଧୀ କାର୍ଯ୍ୟଧାରାକୁ କଡ଼ା ସମାଲୋଚନା କରିଥିଲେ । ସମସ୍ତ ପ୍ରକାର ବିଧି ବ୍ୟବସ୍ଥା ପ୍ରତି ଆଖି ବୁଜିଦେଇ ଟାଟା ପାୱାର କର୍ତ୍ତୃପକ୍ଷ ମେରୀ ରାୟ ନୀତିରେ ବିଦ୍ୟୁତ ଯୋଗାଣ କରୁଥିବା ବେଳେ ଉପଭୋକ୍ତାଙ୍କୁ ଉଚିତ ସେବା ମିଳିପାରୁ ନାହିଁ ବୋଲି ବକ୍ତାମାନେ କହିଥିଲେ । କର୍ମଚାରୀଙ୍କ ସ୍ୱାର୍ଥରକ୍ଷା ପ୍ରତି ଅଣଦେଖା କରି କମ୍ପାନୀ କର୍ତ୍ତୃପକ୍ଷ ନିଜସ୍ୱ ପାଣ୍ଠି ବୃଦ୍ଧିକୁ ଗୁରୁତ୍ୱ ଦେଉଥିବା ସେମାନେ ଆରୋପ କରିଥିଲେ । ଏମିତିକି ିବପଦ ସଙ୍କୁଳ ଅବସ୍ଥାରେ କାର୍ଯ୍ୟକରି ମୃତ୍ୟୁ ବରଣ କରିଥିବା କର୍ମଚାରୀଙ୍କ ପରିବାରଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଚାଲିଯାଇଥିବା ସଂଘର କର୍ମକର୍ତ୍ତାମାନେ କହିଥିଲେ । ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ନିର୍ଦ୍ଦେଶନାମାକୁ ବେଖାତିର କରି କମ୍ପାନି କର୍ତ୍ତୃପକ୍ଷ ଏବେ କର୍ମଚାରୀ ଓ ଉପଭୋକ୍ତାଙ୍କୁ ଶୋଷଣ କରିଚାଲିଛନ୍ତି । ମିଟର ରିଡିଂ କରୁଥିବା କର୍ମଚ।।ରୀଙ୍କୁ ଦେଅନିକ ମଜୁରି କିମ୍ବା ମାସିକ ଦରମା ଧାର୍ଯ୍ୟ ସମୟରେ ଦେବା, ଏକକ କର୍ମଚାରୀ ବ୍ୟବସ୍ଥା ପ୍ରଚଳନ କରିବା, କର୍ମଚାରୀଙ୍କୁ ସ୍ୱାସ୍ଥ୍ୟବୀମା ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବା, ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର କରିବାକୁ ମିଳିତ ସଂଗଠନ କର୍ମକର୍ତ୍ତାମାନେ ଦାବି କରିଥିଲେ । ନତୁବା ଆଗାମୀ ଦିନରେ ଆନ୍ଦୋଳନୂ ଆହୁରି ଜୋରଦାର ହେବ ବୋଲି ସେମାନେ ଚେତାବନୀ ଦେଇଥିଲେ । ଏହି ଅବସରରେ ୩୦ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଟାଟା ପାୱାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ।ଏହି କଂଗ୍ରେସ କର୍ମୀଙ୍କ ସମେତ ବିଭିନ୍ନ ସଂଗଠନରୁ ବହୁ ଲୋକ ଯୋଗଦେଇଥିଲେ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ପର୍ଯ୍ୟନ୍ତ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଜାରି ରହିଥିଲା ।


