କଇଁଫୁଲିଆ ରାଧାମାଧବଙ୍କ ଦଶଦୋଳ
ଭାପୁର (ଯୁଗାଦ୍ଧ ନ୍ୟୁଜ): ନୟାଗଡ଼ ଜିଲ୍ଲାର କଇଁଫୁଲିଆ ସ୍ଥିତ ସର୍ବପୁରାତନ ରାଧାମାଧବ ପୀଠରେ ଦଶଦୋଳ ମେଳନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଭାପୁର ବ୍ଲକ୍ର ପାଥପୁର, ପାର୍ବତୀପୁର, ଫତେଗଡ଼ ଗ୍ରାମରେ ଏହି ଦୋଳଯାତ୍ରା ସମାପନ ହେବାପରେ କଇଁଫୁଲିଆ ରାଧାମାଧବ ମଠଠାରେ ଆଖପାଖ ଗ୍ରାମ ଦେବତାଙ୍କ ମିଳନ ପର୍ବ ତଥା ଦଶଦୋଳ ଉତ୍ସବ ସମାପନ ହୋଇଛି । ଭାପୁର, ପଦ୍ମାବତୀ, ଏଲୋପଡ଼ା, ପାର୍ବତୀପୁର, ଫତେଗଡ଼ଳ ମାଳିବେରେଣୀ ସମେତ ୧୦ଟି ଗ୍ରାମ ଦେବତାଙ୍କୁ ଭିନ୍ନ ଭିନ୍ନ ବିମାନରେ କାନ୍ଧରେ ଝୁଲାଇ ଭକ୍ତମାନେ ସକାଳୁ କଇଁଫୁଲିଆ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ମଠ ସମ୍ମୁଖରେ ଏହି ବିମାନଗୁଡ଼ିକୁ ରଖାଯିବାପରେ ଆଳତୀ ଓ ପୂଜାର୍ଚ୍ଚନା କରାଯାଇଥିଲା । ହଜାର ହଜାର ଭକ୍ତ ଠାକୁରଙ୍କୁ ଦର୍ଶନ କରିବା ବେଳେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ମଠ ସମ୍ମୁଖରେ ଭାଗବତ ସଂକ୍ରାନ୍ତ ଆଧ୍ୟାତ୍ମିକ କଥାମୃତ ପରିବେଷଣ ହୋଇଥିଲା । ଅପରାହ୍ଣରେ ସମସ୍ତ ଠାକୁର ବିମାନ ନିଜ ନିଜ ପୀଠସ୍ଥଳକୁ ପ୍ରତ୍ୟାବର୍ତ୍ତନ କରିôତଲେ । ପାରମ୍ପରିକ ରୀତିନୀତିରେ ପାଳିତ ହୋଇ ଆସୁଥିବା ଏହି ଦଶଦୋଳ ଉତ୍ସବ ମିଳନ, ଭାଇଚାରା ଏବଂ ଆଧ୍ୟାତ୍ମିକତାର ବାର୍ତ୍ତା ଦେଉଥିଲେ ହେଁ ଆଧୁନିକତାର ସ୍ପର୍ଶରେ ଏହି ପରମ୍ପରା ପ୍ରତି ଲୋକଙ୍କ ସ୍ପୃହା କମିଥିବା ମଧ୍ୟ ପରିଲକ୍ଷିତ ହେଉଛି ।


