କଞ୍ଚୁରୁ ସମବାୟ ସମିତି ସଭାପତି କୃଷ୍ଣଚନ୍ଦ୍ର ପଣ୍ଡା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ଚଳିତ ସମବାୟ ସମିତି ନିର୍ବାଚନରେ ହିଞ୍ଜିଳିବ୍ଲକ କଞ୍ଚୁରୁ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ନିର୍ବାଚନରେ କୃଷ୍ଣଚନ୍ଦ୍ର ପଣ୍ଡା ବିଜୟୀ ହୋଇ ଦ୍ଵିତୀୟ ଥର ପାଇଁ ସଭାପତି ହୋଇଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ଅଧିନ ହିଞ୍ଜିଳିକାଟୁର ୨୧ ଟି ପ୍ରାଥମିକ କୃଷି ସମବାୟ ସମିତିରେ ନିର୍ଦ୍ଦେଶକ ଓ ସଭାପତି ପଦବୀ ସକାଶେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଦ୍ଵିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନ ପ୍ରକ୍ରିୟାରେ କଞ୍ଚୁରୁ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ପଦବୀ ନିମନ୍ତେ ରବିବାର ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ସଭାପତି ପଦବୀରେ କୃଷ୍ଣଚନ୍ଦ୍ର ପଣ୍ଡା ଓ ପ୍ରତିପକ୍ଷ ଗୋଷ୍ଠୀର ରାଜେନ୍ଦ୍ର ସାହୁ ନିର୍ବାଚନ ଅଧିକାରୀ ପ୍ରତାପ କୁମାର ସାହୁଙ୍କ ନିକଟରେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ସଭାପତି ପଦବୀ ହତେଇବା ଲାଗି ଉଭୟଙ୍କ ମଧ୍ୟରେ ଲଢେଇ ତୀବ୍ର ହୋଇଥିଲା । ନିର୍ବାଚିତ ୧୪ ଜଣ ନିର୍ଦ୍ଦେଶକଙ୍କ ମଧ୍ୟରୁ କୃଷ୍ଣଚନ୍ଦ୍ରଙ୍କ ସପକ୍ଷରେ ୮ ନିର୍ଦ୍ଦେଶକ ମତଦାନ କରିଥିଲା । ପ୍ରତିପକ୍ଷ ରାଜେନ୍ଦ୍ରଙ୍କୁ ୫ ଜଣ ଭୋଟ ଦେଇଥିଲେ। ଗୋଟିଏ ଭୋଟ ନାକଚ ହୋଇ ଯାଇଥିଲା। ତୀବ୍ର ପ୍ରତିଦ୍ବନ୍ଦିତା ପୂର୍ଣ୍ଣ ଲଢେଇରେ କୃଷ୍ଣଚନ୍ଦ୍ର ପଣ୍ଡା ପ୍ରତିପକ୍ଷ ରାଜେନ୍ଦ୍ର ସାହୁଙ୍କ ଠାରୁ ଅଧିକ ୩ ଖଣ୍ଡ ଭୋଟ ପାଇଥିଲେ। ନିର୍ବାଚନ ଅଧିକାରୀ ଶ୍ରୀ ସାହୁ ତାଙ୍କୁ ବିଜୟୀ ଘୋଷଣା କରିଥିଲେ । ବିଜୟୀ କୃଷ୍ଣଚନ୍ଦ୍ରଙ୍କୁ ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ ପୁଷ୍ପମାଲ୍ୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ଭାବେ କୃଷ୍ଣଚନ୍ଦ୍ର ପଣ୍ଡା କଞ୍ଚୁରୁ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ରୂପେ ବିଜୟୀ ହୋଇଥିବାରୁ ହିଞ୍ଜିଳି ବିଧାୟକ ତଥା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେମାନେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ବିଜୟର ସମସ୍ତ ଶ୍ରେୟ କଞ୍ଚୁରୁ ପଞ୍ଚାୟତବାସୀଙ୍କର ଅଟେ ବୋଲି ନବ ନିର୍ବାଚିତ ପ୍ରତିନିଧି ମାନେ ପ୍ରତିକ୍ରିୟା ରଖିଛନ୍ତି । ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ଓ ପ୍ରକ୍ରିୟା ସମାପନ ହୋଇଥିବାରୁ ଆଇଆଇସି ଅଭିମନ୍ୟୁ ଦାସ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନଙ୍କୁ ନବ ନିର୍ବାଚିତ ସଭାପତି କୃତଜ୍ଞତା ଜ୍ଞାପନ କରିଛନ୍ତି ।