କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ବିଜେଡିର ଦାବି,ସସ୍ମିତଙ୍କ ଉପସ୍ଥାପନାକୁ ରାଜ୍ୟସଭା ଅଧ୍ୟକ୍ଷଙ୍କ ପ୍ରଶଂସା

ନୂଆଦିଲ୍ଲୀ : କଟକ ବାଲିଯାତ୍ରାକୁ ଜାତୀୟ ସାମୁଦ୍ରିକ ଐତିହ୍ୟ ଉତ୍ସବର ମାନ୍ୟତା ପ୍ରଦାନ ପାଇଁ ବୁଧବାର ରାଜ୍ୟସଭାରେ ବିଜେଡି ପକ୍ଷରୁ ଦାବି କରାଯାଇଛି । ରାଜ୍ୟସଭାର ଶୂନ୍ୟକାଳରେ ବିଜେଡି ପକ୍ଷରୁ ଏହି ପ୍ରସଙ୍ଗକୁ ଗୃହରେ ଉପସ୍ଥାପନ କରି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସାଂସଦ ସସ୍ମିତ ପାତ୍ର । ସସ୍ମିତ କହିଥିଲେ, ନୌବାଣିଜ୍ୟ ପରମ୍ପରା ଓ ଓଡ଼ିଆ ସାଧବ ପୁଅଙ୍କ ସାମୁଦ୍ରିକ ଯାତ୍ରାକୁ ମନେ ପକାଇ ବାଲିଯାତ୍ରା ପର୍ବ ପାଳନ କରାଯାଇଥାଏ । ସାଧବ ପୁଅମାନେ ବୋଇତ ଯୋଗେ ବାଲି, ଜାଭା, ସୁମାତ୍ରା ଓ ବୋର୍ଣ୍ଣିଓ ଦ୍ୱୀପ ଭଳି ସ୍ଥାନକୁ ଜଳଯାତ୍ରା କରି ସେଠାରେ ବାଣିଜ୍ୟ ଓ ସଂସ୍କୃତିର ଆଦାନପ୍ରଦାନ କରୁଥିଲେ । ବାଣିଜ୍ୟ ଓ ସଂସ୍କୃତିର ସମ୍ପ୍ରସାରଣ ତଥା ଗୌରବମୟ ପରମ୍ପରାର ମୂକସାକ୍ଷୀ ରୂପେ କଟକରେ ବାଲିଯାତ୍ରା ପାଳନ କରାଯାଇଥଏ । ଏହା ସାମାଜିକ ଓ ସାଂସ୍କୃତିକ ମହତ୍ୱ ବହନ କରୁଛି ବୋଲି ସସ୍ମିତ କହିଥିଲେ । ଚଳିତ ମାସ ୧୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ବାଲିଯାତ୍ରାକୁ ଜାତୀୟ ସାମୁଦ୍ରିକ ଐତିହ୍ୟ ଉତ୍ସବର ମାନ୍ୟତା ଦାବି କରି ପତ୍ର ଲେଖିଥିବା ସେ ଗୃହରେ ଅବଗତ କରାଇବା ସହିତ ବାଲିଯାତ୍ରାକୁ ନ୍ୟାସନାଲ ମାରିଟାଇମ୍ ହେରିଟେଜ୍ ଫେଷ୍ଟିଭାଲର ମାନ୍ୟତା ପ୍ରଦାନ କରାଗଲେ ଓଡ଼ିଶା ଓ ଭାରତରେ ନୌବାଣିଜ୍ୟ ଇତିହାସର ପରମ୍ପରାର ପ୍ରତିଫଳନ ହେବ ବୋଲି ସେ କହିଥିଲେ ।
କଟକ ବାଲିଯାତ୍ରାକୁ ଜାତୀୟ ସାମୁଦ୍ରିକ ଐତିହ୍ୟ ଉତ୍ସବର ମାନ୍ୟତା ଦାବି ସମ୍ପର୍କିତ ସାଂସଦଙ୍କ ଉପସ୍ଥାପନାକୁ ରାଜ୍ୟସଭାର ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡୁ ପ୍ରଶଂସା କରିଥିଲେ । ଶ୍ରୀ ନାଇଡୁ କହିଥିଲେ, ପ୍ରସଙ୍ଗ ଗୁଡ଼ିକୁ ଏଭଳି ଢ଼ଙ୍ଗରେ ଉପସ୍ଥାପନ କରାଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ