କତା କଣ୍ଢେଇ ନିର୍ମାଣ କରି ନଢଣା ଗାଁ ମହିଳା ହୋଇଛନ୍ତି ସ୍ୱାବଲମ୍ବୀ
ନିମାପଡ଼ା, (ସନ୍ତୋଷ ଦାଶ):ସାଧାରଣ ତ ନଡ଼ିଆ ଖାଇ ସାରିଲା ପରେ ତାର ସଢେଇ ଓ କତା କୁ ଆମେ ଅଦରକାରୀ ଭାବି ଫିଙ୍ଗି ଦେଇଥାଉ ।ପରବର୍ତ୍ତୀ ସମୟରେ ସେହି କତାରୁ ତିଆରି ହୁଏ ଗଦି,ପାପୋଛୋ, ଭଳି ଅନେକ ଘର କରଣା ଜିନିଷ ।ଏତିକିରେ ସୀମିତ ନାହିଁ କତା ର କରାମତି ।ଏହି କତାକୁ ନେଇ ନଢ଼ଣା ଗାଁ ର କିଛି ମହିଳା ଗୋଷ୍ଟି ଙ୍କ ପାଇଁ ଆଜି ଗାଁ ହସ୍ତତନ୍ତ,ଚୟନ ହସ୍ତଶିଳ୍ପ ବିଭାଗ ଓଡିଶା ସରକାର ଙ୍କ ଦ୍ଵାରା କତା କଣ୍ଢେଇ ଗାଁ ର ମାନ୍ୟତା ପାଇଛି। ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଭୋଗସାଳଦା ପଞ୍ଚାୟତ ର ନଢଣା ଗାଁ।ନିମାପଡା ରୁ ଚାରିଛକ କୁ ଗଲା ବେଳେ ମୁଖ୍ୟ ରାସ୍ତା ମଧ୍ୟରେ ପଡେ ସାଇଲୋ ଛକ ।ସେହି ବଜାରରୁ ବାମ ପଟକୁ ଗଲେ ପଡେ କତା କଣ୍ଢେଇ ଗାଁ ନଢ଼ଣା । ଏହି ଗାଁ ରେ ପ୍ରାୟ ୧୦୦ ପରିବାର ବସବାସ କରନ୍ତି ।ଗାଁ ମୁଣ୍ଡରେ ରହିଛି ଏକ ଶିବମନ୍ଦିର ଏବଂ ଭୋଗସାଳଦା ଉଚ୍ଚ ବିଦ୍ୟାଳୟ ।ବିଦ୍ୟାଳୟ ଠାରୁ କିଛି ଦୂରରେ ଅଛି ଗୋପୀନାଥ କତା ହସ୍ତଶିଳ୍ପ ଉତ୍ପାଦକ ଗୋଷ୍ଟି କେନ୍ଦ୍ର ।ଏହି କେନ୍ଦ୍ରଟି ସଭାନେତ୍ରୀ ରୋଜାଲିନ ନାୟକ,ସମ୍ପାଦିକା ଡଲି ଭୋଇ ଙ୍କ ନେତୃତ୍ୱରେ ଚାଲିଆସିଛି । ଏହି କେନ୍ଦ୍ର ରେ ସାତବର୍ଷ ହେବ ମହିଳା ମାନେ ନଡ଼ିଆ କତା ରେ ବିଭିନ୍ନ ଆକର୍ଷଣୀୟ କଳାକୃତି ନିର୍ମାଣ କରି ବେଶ ଦୁଇ ପଇସା ରୋଜଗାର କରି ପାରୁଛନ୍ତି। କତା କଣ୍ଢେଇ ନିର୍ମାଣ କରି ଅନେକ ପ୍ରଶଂସା ଓ ସୁନାମ ହାସଲ କରିଥିବା ଜଣେ କୁଶଳୀ କାରିଗର ହେଉଛନ୍ତି ନିମାପଡ଼ା ଗୋପୀନାଥ ପାଟଣା ଗ୍ରାମର ଅମିୟ ପୋଦାର । ୨୦୦୯ ମସିହାରେ ସେ ନିଜସ୍ୱ ଜ୍ଞାନ କୌଶଳରେ କତା ଶିଳ୍ପ ଆରମ୍ଭ କରିଥିଲେ ୨୦୧୨ ମସିହାରେ ରାଜ୍ୟ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ସହାୟତାରେ ଓଡିଶା ର ବିଭିନ୍ନ ଜିଲ୍ଲାରେ ପ୍ରଶିକ୍ଷଣ ଦେଇ ସୃଷ୍ଟି କରିଥିଲେ ନୂଆ କାରିଗର ।୨୦୧୫ ମସିହାରେ ସେ ବିଭିନ୍ନ ଅଞ୍ଚଳ ରେ ଗରିବ, ରୋଜାଗାରହୀନ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ସ୍ବାବଲମ୍ବୀ କରିଛନ୍ତି । ନଢ଼ଣା ଗାଁ ରେ ପାଞ୍ଚ ବର୍ଷ ହେବ ପ୍ରାୟ ୬୦ ଜଣ ମହିଳା ଙ୍କୁ ନେଇ ଏକ ଛୋଟ ଘର ଭିତରେ ପ୍ରଶିକ୍ଷଣ ଦେଇ କାର୍ଯ୍ୟ କରୁଥିଲେ । ଏତେ ମହିଳାଙ୍କୁ ନେଇ ଛୋଟ ଘର ଭିତରେ କାର୍ଯ୍ୟ କରିବା ବହୁ କଷ୍ଟକର ଥିଲା । ଗାଁ ର ପ୍ରତି ଘରେ ଘରେ ମହିଳା ମାନେ ତାଙ୍କର ଯାଦୁକରୀ ହାତରେ ନୂଆ ନୂଆ ରଙ୍ଗ ବେରଙ୍ଗ ର କତା କଣ୍ଢେଇ, ହାତୀ , ଘୋଡ଼ା,କୁମ୍ଭୀର ,ଚଢ଼େଇବସା,ଘର, ଫୁଲ ତୋଡା, ବିଭିନ୍ନ ପ୍ରକାର ଗଛ ଆଦି ତିଆରି କରି ବଜାର କୁ ବିକ୍ରି କରିବା ପାଇଁ ପଠାଇଥାନ୍ତି । ଆମ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ନିର୍ମାଣ ହେଉଥିବା କତା କଣ୍ଢେଇ ର ଆଦର ସାରା ପୃଥିବୀରେ ରହିଛି ବୋଲି କହିଛନ୍ତି ଶ୍ରୀ ପୋଦାର। ବିଦେଶ କୁ ରପ୍ତାନି କରାଯାଉଛି ଏହି ସୁନ୍ଦର ସୁନ୍ଦର କଣ୍ଢେଇ। ଏହି ସବୁ ସାମଗ୍ରୀ ଆମାଜନ, ଫ୍ଲିପକାଡ, ଅନଲାଇନ ମାଧ୍ୟମ ରେ ମଧ୍ୟ ବିକ୍ରି କରାଯାଉଛି । ଏବେ ନଢଣା ଗାଁ ସାରା ପୁରୀ ଜିଲ୍ଲାରେ ଏକ ଉଦାହରଣ ପାଲଟି ଯାଇଛି । ଏବେ ଏହି ଗାଁ ର ମହିଳା ମାନେ ନିଜେ ସ୍ଵାବଲମ୍ବି ହୋଇ ପାରିଥିବାରୁ ବେଶ ଖୁସି ଅଛନ୍ତି ।ସରକାର ଙ୍କ ତରଫରୁ ଏମାନଙ୍କୁ ଯଦି ସୁବିଧା ସୁଯୋଗ ଯୋଗାଇ ଦିଆଯାଆନ୍ତା ତେବେ ଏମାନେ ଅଧିକ ରୋଜଗାର କରି ନିଜ ପରିବାର ର ଆର୍ଥିକ ମାନଦଣ୍ଡ କୁ ସୁଦୃଢ କରିପାରନ୍ତେ ବୋଲି ପ୍ରକାଶ କରିଛନ୍ତି ।


