କଥା ଦେଇ କଥା ରଖୁଥିଲେ ଅର୍ଜ୍ଜୁନ ବାବୁ, ନିଜ ଲୋକଙ୍କୁ ଭଲ କରି ଚିହ୍ନି ଥିଲେ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଦରଦୀ ମଣିଷ ଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଅର୍ଜ୍ଜୁନ ଚରଣ ସେଠୀ । କାହାରି ଦୁଃଖ ସେ ସହ୍ୟ କରି ପାରୁନଥିଲେ । ନିଜ ଲୋକଙ୍କୁ ସେ ଭଲ କରି ଚିହି୍ନ ଥିଲେ । କଥା ଦେଇ ସେ କଥା ରଖୁଥିଲେ । ଏହାର ଚାକ୍ଷ୍ୟୁସ ପ୍ରମାଣ ଦେଇଛନ୍ତି ବନ୍ତ ବ୍ଲକ ନିଳୋକ ଗ୍ରାମର ସାମ୍ବାଦିକ ହରି ନାରାୟଣ ମହାନ୍ତି । ଗତ ୩ ବର୍ଷ ତଳର ଅଭୁଲା ସ୍ମୃତିକୁ ସେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଗତ ୨୦୧୭ ମସିହାରେ ତାଙ୍କ ପିତା ସ୍ୱର୍ଗତ ବାବାଜି ଚରଣ ମହାନ୍ତିଙ୍କ ଦେହାନ୍ତ ହୋଇଥିଲା । ଏକାଦଶାହ କ୍ରିୟାକୁ ଆସିବା ପାଇଁ ସେ ଅର୍ଜ୍ଜୁନ ବାବୁଙ୍କୁ ଫୋନ୍ କରିଥିଲେ । ଅର୍ଜ୍ଜୁନ ବାବୁ ଫୋନ୍ ଧରିବା ପରେ ବନ୍ତରୁ କହୁଛି ବୋଲି କହି ତାଙ୍କ ବାପାଙ୍କ ଏକାଦଶାହକୁ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ । ମାତ୍ର ସେପାଖରୁ ଅର୍ଜ୍ଜୁନ ବାବୁ ଯାହା କହିଲେ ସେଥିରେ ସେ ଆଶ୍ଚର୍ଯ୍ୟାନ୍ୱିତ ହୋଇଥିଲେ । ଅର୍ଜ୍ଜୁନ ବାବୁ କହିଥିଲେ ତୁମ ବାପାଙ୍କ ଘର ନିଳୋକ ଗ୍ରାମରେ । ମୋତେ ତୁମେ ବନ୍ତ ବୋଲି କଣ କହୁଛ କଣ । ତାଙ୍କ ସହିତ ମୋର ଘନିଷ୍ଠ ସଂପର୍କ ରହିଛି । ନିଶ୍ଚିତ ଯାଇ ପହଞ୍ôଚବି ଏବଂ ମନେ ପକାଇ ଦେବା ପାଇଁ ଜଲାଲ ବାବୁଙ୍କୁ କହିବାକୁ କହିଥିଲେ । ଏକାଦଶାହ ଦିନ ସେ ସମାଜସେବୀ ସେକ୍ ଜଲାଲଉଦ୍ଦୀନଙ୍କୁ ସାଙ୍ଗରେ ଧରି ନିଳୋକ ଗ୍ରାମରେ ପହଞ୍ôଚ ଥିଲେ । ଅର୍ଜ୍ଜୁନ ବାବୁଙ୍କୁ ଦେଖି ପରିବାର ସମେତ ଅନ୍ୟ ମାନେ ଖୁସି ହୋଇଯାଇଥିଲେ । ସେଠାରେ ଶ୍ରୀ ମହାନ୍ତିଙ୍କ ବଡ ଭଉଣୀ ଆସି ଅର୍ଜ୍ଜୁନ ବାବୁଙ୍କୁ ନମସ୍କାର କରିଥିଲେ । ଗତ ୨ ମାସ ତଳେ ତାଙ୍କ ସ୍ୱାମୀ ହୃଦ୍ଘାତରେ ମୃତ୍ୟୁ ବରଣ କରିବା ଏବଂ ସେ ଏବେ ଚାନ୍ଦବାଲି ବ୍ଲକରେ ଶିକ୍ଷକତା କରୁଥିବା ଘଟଣା ଶୁଣି ତାଙ୍କ ମନରେ ଦରଦ ଆସିଥିଲା । ଯିବା ସମୟରେ ତାଙ୍କୁ ଅଫିସରେ ଦେଖା କରିବା ପାଇଁ କହିଯାଇଥିଲେ । ୨ ଦିନ ପରେ ଜଲାଲ ବାବୁଙ୍କୁ ସାଙ୍ଗରେ ଧରି ଶ୍ରୀ ମହାନ୍ତି ଭଦ୍ରକ ଅଫିସ ଯାଇଥିଲେ । ବଦଳି ପାଇଁ ଏକ ଦରଖାସ୍ତ ଦେବାକୁ ଅର୍ଜ୍ଜୁନ ବାବୁ ତାଙ୍କୁ କହିଥିଲେ । ସେହି ଦିନ ଠାରୁ ଶ୍ରୀ ମହାନ୍ତି ଅର୍ଜ୍ଜୁନ ବାବୁଙ୍କ ଅଫିସକୁ ପ୍ରାୟ ଦେଢ ମାସ କାଳ ଯାଇଛନ୍ତି । ନିଜ ପରିବାର ଲୋକ ଭଳି ସେ ବ୍ୟବହାର କରୁଥିଲେ । ବାପାଙ୍କ ସହିତ ପୁରୁଣା ସଂପର୍କ ଓ ନିଳୋକ ଗ୍ରାମର ଗୋଲକ ମିଶ୍ରଙ୍କ ସଂପର୍କରେ ପଚାରି ବୁଝୁଥିଲେ । ସବୁ ବେଳେ ଗୋଟିଏ କଥା ତାଙ୍କ ମୁହଁରୁ ବାହିରୁ ଥିଲା, ବ୍ୟସ୍ତ ହୁଅନ୍ତୁ ନାହିଁ, ମୁଁ କଥା ଦେଇଛି ମାନେ ନିଶ୍ଚିତ କଥା ରଖିବି । ବଦଳି ସଂପର୍କରେ ସେ ଚାନ୍ଦବାଲି ବିଧାୟକ ଓ ଭଦ୍ରକ ଜିଲ୍ଲାପାଳଙ୍କ ସହ କଥା ହୋଇଥିଲେ । ଏପରିକି ସେ ନିଜେ ଜିଲା ଷ୍ଟାଣ୍ଡିଂ କମିଟି ମିଟିଂକୁ ଯାଇ ବଦଳି ସଂପର୍କରେ ଆଲୋଚନା କରିଥିଲେ । ତାଙ୍କରି ସହାନୁଭୂତି ଓ ପ୍ରଚେଷ୍ଟା ବଳରେ ଭଉଣୀଙ୍କ ବଦଳି ଆଦେଶ ହୋଇଥିଲା । ସେ ଏବେ ବନ୍ତ ବ୍ଲକରେ ଶିକ୍ଷକତା କରୁଛନ୍ତି । ଆଜିର ଦିନରେ ସେହି ମହାନ ବ୍ୟକ୍ତିତ୍ୱ ଆଉ ନାହାନ୍ତି । ହେଲେ ତାଙ୍କର ଭଲ ପାଇବା, ସ୍ନେହ, ସହାନୁଭୂତି, ସରଳତା, ସଚ୍ଚୋଟତା, ପରୋପକାରିତା, ସ୍ପଷ୍ଟବାଦୀତା ସମସ୍ତଙ୍କ ପାଇଁ ଅବିସ୍ମରଣୀୟ ହୋଇ ରହିବ ।


