କନ୍ଧମାଳରେ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ରାଷ୍ଟ୍ରମନ୍ତ୍ରୀ ଙ୍କୁ ସ୍ମାରକପତ୍ର ପ୍ରଦାନ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କ ପକ୍ଷରୁ ଏକ ସ୍ମାରକପତ୍ର ଆଦିବାସୀ ବ୍ୟାପାର କଲ୍ୟାଣ ଓ ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ଭାରତ ସରକାର ବିଶେଶ୍ଵର ଟୁଡୁଙ୍କୁ ପ୍ରଦାନ କରାଯାଇଛି । ଦାବି ହେଉଛି, କନ୍ଧମାଳ ଜିଲ୍ଲାର ବରିଷ୍ଠ ନାଗରିକ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଜାତି ଜନଜାତି ତଥା ସର୍ବସାଧାରଣଙ୍କ ପାଇଁ ସହରରେ ଥିବା ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ କୌଣସି ଆୟୁର୍ବେଦିକ ଚିକିତ୍ସାଳୟ ନଥିବା ଯୋଗୁଁ ସର୍ବସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଲୋପାଥିକ ଔଷଧ ଖାଇବା ଦ୍ବାରା ପାର୍ଶ୍ୱ ପ୍ରତିକ୍ରିୟା ବେଶୀ ଦେଖା ଯାଉଛି। ତେଣୁ କନ୍ଧମାଳ ଜିଲ୍ଲାରେ ଥିବା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ଗୁଡିକ ଫୁଲବାଣୀ ସହର ଠାରୁ ଅତି ଦୂରରେ ଏବଂ ଅଗମ୍ୟ ଗ୍ରାମ୍ୟ ମାନଙ୍କରେ ଅବସ୍ଥିତ ହୋଇଥିବାରୁ ସେଠାକୁ ଚିକିତ୍ସା ପାଇଁ ଯିବା ଆସିବା ସମ୍ଭବ ହେଉନାହିଁ । ଓଡ଼ିଶାର ଥିବା ବିଭିନ୍ନ ପ୍ରତିଷ୍ଠିତ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ଚିକିତ୍ସାଳୟଗୁଡିକ ଯଥା, କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦିକ ମହାବିଦ୍ୟାଳୟ, ଆଙ୍କୁଶପୁର, ଗଞ୍ଜାମ, ୧୫୫ କି.ମି. ଦୂରରେ ଥିବାବେଳେ ଧସରକୂଳ ଦରୀ ଆୟୁର୍ବେଦିକ ମହାବିଦ୍ୟାଳୟ, ବଲାଙ୍ଗିର- ୧୭୦ କି.ମି. ଏବଂ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ, ପୁରୀ ୨୩୦ କି.ମି. ଦୂରରେ ଅବସ୍ଥିତ । ସରକାରୀ ଅନୁଦାନରେ ଲକ୍ଷ ଲକ୍ଷ ଟଙ୍କାର ବହୁ ଦାମୀ ଆୟୁର୍ବେଦିକ ଔଷଧ ଚିକିତ୍ସାଳୟକୁ ଆସୁଥିଲେ ମଧ୍ୟ ଫୁଲବାଣୀ ସହରରେ ରହୁଥିବା ବରିଷ୍ଠ ନାଗରିକ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ତଥା ସହରରେ ରହୁଥିବା ଜାତି, ଜନଜାତି ତଥା ସର୍ବ ସାଧାରଣ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି । ତେଣୁ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି ଯେ, ଫୁଲବାଣୀ ସଦର ମହାକୁମା ଫୁଲବାଣୀ ଠାରେ ଏକ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପ୍ରତିଷ୍ଠା କଲେ ସହରର ବରିଷ୍ଠ ନାଗରିକ ଏବଂ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ତଥା ଫୁଲବାଣୀ ସହରର ଜାତି ଜନଜାତି ତଥା ସର୍ବସାଧାରଣ ଉପକୃତ ହୋଇପାରିବେ। ପ୍ରକାଶ ଥାଉ କି, ଏହାର ଏକ ନକଲ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କ ଜରିଆରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ