କଳିଙ୍ଗା ବିଏଡ କଲେଜ ପୁନଃ ଖୋଲିବା ଦାବିରେ ଧାରଣା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ କଳିଙ୍ଗା ଠାରେ ରାଜ୍ୟ ସରାକରଙ୍କ ପକ୍ଷରୁ ଖୋଲାଯାଇଥିବା କଳିଙ୍ଗା ବିଏଡ କଲେଜ ବର୍ତ୍ତମାନ ବନ୍ଦ ହୋଇଯାଇଥିବା ବେଳେ ଏନେଇ ସମଗ୍ର ଜିଲାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏ ନେଇ ଆଜି କନ୍ଧମାଳ ଜାଗରଣ ମଂଚ ପକ୍ଷରୁ ଉକ୍ତ ବିଏଡ କଲେଜ ପୁନଃ ଖୋଲିବା ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ପ୍ରଶାସନକୁ ଦିଆଯାଇଥିବା ବେଳେ ଦାବି ପୁରଣ ନହେଲେ ସମଗ୍ର ଜିଲାରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ମଧ୍ୟ ଚେତେଇ ଦିଆଯାଇଛି। ଦିଆଯାଇଥିବା ଦାବିପତ୍ର ଅନୁଯାୟୀ, କନ୍ଧମାଳ ଜିଲା ହେଉଛି ଓଡ଼ିଶାର ଏକ ଅନୁନ୍ନତ ଜିଲା। ଏହି ଜିଲାରେ ଶିକ୍ଷା , ସ୍ୱାସ୍ଥ୍ୟ ଓ ଆର୍ଥିକ ସ୍ଥିତି ଅତି ଦୟନିୟ। ସ୍ୱାଧୀନତା ର ୭୫ ବର୍ଷ ପରେ ମଧ୍ୟ କନ୍ଧମାଳ ଜିଲାର ଉଚ୍ଚ ଶିକ୍ଷାର ସନ୍ତୋଷଜନକ ପ୍ରସାର ହୋଇ ନାହିଁ। ଫଳରେ ସବୁ ପ୍ରକାର ସରକାରୀ ଯୋଜନା ଆଜି ପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ଅପହଞ୍ଚ ହୋଇ ରହିଛି। ଗତ ଦିନରେ ନିଜେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଏଡ କଲେଜ ଚଳିତ ଶିକ୍ଷାବର୍ଷ ଠାରୁ ତାହା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଏଭଳି ସ୍ଥଳେ ଜିଲାର ଶହ ଶହ ଆଦିବାସୀ ଛାତ୍ରଛାତ୍ରୀ ମାନେ ବୃତ୍ତିଗତ ଶିକ୍ଷାରୁ ସଂପୂର୍ଣ୍ଣ ଭାବେ ବଞ୍ଚିତ ହେବେ। ଶିକ୍ଷାନୁଷ୍ଠାନ ବନ୍ଦ ଯୋଗୁଁ ଜିଲାରେ ଅଭିଭାବକ ଓ ବୁଦ୍ଧଜୀବି ମହଲରେ ମଧ୍ୟ ଅସନ୍ତୋଷ ଦେଖାଯାଇଛି l ଅବସର ପ୍ରାପ୍ତ ପ୍ରଶାସକ ମହିରଚାନ୍ଦା ମଲିକ ଙ୍କ ନେତୃତ୍ୱରେ ଲିଇସିଂ ସରପଂଚ ସୁଦର୍ଶନ କହଁର, ଶ୍ରମିକ ନେତା ଜନକ ବଗର୍ତ୍ତିୀ, ଖଜୁରିପଡ଼ା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିରେନ୍ଦ୍ର କହଁର, ଆଦିବାସୀ ନେତା ଅବନି କହଁର, ପଞ୍ଚାନନ କହଁର, ଗୌତମ ପ୍ରଧାନ, ତ୍ରିବିକ୍ରମ ମଲିକ, ରମାକାନ୍ତ ମଲିକ, ସଦାନନ୍ଦ ଝାଙ୍କର, ମହାପାତ୍ର ପ୍ରଧାନ, ସୌଦାମିନି କହଁର ଆଦି ବହୁ ବ୍ୟକ୍ତି ବିଶେଷ ଏହି ଧାରଣାରେ ସାମିଲ୍‌‌ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ