କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ସହିଦଙ୍କ ପରିବାରକୁ ସମ୍ବର୍ଦ୍ଧନା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):୭୫ତମ ଭାରତୀୟ ପଦାତିକ ସେନା ଦିବସ, ଦେଶରେ ଅତି ଆଡମ୍ବର ସହକାରେ ପାଳିତ ହେଉଛି । ଫୁଲବାଣୀରେ ପାରିଜାତ କଲ୍ୟାଣ ମଣ୍ଡପ ଠାରେ କନ୍ଧମାଳ ଜିଲ୍ଲା ଏବଂ ପଡୋଶୀ ବୌଦ୍ଧ ଜିଲ୍ଲାର ସମସ୍ତ ଅବସରପ୍ରାପ୍ତ ସେନା କର୍ମଚାରୀ ମାନଙ୍କ ଦ୍ୱାରା ଏହି ଉତ୍ସବକୁ ପ୍ରଥମ ଥର ପାଳନ କରାଯାଇଛି । ଏହି ଅବସରେ ଅବସରପ୍ରାପ୍ତ କର୍ନେଲ ଶିଶିର କୁମାର ଘୋଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନେସନାଲ ୱାର ମେମୋରିଆଲ୍‌ ଏବଂ କନ୍ଧମାଳ ଜିଲ୍ଲାର ତିନି ଜଣ ସହିଦଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।ଏହି ଅବସରରେ ଅନ୍ୟତମ ଅତିଥି ଭାବରେ ଅନରାରି କ୍ୟାପଟେନ୍‌ ନେପାଳ ମଲ୍ଲିକ ଓ ସୁବେଦାର ହଳପାଣି ସେଠୀ ଯୋଗ ଦେଇଥିଲେ । ପରେ ପରେ ସେଠାରେ ସହିଦ ମାନଙ୍କ ପାଇଁ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇ ଦେଶାତ୍ମବୋଧକ ସଙ୍ଗୀତ ଗାନ କରାଯାଇଥିଲା । ଚାଇନା ସୀମାନ୍ତ ଗବାନ ଘାଟିରେ ଗତ ୨୦୨୦ ମସିହାରେ ଚୀନ ସେନାଙ୍କ ସହିତ ହୋଇଥିବା ଧସ୍ତାଧସ୍ତିରେ ସହିଦ ହୋଇଥିବା କନ୍ଧମାଳ ଜିଲ୍ଲା ରାଇକିଆର ବୀରାପାଙ୍ଗାର ଚନ୍ଦ୍ରକାନ୍ତ ପ୍ରଧାନ ଓ ଜାମ୍ମୁକାଶ୍ମୀର କୁପୱାଡା ଠାରେ ଆତଙ୍କବାଦୀଙ୍କ ସହିତ ଲଢେଇରେ ସହିଦ ହୋଇଥିବା ଘୁ.ଉଦୟଗିରିର ବବ୍ରୁବାହାନ ପ୍ରଧାନ ଓ ଖଜୁରିପଡାର ସଞ୍ଜୀବ ସାହୁଙ୍କ ପରିବାର ଲୋକଙ୍କୁ କାର୍ଯ୍ୟକ୍ରମର ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉଭୟ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ୧୩୦ ଜଣ ଅବସରପ୍ରାପ୍ତ ପଦାତିକ ବାହୀନି ଓ ଆକାଶ ବାହିନୀର କର୍ମଚାରୀ ମାନେ ଯୋଗ ଦେଇଥିଲେ । ଏହି ଅବସରରେ ସହିଦ ମାନଙ୍କ ପରିବାର ଲୋକେ ମଧ୍ୟ ଯୋଗ ଦେଇଥିଲେ । ପରେ ସେଠାରେ ଅବସରପ୍ରାପ୍ତ ସୈନିକ ମାନଙ୍କ କଲ୍ୟାଣ ଦିଗରେ ଆଲୋଚନା କରାଯାଇଥିଲା । ଏଥିରେ ସହିଦ ଚନ୍ଦ୍ରକାନ୍ତଙ୍କ ଭଉଣୀଙ୍କୁ ଚାକିରି ଦେବା ପାଇଁ ସରକାରଙ୍କ ନିକଟରେ ଦାବି କରାଯିବା ସହିତ କନ୍ଧମାଳ ଜିଲ୍ଲାର ସେନା କର୍ମଚାରୀ ମାନଙ୍କ କଲ୍ୟାଣ ପାଇଁ ଉଦିଷ୍ଟ ଥିବା ସୈନିକ ବୋର୍ଡକୁ କଲାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ କନ୍ଧମାଳ ଜିଲ୍ଲାକୁ ସ୍ଥାନାନ୍ତର କରାଯିବାକୁ ମଧ୍ୟ ସରକାରଙ୍କ ନିକଟରେ ଦାବି କରାଯିବାକୁ ନିଷ୍ପତ୍ତି ନିଆଗଲା । ଏହି କାର୍ଯ୍ୟକ୍ରମକୁ ଜୁନିୟର ୱାରେଣ୍ଟ ଅଫିସର ଶିବଶଙ୍କର ପାତ୍ର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ