କନ୍ଧମାଳ: ପ୍ରାଣୀ ଚିକିତ୍ସକମାନଙ୍କର କଳାବ୍ୟାଜ୍ ପରିଧାନ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ପ୍ରାଣୀ ଚିକିତ୍ସାଳୟ ସେବା ସଂଘ ଆନୁକୂଲ୍ୟରେ ସମସ୍ତ ପ୍ରାଣୀ ଚିକିତ୍ସକ ମାନେ ଏକାଧିକ ଦାବି ତଥା କନିଷ୍ଠ ପ୍ରବେଶିକା କରିବା, ବରିଷ୍ଠତା ଭିତରେ ପଦୋନ୍ନାତି ପ୍ରଦାନ କରିବା, ଚିକିତ୍ସା କେନ୍ଦ୍ରକୁ ଚିକିତ୍ସକଙ୍କ ଡ଼ାଟାଏଣ୍ଟ୍ରି କାର୍ଯ୍ୟରେ ନିୟୋଜିତ ନକରିବା ଓ ସମସ୍ତ ପ୍ରାଣୀ ଚିକିତ୍ସକଙ୍କୁ କରୋନାଯୋଦ୍ଧା ଭାବେ ଘୋଷଣା କରିବା ଭଳି ଦାବିକରି ଆନ୍ଦୋଳନ ଚଲାଇଛନ୍ତି। ଗତ ଦିନରେ ଏହି ଦାବିନେଇ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ କୌଣସି ପ୍ରକାର ଗୁରୁତ୍ୱନଦେଇ ଦିନକୁ ଦିନ ଅଧିକ କାର୍ଯ୍ୟଭାର ପ୍ରଦାନ କରିବାକୁ ବିରୋଧ କରି ସମଗ୍ର ଜିଲାରେ କାର୍ଯ୍ୟରତ ଥିବା ପ୍ରାଣି ଚିକିତ୍ସକମାନେ କଳାବ୍ୟାଜ୍ ପରିଧାନ କରି କାର୍ଯ୍ୟକରିବା ପାଇଁ ନିଷ୍ପତି ନେଇଥିବା ବେଳେ ଏହା ସପ୍ତାହବ୍ୟାପି ଚାଲିବ ବୋଲି ନିଷ୍ପତି ନିଆଯାଇଛି। ଏଭଳି ସ୍ଥଳେ କନ୍ଧମାଳ ଜିଲାର ୧୨ଟି ବ୍ଳକ ଦାରିଙ୍ଗବାଡ଼ି, ଫୁଲବାଣୀ, ରାଇକିଆ, କୋଟଗଡ଼, ତୁମୁଡିବନ୍ଧ, ଚକାପାଦ ଭଳି ପ୍ରାୟ ସମସ୍ତ ବ୍ଳକରେ କାର୍ଯ୍ୟରତ ପ୍ରାଣି ଚିକିତ୍ସକ ମାନେ ଗତ ୨୦ ତାରିଖରୁ କଳାବ୍ୟାଜ୍ ପରିଧାନ କରି କାର୍ଯ୍ୟକରୁଥିବା ବେଳେ ଅସାନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ। ଆସନ୍ତା ୨୭ ତାରିଖ ସୁଦ୍ଧା ରାଜ୍ୟ ସରକାର ଦାବି ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିଲେ ସମସ୍ତ ପ୍ରାଣି ଚିକିତ୍ସକ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ମଧ୍ୟ ଚେତାବନି ଦିଆଯାଇଛି।


