କନ୍ଧମାଳ ବିଜ୍ଞାନ ପାର୍କ ଖୋଲିବା ନେଇ   ଅନିଶ୍ଚିତତା: ତାଲା ଝୁଲୁ ଥିବାରୁ ନଷ୍ଟ ହେବାକୁ ବସିଛି ଯନ୍ତ୍ରପାତି ଓ ଉପକରଣ : ମେଧାବୀ ଛାତ୍ରଛାତ୍ରୀ ନିରାଶ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ମାସେ ନୁହେଁ କି ଦୁଇ ମାସ ନୁହେଁ। କରୋନା ପାଇଁ ଦୀର୍ଘ ୧୦ ମାସ ହେଲା କନ୍ଧମାଳ ବିଜ୍ଞାନ ପାର୍କରେ ଝୁଲୁଛି ତାଲା। ବନ୍ଦ ରହିବା ଯୋଗୁ ବିଭିନ୍ନ ମୂଲ୍ୟବାନ ଯନ୍ତ୍ରପାତି ଓ ଉପକରଣ ସବୁ କଳଙ୍କି ଲାଗିବାକୁ ବସିଲାଣି। ହେଲେ କରୋନା କଟକଣା ପାଇଁ ବନ୍ଦ ରହିଥିବା ଏହି ବିଜ୍ଞାନ ପାର୍କ କେବେ ଖୋଲିବ ସେ ନେଇ ଅନିଶ୍ଚିତତା ଲାଗି ରହିଛି। ଏହାକୁ ନେଇ ଅଧିକ ଜ୍ଞାନ ଆହରଣ ପାଇଁ ଆଶାବାନ୍ଧି ଥିବା ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀଙ୍କୁ ନିରାଶ ହେବାକୁ ପଡିଛି।କନ୍ଧମାଳ ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀ ବିଜ୍ଞାନ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିବେ। ଏଭଳି ଲକ୍ଷ୍ୟ ନେଇ  ଜିଲ୍ଲା ସଦର ମହକୁମା ଫୁଲବାଣୀଠାରେ ନୂଆ ଜ୍ଞାନ କୌଶଳରେ ନିର୍ମାଣ ହୋଇଛି ଶିଶୁ ବିଜ୍ଞାନ ପାର୍କ। ଏହାର ନିର୍ମାଣ କାମ ଶେଷ ହେବାକୁ ଦୁଇ ବର୍ଷ ଲାଗିଥିଲା। ଏଥିରେ ୧ କୋଟି ୨୯ ଲକ୍ଷ ୫୦ଟଙ୍କା ବ୍ୟୟ ହୋଇଛି। ବିଜ୍ଞାନ ଭିତ୍ତିକ ଉପକରଣ ପାଇଁ ପୌର ପରିଷଦ ଜରିଆରେ ୭୬ ଲକ୍ଷ,ସୌନ୍ଦଯ୍ୟକରଣ ପାଇଁ ଉଦ୍ୟାନ ବିଭାଗ ଜରିଆରେ ୩ ଲକ୍ଷ ୫୦ ହଜାର ଏବଂ ଅନ୍ୟାନ୍ୟ ନିର୍ମାଣ ପାଇଁ ପୂର୍ତ୍ତବିଭାଗ କରିଆରେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।  ଏହି ପାର୍କରେ ଶିଶୁମାନଙ୍କ ପାଇଁ ୧୦୦ରୁ ଉର୍ଦ୍ଧ୍ବ ବିଜ୍ଞାନ ସମ୍ବଧୀୟ ପ୍ରକଳ୍ପ ଥିବା ବେଳେ  ଆଦିମ ଜୀବଜନ୍ତୁଙ୍କ ମଡେଲ ସହ ବିଶିଷ୍ଠ ବୈଜ୍ଞାନିକଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହୋଇଛି। ଏହାର ପରିଚାଳନା ଦାୟିତ୍ବ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସ୍ବାତୀକୁ ଦିଆଯାଇଛି।ଗତ ୨୦୧୯ ନଭେମ୍ବର ୧୭ ଶିଶୁ ଦିବସରେ ଏହ‌ୀ ଶିଶୁ ବିଜ୍ଞାନ ପାର୍କ ଲୋକାର୍ପିତ ହୋଇଥିଲା। ପ୍ରତ୍ୟହ ସକାଳ ୫ଟା ଅପରାହ୍ନ ୧ଟା ଓ ଅପରାହ୍ନ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ପାର୍କ ଖୋଲା ରହିଲା। ତାପରେ ଜିଲ୍ଲାର ବହୁ ମେଧାବୀ ଛାତ୍ରଛାତ୍ରୀ ପାର୍କକୁ ଆସି ଅଧିକ ଜ୍ଞାନ ଆହରଣ କରିଥିଲେ। ଏମିଚି କି ଶିକ୍ଷକ ଓ ଅଭିଭାବକ ବି ଶିଶୁ ବିଜ୍ଞାନ ପାର୍କ ଆକୃଷ୍ଣ କରିଥିଲା। ଜିଲ୍ଲା ବାଦ ବାହାରୁ କନ୍ଧମାଳ ଗସ୍ତରେ ଆସୁଥିବା ଅଭିଭାବକ ବି ପିଲାଙ୍କୁ ପାର୍କରେ ବୁଲାଇବା ଭୁଲି ନଥିଲେ। ୪ ମାସ ପର୍ଯ୍ୟନ୍ତ ଶିଶୁ ବିଜ୍ଞାନ ପାର୍କ ଶିଶୁଙ୍କ ମେଳିରେ ଗହଳି ଚହଳି ଲାଗି ରହିଥିଲା। ତାପରେ ଆସିଲା କରୋନା ମହାମାରୀ। କରୋନା ପାଇଁ ଗତ ମାର୍ଚ୍ଚ ୧୪ରୁ ଶିଶୁ ବିଜ୍ଞାନ ପାର୍କ ବନ୍ଦ ରହିଛି। କରୋନା କଟକଣା ପାଇଁ ପାର୍କରେ ତାଲା ଝୁଲୁଥିବା ବେଳେ ସେଥିରେ ଥିବା ବିଭିନ୍ନ ମୂଲ୍ୟବାନ ଯନ୍ତ୍ରପାତି ଓ ଉପକରଣ ସବୁ କଳଙ୍କି ଲାଗିବାକୁ ଆରମ୍ଭ କଲାଣି। ଆଉ ଯଦି କିଛି ମାସ ପାର୍କ ବନ୍ଦ ରହେ ତାହା ହେଲେ ସେସବୁ ନଷ୍ଟ ହେବା ନିଶ୍ଚିତ। ଜିମ୍ ସହ ଅନ୍ୟାନ୍ୟ କ୍ଷେତ୍ର ଖୋଲିବା ନେଇ ସରକାର କଟକଣା କୋହଳ କରିଛନ୍ତି। ହେଲେ ପାର୍କ ଖୋଲିବା ନେଇ ନିର୍ଦ୍ଦେଶ ମିଳୁ ନଥିବାରୁ ଶିଶୁ ବିଜ୍ଞାନ ପାର୍କ ଖୋଲା ଯାଇ ପାରୁ ନାହିଁ।ଅନୁମତି ମିଳିଲେ ଶିଶୁ ବିଜ୍ଞାନ ପାର୍କ ଖୋଲିବ ବୋଲି ପରିଚାଳନା ଦାୟିତ୍ବରେ ଥିବା ସ୍ବାତୀର ସମ୍ପାଦକ ଇଂ.ହରିଶଙ୍କର ରାଉତ କହିଛନ୍ତି। ସରକାରଙ୍କ ଅନୁମତି ମିଳିବା ପରେ ହିଁ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ। ଆଉ ଖୋଲିଲେ ବି କୋଭିଡ ନିୟମକୁ ପାଳନ କରାଯିବ ବୋଲି ଫୁଲବାଣୀ ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରା କହିଛନ୍ତି। ଏକରେ କରୋନା କଟକଣା ପାଇଁ ସ୍କୁଲ ସବୁ ବନ୍ଦ ରହିଛି। ଏଭଳି ସ୍ଥଳେ ଶିଶୁ ବିଜ୍ଞାନ ପାର୍କ ଖୋଲିବା ନେଇ ଅନିଶ୍ଚିତତା ଲାଗି ରହିଥିବାରୁ ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀଙ୍କୁ ନିରାଶ ହେବାକୁ ପଡିଛି। ପାର୍କ ଖୋଲିବାକୁ ଯେବେ ଅନୁମତି ମିଳୁ। ହେଲେ ପାର୍କରେ ଥିବା ଯନ୍ତ୍ରପାତି ଓ ଉପକରଣର ରକ୍ଷଣାବେକ୍ଷଣ କରିବା ଜରୁରୀ ହୋଇ ପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ