କନ୍ଧମାଳ ରେ କୁଇ ଭାଷା ସାହିତ୍ୟ ରାଜ୍ୟସ୍ତରୀୟ ସମ୍ମିଳନୀ ଓ କବିତା ପାଠୋତ୍ସବ ଏବଂ ଆଲୋଚନା ଚକ୍ର
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା -୨୦୨୩ ଉପଲକ୍ଷେ କୁଇ ଭାଷା ସାହିତ୍ୟ କର୍ମଶାଳା ଓ କୁଇ କବିତା ପାଠୋତ୍ସବ ଏବଂ ଆଲୋଚନା ଚକ୍ର ଆଇଟିଡିଏ , ଫୁଲବାଣୀ ସଭାଗୃହଠାରେ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେଶନ କୁଇ ଭାଷାର ପ୍ରଚାର ପ୍ରସାର ସମ୍ବନ୍ଧରେ ଆଲୋଚନାଚକ୍ର ଜିଲା ଶିକ୍ଷା ଅଧିକାରୀ, କନ୍ଧମାଳ, ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିଲା । କୁଇ କବି ନରତ୍ତୋମ ପ୍ରଧାନ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ତଥା ଗବେଷକ ପରମାନନ୍ଦ ପଟେଲ୍, ମୁଖ୍ୟ ଆଲୋଚକ ଭାବରେ ଯୋଗଦାନ କରି କୁଇ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଛେଦରେ ସ୍ଥାନୀତ କରିବା ପାଇଁ ବିଭିନ୍ନ ସରକାରୀ ବିଧି ବିଧାନ ଏବଂ କୁଇ ସାହିତ୍ୟର ରୂପରେଖ ଉପରେ ଆଲୋଚନା କରିଥିଲେ। ଆବାହକ ନରେଶ ଚନ୍ଦ୍ର ଶବର, ପ୍ରକଳ୍ପ ପ୍ରଶାସକ, ଆଇଟିଡିଏ, ଫୁଲବାଣୀ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଡା. ନୀରଦ ଚନ୍ଦ୍ର କହଁର କୁଇ ଭାଷାର ପ୍ରଚାର ଓ ପ୍ରସାର ବେସରକାରୀ ତଥା ସରକାରୀ ସ୍ତରରେ ଉଦ୍ୟମ ହେବା ପାଇଁ ଧ୍ୟାନ ଆକର୍ଷଣ କରିଥିଲେ।ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ପ୍ରଭାକର ପ୍ରଧାନ କୁଇ ଭାଷା ଅନ୍ୟମାନଙ୍କ ଦ୍ୱାରା କେଉଁ ଭଳି ପ୍ରଭାବିତ ହେଲା ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। ଭାସ୍କର ପ୍ରଧାନ କୁଇ ମନ୍ତ୍ର, କୁଇ ବିଧି ବିଧାନ ଗୁଡ଼ିକ ପୁସ୍ତକ ଆକାରରେ ସଂରକ୍ଷଣ କରିବା ପାଇଁ ମତ ରଖିଥିଲେ। ଲମ୍ବୋଦର କହଁର କୁଇ ଭାଷାରେ କଥା ବାର୍ତ୍ତା ହେବା ପାଇଁ ଗୁରୁତ୍ୱ ଆରୋପ କରିଥିଲେ। ସଦାଶିବ ପାତ୍ର ଧନ୍ୟବାଦ ଅର୍ପଣ କରିବା ବେଳେ କୁଇ ଭାଷାର ସୁରକ୍ଷା ଓ ସମୃଦ୍ଧି ପାଇଁ ସମସ୍ତଙ୍କର ଭୂମିକା ରହିଛି ବୋଲି ମତ ପ୍ରକାଶ କରିଥିଲେ। ଦ୍ବିତୀୟ ଅଧିବେଶନରେ କୁଇ କବିତା ପାଠୋତ୍ସବ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଦୀନବନ୍ଧୁ କହଁରଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିଲା। ଏଠାରେ ଅବସର ପ୍ରାପ୍ତ ଅତିରିକ୍ତ କମିଶନର କୁମୁଦ ଚନ୍ଦ୍ର ମଲ୍ଲିକ, ଜିଲା ଶିକ୍ଷା ଅଧିକାରୀ, ଡାକ୍ତର ନୀରଦ ଚନ୍ଦ୍ର କହଁର, ଲମ୍ବୋଦର କହଁର, ବିଜୟ କୃଷ୍ଣ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଭ୍ୟ ସଦାଶିବ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ୩୦ ଜଣରୁ ଉର୍ଦ୍ଧ୍ବ କୁଇ କବି କବିତା ଆବୃତ୍ତି କରିଥିଲେ। ଖଞ୍ଜଣୀ ବାଦ୍ୟର ତାଳେ ତାଳେ ଭାବଗର୍ଭକ ନବରସର କୁଇ କବିତା ସମସ୍ତ ଶ୍ରୋତାଙ୍କୁ ବିମୋହିତ କରି ବାନ୍ଧି ରଖିଥିଲା ।ଏଥିରେ କୁଇ କବି ସୁଦର୍ଶନ କହଁର, ବଳି କହଁର, ଭ୍ରୁଙ୍ଗରାଜ କହଁର, ଈଶ୍ୱର ମିଣ୍ୟାକା, ବୁଲୁ ହିକାକା, ଉଦୟନାଥ ପ୍ରଧାନ, ପ୍ରଦୀପ କହଁର, ଗଣପତି ମଲ୍ଲିକ, କରୁଣାକର ପ୍ରଧାନ, ରାମ ଚନ୍ଦ୍ର କହଁର, ବିଶ୍ରବା ପ୍ରଧାନ, ଲଙ୍କେଶ୍ବର କହଁର, ମଙ୍ଗରାଜ କହଁର, ଶରତ ଚନ୍ଦ୍ର ମଲ୍ଲିକ, ବିଶ୍ଵମ୍ଭର ପ୍ରଧାନ, ଡରେ ମଲ୍ଲିକ, ବିପିନ୍ ମଲ୍ଲିକ, ସତ୍ୟଶ୍ଵର କହଁର, କିନ୍ଦୁ କହଁର, ଲଣ୍ଡା କହଁର, ମୋହନ ଦିଗାଲ, ନାଭିଦତ୍ୟ ଦିଗାଲ, କେମ ଦିଗାଲ ଆଦି କବିତା ପାଠ କରିଥିଲେ। ନରତ୍ତୋମ ପ୍ରଧାନ ଓ ଏସିଆ କହଁର ମଞ୍ଚ ପରିଚାଳନା କରିଥିଲେ। ଅବସରପ୍ରାପ୍ତ ଇଂ ଅବନୀ କୁମାର କହଁର ଧନ୍ୟବାଦ ଅର୍ପଣ କରିଥିଲେ।